ଅକ୍ସଜେନ୍‌ ଯୋଗାଉଛି ସାଇ ଶକ୍ତି ଟ୍ରଷ୍ଟ

ଚନ୍ଦ୍ରଶେଖରପୁର : କରୋନା ଆକ୍ରାନ୍ତଙ୍କୁ ଅକ୍ସିଜେନ୍‌ ମିଳୁନି। ଦେଶରେ ଏହି ସମସ୍ୟା ଜଟିଳ ହେଉଥିବା ବେଳେ ଓଡ଼ିଶାରେ ଆଗକୁ ଏଭଳି ସମସ୍ୟା ସୃଷ୍ଟି ହେବାର ଆଶଙ୍କା‌ ରହିଛି। ତାହାକୁ ନଜରରେ ରଖି ପଟିଆ ସାଇଶକ୍ତି ଟ୍ରଷ୍ଟର ସଦସ୍ୟମାନେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଅକ୍ସିଜେନ୍‌ ଅଭାବକୁ ଆଖିରେ ରଖି ଟ୍ରଷ୍ଟର କର୍ମକର୍ତ୍ତା ୧୦ଟି ସିଲିଣ୍ଡର୍‌ ସାହାଯ୍ୟରେ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଅକ୍ସିଜେନ୍‌ ଆବଶ୍ୟକ ଥିବା ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି। ଖବର ମିଳିବା କ୍ଷଣି ‌ଏମାନେ ଲୋକଙ୍କ ନିକଟରେ ପହଞ୍ଚି ସହାୟତାର ହାତ ବଢ଼ାଉଛନ୍ତି। ଯେଉଁଥିପାଇଁ ସାଇଶକ୍ତି ଟ୍ରଷ୍ଟର ମୁଖ୍ୟ ଟ୍ରଷ୍ଟି ତଥା ସମାଜସେବୀ ମିହିର କୁମାର ରାଉତ ଟ୍ରଷ୍ଟର ସମସ୍ତ ସଦସ୍ୟଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ପଟିଆ ସାଇଶକ୍ତି ଟ୍ରଷ୍ଟର କର୍ମକର୍ତ୍ତାମାନେ ଅନେକ ସାମାଜିକ କାର୍ଯ୍ୟ କରି ଇତିମଧ୍ୟରେ ଉଦାହରଣ ସୃଷ୍ଟି କରିଛନ୍ତି। ଶୀତ ଋତୁରେ ଅସହାୟ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ, ଗରିବ ନିରାଶ୍ରୟ ଝିଅଙ୍କ ବିବାହ କରାଇବା, ଅଞ୍ଚଳର ଲୋକଙ୍କ ପାଇଁ ଦେୟମୁକ୍ତ ସ୍ବର୍ଗରଥ ଗାଡ଼ିର ବ୍ୟବସ୍ଥା, ଖରା ଦିନେ ଭ୍ରାମ୍ୟମାଣ ଜଳସେବା, ବର୍ଷାଦିନେ ବୃକ୍ଷରୋପଣ, ଗରିବ ଶ୍ରେଣୀର ଲୋକଙ୍କୁ କୃତ୍ରିମ ଅଙ୍ଗଦାନ କରି ଲୋକଙ୍କ ଦ୍ବାରା ପ୍ରଶଂସିତ ହୋଇଛନ୍ତି। ଗତବର୍ଷ କରୋନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ଫଣ୍ଡ୍‌କୁ ଏଡିଏମ୍‌ଙ୍କ ଦ୍ବାରା ୬୦ ହଜାର ଟଙ୍କା ଦାନ କରିବା ସହିତ ଗରିବ ଅସହାୟ ବସ୍ତିବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ ପୁଡ଼ିଆ ବଣ୍ଟନ କରି ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ।

ସମ୍ବନ୍ଧିତ ଖବର