ବଢ଼ିଲା ଦାରୁଠେଙ୍ଗ ଡମ୍ପିଂୟାର୍ଡ ଅଡ଼ୁଆ, ଆବର୍ଜନା ନପକାଇବାକୁ ଜିଦ୍‌ ଧରିଛନ୍ତି ଲୋକ

ବୈଠକ ବର୍ଜନ କଲେ ପଞ୍ଚାୟତବାସୀ

ଭୁବନେଶ୍ବର: ଦାରୁଠେଙ୍ଗ ଡମ୍ପିଂୟାର୍ଡ ଅଡ଼ୁଆ ବଢ଼ିଛି। ସମସ୍ୟା ସମାଧାନ ପାଇଁ ଆଜି ସମ୍ପୃକ୍ତ ପଞ୍ଚାୟତବାସୀଙ୍କୁ ଆଲୋଚନା ପାଇଁ ଡାକିଥିଲା ବିଏମ୍‌ସସି। ହେଲେ ସେମାନେ ବୈଠକକୁ ବର୍ଜନ କରିଛନ୍ତି। ‘ବିଏମ୍‌ସିରେ ଆଲୋଚନା ବହୁତ ହୋଇଛି, ହେଲେ ଫଳ କିଛି ହୋଇନାହିଁ। ଏବେ ଆଉ ଆଲୋଚନା ନାହିଁ’ ବୋଲି ଦାରୁଠେଙ୍ଗ ସରପଞ୍ଚ ବିଏମ୍‌ସିକୁ ଚିଠି ଲେଖି ଜଣାଇ ଦେଇଛନ୍ତି। ପୂର୍ବରୁ କୌଣସି ବରି‌ଷ୍ଠ ଅଧିକାରୀ ଦାରୁଠେଙ୍ଗ ଯାଇ ଆଲୋଚନା କରିନାହାନ୍ତି। ନବନିର୍ବାଚିତ ମେୟର କିମ୍ବା ନୂଆ କମିସନର ମଧ୍ୟ ଏପର୍ଯ୍ୟନ୍ତ ଯାଇ ନାହାନ୍ତି। ଏବେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ଚରମ ନିଷ୍ପତ୍ତି ଯୋଗୁ ଡମ୍ପିଂୟାର୍ଡ ସମସ୍ୟା ସମାଧାନ ନେଇ ରହିଥିବା ଶେଷ ଆଶା ମଉଳି ଯାଇଛି। ଗୋଟିଏ ପଟେ ଟିଟିଏସ୍‌ ପୂର୍ଣ୍ଣ ହେବାକୁ ବସିଥିବା ବେଳେ ଅନ୍ୟପଟେ ନୂଆ ସଫେଇ ପ୍ୟାକେଜ୍‌ରେ ମଧ୍ୟ ବିଭ୍ରାଟ ଦେଖାଦେଇଛି। ଫଳରେ କମ୍ ଦିନରେ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ଏବେ ବିଏମ୍‌ସି କ’ଣ କରିବ ସେ ନେଇ ଅଧିକାରୀମା‌ନେ ବାଟ ପାଉନାହାନ୍ତି।

ବର୍ଷ ବର୍ଷ ଧରି ବରିଷ୍ଠ ଅଧିକାରୀମାନେ ଦାରୁଠେଙ୍ଗ ପଞ୍ଚାୟତବାସୀଙ୍କ ଦାବିକୁ ଭ୍ରୁକ୍ଷେପ କରି ନଥିବାରୁ ପରିସ୍ଥିତି ଏଭଳି ହୋଇଛି। ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ ପରେ ପଞ୍ଚାୟତବାସୀ ସେମାନଙ୍କର ଚରମ ନିଷ୍ପତ୍ତି ବାବଦରେ ସ୍ପଷ୍ଟ କରିଥିଲେ। ଆବର୍ଜନା ସମ୍ପୂର୍ଣ୍ଣ ବନ୍ଦ ଓ ମୃତ ଯୁବକଙ୍କ ପରିବାର ବର୍ଗଙ୍କୁ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଦାବି କରିଥିଲେ। କିନ୍ତୁ ଘଟଣାସ୍ଥଳକୁ ବିଏମ୍‌ସି ଅଧିକାରୀମାନେ ଯିବା ତ ଦୂରର କଥା, ଏ ନେଇ ଆଲେଚାନା ମଧ୍ୟ କଲେ ନାହିଁ। ବରଂ ବିଏମ୍‌ସି ଅଫିସ୍‌ ଆସି ଆଲୋଚନା କରିବାକୁ ସରପଞ୍ଚଙ୍କୁ ଚିଠି ଲେଖିଲା। ଫଳରେ ଅଡ଼ୁଆ ଆହୁରି ବଢ଼ିଗଲା। ବିଏମ୍‌ସି ସମ୍ପୃକ୍ତ ପଞ୍ଚାୟତବାସୀଙ୍କ ଦାବିକୁ ଗୁରୁତ୍ବ ଦେଉନଥିବା ପ୍ରମାଣିତ ହୋଇଥିଲା। ଯାହାର ପରିଣାମ ସ୍ବରୂପ ସେମାନେ ଆଜି ବିଏମ୍‌ସି ସହ ରହିଥିବା ଆଲୋଚନାକୁ ବୟକଟ୍‌ କରିଥିଲେ।

