ଚନ୍ଦ୍ରଶେଖରପୁରରେ ଅଳିଆ ଉଠୁନି

୭ଟି ୱାର୍ଡରେ ସଙ୍ଗିନ୍ ସ୍ଥିତି, ପୁତିଗନ୍ଧମୟ ପରିବେଶରେ ଲୋକ ଅତିଷ୍ଠ, ସିଏମ୍‌ଓ ହସ୍ତକ୍ଷେପ ପରେ ବି ସମାଧାନ ବାଟ ବାହାରୁନି

ଭୁବନେଶ୍ବର : ଚନ୍ଦ୍ରଶେଖପୁର ଅଞ୍ଚଳର ୭ଟି ୱାର୍ଡରୁ ୩ ଦିନ ହେଲା ଅଳିଆ ଉଠୁନି। ଯୁଆଡ଼େ ଚାହିଁବ ଖାଲି ଆବର୍ଜନା। ପୁତିଗନ୍ଧମୟ ପରିବେଶରେ ଲୋକେ ଅତିଷ୍ଠ ହୋଇଗଲେଣି। ଅଭିଯୋଗ କଲେ କେହି ଶୁଣୁ ନାହାନ୍ତି। ବିଏମ୍‌ସିର ଅଧିକାରୀମାନେ ସମସ୍ୟା ପ୍ରତି ସାମାନ୍ୟ ବି ନଜର ଦେଉ ନଥିବାରୁ ଅସନ୍ତୋଷ ଦାନା ବାନ୍ଧିଲାଣି।

ୱାର୍ଡ ନଂ ୧, ୨, ୬,୭, ୮, ୧୩ ଓ ୧୪ରେ ସ‌େଫଇ କ୍ଷେତ୍ରରେ ଏମିତି ବିଭ୍ରାଟ ଦେଖାଦେଇଛି। ୩ ଦିନ ହେଲା ସଫେଇ କର୍ମଚାରୀମାନେ କାମ ବନ୍ଦ କରିଥିବାରୁ ରାସ୍ତାରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇଛି। କାହା ଘର ଆଗରେ ତ କେଉଁଠି ଦୋକାନ ଆଗରେ ଅଳିଆ ଜମା ହୋଇପଡ଼ିଛି। ଡଷ୍ଟବିନ୍ ଉଛୁଳି ଆବର୍ଜନା ରାସ୍ତାରେ ଖେଳାଇ ହୋଇଛି। ପୁଣି କୁକୁର, ଗୋରୁ ସେଗୁଡ଼ିକୁ ଆହୁରି ଖେଳାଇ ରାସ୍ତାକୁ ଅଘୋଷିତ ଡମ୍ପିଂୟାର୍ଡରେ ପରିଣତ କରିଦେଲେଣି। ବହୁ ଅଞ୍ଚଳରେ ଘରୁ ବାହାରିଲା ମାତ୍ରେ ନାକରେ ରୁମାଲ ଦେଇ ଯିବାକୁ ପଡ଼ୁଛି। ବ୍ୟବସାୟୀମାନେ ବି ତ୍ରାହି ତ୍ରାହି ଡାକ ଦେଲେଣି। ସେମାନଙ୍କ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ସାମ୍ନାରେ ଆବର୍ଜନା ପଡ଼ୁଥିବାରୁ ଗ୍ରାହକମାନେ ବି ଆସୁ ନାହାନ୍ତି।