ଏ ନେଇ ଦାରୁଠେଙ୍ଗ ସରପଞ୍ଚ ତପନ ଚକ୍ରବର୍ତ୍ତୀ କହିଛନ୍ତି, ଦାରୁଠେଙ୍ଗରେ ଏହି ଡମ୍ପିଂୟାର୍ଡ ସମସ୍ୟା ଆଜିର ନୁହେଁ। ୧୪ ବର୍ଷ ଧରି ଆମେ ସଂଗ୍ରାମ ଜାରି ରଖିଛୁ। ଆବର୍ଜନାରେ ଘର ପୋତି ହୋଇଗଲାଣି। ରୋଗରେ ପଡ଼ି ଅନେକ ମଲେଣି, ଅନେକ ଏବେ ବି ଭୋଗୁଛନ୍ତି। ଭୂତଳ ଜଳ ବି ପ୍ରଦୂଷିତ ହୋଇଗଲାଣି। ଆଗାମୀ ଅନେକ ବର୍ଷ ପାଇଁ ଆମେ ପ୍ରଭାବିତ ହେବା ଥୟ ହେଲାଣି। ଶହ ଶହ ବାର ବୈଠକ ବସିଛି। ହେଲେ ଲାଭ ହୋଇନି। ଆନ୍ଦୋଳନ କରି ଅନେକବାର ଏଥିପାଇଁ ଜେଲ୍‌ ବି ଯାଇଛୁ। ଭୋଟ ବର୍ଜନ କରି ପ୍ରତିବାଦ ବି କରିଛୁ। ହେଲେ ୧୪ ବର୍ଷ ଧରି ବିଏମ୍‌ସି କିଛି କରିନାହିଁ। ବରଂ କୋର୍ଟଙ୍କ ଆଦେଶ ମଧ୍ୟ ପାଳନ କରିନାହିଁ। ଶେଷରେ ଆବର୍ଜନା ବୁହା ଗାଡ଼ି ଚକା ତଳେ ଜଣେ ଉଦୀୟମାନ ଯୁବକଙ୍କର ଜୀବନ ଚାଲିଯାଇଛି। ଅର୍ଥାତ୍‌ ୧୪ ବର୍ଷ ଧରି କେବଳ ଆମ ପଞ୍ଚାୟତବାସୀଙ୍କ କ୍ଷତି ହୋଇଛି। ଏଣୁ ଆମେ ଶେଷ ନିଷ୍ପତ୍ତି ନେଇଛୁ। କୌଣସି ପରିସ୍ଥିତିରେ ଆବର୍ଜନା ଆସିବ ନାହିଁ। ଏବେ ଆଉ କୌଣସି ଆଲୋଚନା କରିବା ବୃଥା ବୋଲି ସେ କହିଛନ୍ତି।

ଦାରୁଠେଙ୍ଗବାସୀଙ୍କ ନିଷ୍ପତ୍ତି ଓ ଆଜିର ବୈଠକ ବର୍ଜନ ସ୍ପଷ୍ଟ କରୁଛି ଯେ ଦାରୁଠେଙ୍ଗ ଡମ୍ପିଂୟାର୍ଡକୁ ଆଉ ନିକଟ ଭବିଷ୍ୟତରେ ଆବର୍ଜନା ଯିବା ସମ୍ଭାବନା ନାହିଁ। ଏବେ ଆବଶ୍ୟକ ପରିମାଣର ଏମ୍‌ସିସି (ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର) ପ୍ରସ୍ତୁତ ହୋଇନଥିବାରୁ ବିଏମ୍‌ସି ଅନ୍ୟ କେଉଁଠି ଆବର୍ଜନା ଜମା କରିବାକୁ ଜାଗା ଖୋଜିବ। କାରଣ ଟିଟିଏସ୍‌ରେ ସବୁଦିନ ଆବର୍ଜନା ଜମା କରିବା ସମ୍ଭବ ହେବ ନାହିଁ। ଏ ନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ପଞ୍ଚାତବାସୀ ଆଜି ଆଲୋଚନାକୁ ଆସିନାହାନ୍ତି। ଆଗକୁ କ’ଣ କରାଯାଇପାରିବ ସେ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ।

ସମ୍ବନ୍ଧିତ ଖବର