ରାଜଧାନୀର ଏକ ବୃହତର ଅଞ୍ଚଳରେ ଏମିତି ସଙ୍ଗିନ୍ ସ୍ଥିତି ଥିଲା ବେଳେ ବିଏମ୍‌ସି ପକ୍ଷରୁ ତତ୍ପରତା ପ୍ରକାଶ ନ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ୱାର୍ଡଗୁଡ଼ିକର ସଫେଇ ଦାୟିତ୍ବରେ ଥିବା ଘରୋଇ ସଂସ୍ଥା ‘ରାମ୍‌କି’ ନିୟମିତ ଭାବେ ଏପରି କାମରେ ଖିଲାପ କରୁଥିବାର ଦେଖାଯାଉଛି। ଯେତେବେଳେ କାମରେ ବିଭ୍ରାଟ ହେଉଛି, ସେତେବେଳେ ବିଏମ୍‌ସି ଅଧିକାରୀମାନେ ଉପର ଠାଉରିଆ ଭାବେ ନାଲି ଆଖି ଦେଖାଇ ରହିଯାଉଛନ୍ତି। କିନ୍ତୁ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ତିନି ମାସ ତଳେ ଏମିତି ସମସ୍ୟା ହୋଇଥିଲା ବେଳେ ବିଏମ୍‌ସି କଠୋର ହେଲା ନାହିଁ। ଫଳ ସ୍ବରୂପ ଏବେ ପୁଣି ସ୍ଥାନୀୟ ଲୋକ ସମସ୍ୟା ଭୋଗିଲେ। ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ ହେଲା ପରେ ବିଏମ୍‌ସିକୁ ତାହାର ସମାଧାନ କରିବାକୁ କୁହାଗଲା। ଏହା ପରେ ନଗର ସ୍ବାସ୍ଥ୍ୟ ଅଧିକାରୀ ରାମ୍‌କିକୁ ଏହାର ତୁରନ୍ତ ସମାଧାନ କରିବାକୁ କହିଥିଲେ। ତାହା ସତ୍ତ୍ବେ ସମସ୍ୟାର ସମାଧାନ ବାଟ ବାହାରିନି। କାଲି ସୁଦ୍ଧା ଅଳିଆ ନ ଉଠିଲେ ସ୍ଥିତି ଆହୁରି ବିଗିଡ଼ିଯିବାର ଆଶଙ୍କା ରହିଛି।

ସଫେଇ କର୍ମଚାରୀମାନେ କହିଛନ୍ତି, ‘ରାମ୍‌କି’ ତିନି ମାସ ହେଲା ଦରମା ଦେଇନି। ତୁରନ୍ତ ଦରମା ନ ଦେଲେ ବାକି ୱାର୍ଡଗୁଡ଼ିକରେ ମଧ୍ୟ ସଫେଇ ବନ୍ଦ କରିଦିଆଯିବ। କିନ୍ତୁ ରାମ୍‌କିର ଜଣେ ଅଧିକାରୀ କହିଛନ୍ତି, ଆମର ସୁପରଭାଇଜର ଓ କେତେକ ସଫେଇ କର୍ମଚାରୀ ହଠାତ୍ ଛୁଟିରେ ପଳାଇବାରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହା ପରେ ସେମାନେ କାର୍ଯ୍ୟବନ୍ଦ କରିଦେବାରୁ କେତୋଟି ୱାର୍ଡରେ ଅଳିଆ ଉଠିପାରୁନି। ସବୁ ୱାର୍ଡରୁ ଯେପରି ଅଳିଆ ଉଠିବ ସେନେଇ ପଦକ୍ଷେପ ନେଉଛୁ। ତେବେ ସଫେଇ କର୍ମଚାରୀ ଓ ଘରୋଇ ସଂସ୍ଥା ମଧ୍ୟରେ ଏମିତି ଛକା‌ପଞ୍ଝା ଲାଗି ରହିିଥିବାରୁ ଚନ୍ଦ୍ରଶେଖରପୁରରେ କେବେ ଆବର୍ଜନା ଉଠିବ, ସେ ନେଇ ସନ୍ଦେହ ଦେଖାଦେଲାଣି।

ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀର୫୭ଟି ୱାର୍ଡରେ ସଫେଇ କରୁଥିବା ତିନିଟି ସଫେଇ ସଂସ୍ଥାକୁ ଅକ୍ଟୋବର ମାସରୁ ସେମାନଙ୍କ ପ୍ରାପ୍ୟ ଦିଆଯାଇନି। ଏହି ସମୟ ମଧ୍ୟରେ ତିନି ଜଣ କମିସନର୍ ଦାୟିତ୍ବରେ ଥିଲେ ମଧ୍ୟ ସହରର ଏହି ମୌଳିକ କାର୍ଯ୍ୟରେ ବାଧା ସୃଷ୍ଟି ନ ‌େହବା ପାଇଁ କୌଣସି ପଦକ୍ଷେପ ନେଲେ ନାହିଁ। ପ୍ରାପ୍ୟ ମିଳି ନ ଥିବାରୁ ଯେ କୌଣସି ସମୟରେ ସଫେଇ ସଂସ୍ଥା ସେମାନଙ୍କ କର୍ମଚାରୀମାନଙ୍କୁ ଦରମା ଦେବା ବନ୍ଦ କରିଦେବାର ଆଶଙ୍କା ରହିଛି। ଦରମା ନ ମିଳି‌େଲ ସେମାନେ କାର୍ଯ୍ୟ ବନ୍ଦ କରିଦେଇପାରନ୍ତି। କେବଳ ସେତିକି ନୁହେଁ, ବିଏମ୍‌ସି ରାଜଧାନୀର ପ୍ରମୁଖ ରାସ୍ତାଗୁଡ଼ିକରେ ଯାନ୍ତ୍ରିକ ସଫେଇ ପାଇଁ ଦୁଇଟି ସଂସ୍ଥାକୁ ଦାୟିତ୍ବ ଦେଇଛି। ଏହି ଦୁଇଟି ସଂସ୍ଥାକୁ ବି ୪ ମାସ ହେଲା ପ୍ରାପ୍ୟ ମିଳିନି। ପ୍ରାପ୍ୟ ଦେବାରେ ବିଏମ୍‌ସିର ଏପରି ଟାଳଟୁଳ ନୀତି ସହରବାସୀଙ୍କୁ ଭବିଷ୍ୟତରେ ବଡ଼ ବିପଦରେ ପକାଇବାର ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।

ବିଏମ୍‌ସିରେ ପ୍ରଶାସନିକ ଅସ୍ଥିରତା

ଗତ ମାସରେ ବିଏମ୍‌ସିର ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସମ୍ପୂର୍ଣ୍ଣ ଭାବେ ଅଧିକାରୀମାନଙ୍କ ଉପରେ ବିଏମ୍‌ସିର ଭାଗ୍ୟକୁ ଛାଡ଼ି ଦିଆଯାଇଛି। କେବେ ନିର୍ବାଚନ ହେବ, ତାହା ବି ନିର୍ଦ୍ଦିଷ୍ଟ ନୁହେଁ। ତେଣୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଅଧିକାରୀମାନେ ସହରବାସୀଙ୍କ ଦାୟିତ୍ବରେ ରହିବେ। କିନ୍ତୁ ଆରମ୍ଭରୁ ଯେପରି ପ୍ରଶାସନିକ ଅସ୍ଥିରତା ଦେଖାଦେଲାଣି, ଆଗକୁ ତାହା ଆହୁରି ଜଟିଳ ରୂପ ନେବାର ଆଶଙ୍କା ରହିଛି। ତତ୍‌କାଳୀନ କମିସନର୍ କ୍ରିଷନ୍ କୁମାରଙ୍କ ବଦଳି ପରେ ବିଏମ୍‌ସିରେ ଅତିରିକ୍ତ କମିସନର୍ ଥିବା ଶୁଭମ୍ ସାକ୍ସସେନାଙ୍କୁ କମିସନର୍ କରାଗଲା। ଜଣେ କନିଷ୍ଠ ଅଧିକାରୀଙ୍କୁ କାହିଁକି ଏହି ଦାୟିତ୍ବ ଦିଆଗଲା, ତାହା ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କଲା। ସେ ଦାୟିତ୍ବ ନେବାର ଦୁଇ ମାସ ପୂରିନି, ତାଙ୍କୁ ବଦଳାଇ ଦିଆଗଲା। ସମର୍ଥ ବର୍ମାଙ୍କୁ ବିଏମ୍‌ସି କମିସନର୍ ଭାବେ ନିଯୁକ୍ତି ଦିଆଗଲା। ସେ କାର୍ଯ୍ୟରେ ଯୋଗ ଦେଲା ପରେ ତିନି ଦିନ ହେଲା ଛୁଟିରେ ଅଛନ୍ତି। ସେହିପରି ପ୍ରଶାସକ ଭାବେ ନିଯୁକ୍ତି ପାଇଥିବା କ୍ରିଷନ୍ କୁମାର କେବେ ବି ବିଏମ୍‌ସି କାର୍ଯ୍ୟାଳୟ ଯାଉ ନାହାନ୍ତି। ଏକ ପ୍ରକାର ଅନାଥ ହୋଇଯାଇଛି ବିଏମ୍‌ସି। ସାଧାରଣ ଲୋକ ଅଭିଯୋଗ ନେଇ କେଉଁ ଅଧିକାରୀଙ୍କୁ ପାଖକୁ ଯିବେ, ଜାଣି ପାରୁ ନାହାନ୍ତି। ଏହାର ପ୍ରଭାବ ଆଜି ସ‌େଫଇ କ୍ଷେତ୍ରରେ ଦେଖିବାକୁ ମିଳିଲା। ଅନ୍ୟାନ୍ୟ କ୍ଷେତ୍ରରେ ମଧ୍ୟ ଆଗକୁ ପ୍ରଭାବ ପଡ଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିବ ନାହିଁ।

ସମ୍ବନ୍ଧିତ ଖବର