ଖଣ୍ଡଗିରି: ବୁଧବାର ରାତିରେ ଖଣ୍ଡଗିରି ପଞ୍ଚସଖାନଗରସ୍ଥିତ ଓୟୋ ହୋଟେଲ୍‌(ଦାସ-ଇନ୍‌)ର ୩ ମହଲା ଛାତରୁ ଖସିପଡ଼ିବାରୁ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନୟାଗଡ଼ର ସୋନାଲି ମହାପାତ୍ର। ଲିଭ୍‌-ଇନ୍‌ରେ ଥିବା ସୋନାଲିଙ୍କ ପାଖେପାଖେ ତାଙ୍କ ପୁରୁଷବନ୍ଧୁ ବିଭୂତି ପ୍ରତିହାରୀ ଥିବା ସତ୍ତ୍ବେ ସେ ଛାତରୁ ଗଳିପଡ଼ିବା ଘଟଣାକୁ ପରିବାର ଲୋକେ ଗ୍ରହଣ କରିପାରିନାହାନ୍ତି। ସେହିଭଳି ଅଘଟଣର ଠିକ୍‌ ପୂର୍ବରୁ ସୋନାଲି ଓ ବିଭୂତିଙ୍କ ମଧ୍ୟରେ ଲାଗିଥିବା ଝଗଡ଼ା ମଧ୍ୟ ସନ୍ଦେହ ବଢ଼ାଇଛି। ତେଣୁ ସୋନାଲିଙ୍କ ମାଆ ସିଧାସଳଖ ହତ୍ୟା ଅଭିଯୋଗ ଆଣିଛନ୍ତି। ବିଭୂତି ହିଁ ସୋନାଲିଙ୍କୁ ଛାତରୁ ଠେଲି ହତ୍ୟା କରିଛି ବୋଲି ତାଙ୍କ ମାଆ ଲିଖିତ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଥାନା ପୁଲିସ ହତ୍ୟା ମାମଲା ରୁଜୁ କରି ନଥିଲେ ହେଁ ପୁରୁଷବନ୍ଧୁ ବିଭୂତିଙ୍କୁ ଗତକାଲି ରାତିରୁ ଅଟକ ରଖି ମାରାଥନ ଜେରା ଚଳାଇଛି। ସେହିଭଳି ଜବତ ହୋଇଥିବା ଉଭୟଙ୍କ ମୋବାଇଲ୍‌ରୁ କିଛି ସୁରାକ ମିଳିବା ଆଶାରେ ପୁଲିସ କଲ୍‌ ଡିଟେଲ୍‌ସ, ହ୍ବାଟ୍‌ସ୍‌ଆପ୍‌ ଓ ଅନ୍ୟାନ୍ୟ ଆପ୍‌ରୁ ତଥ୍ୟ ଯୋଗାଡ଼ରେ ଲାଗିଛି। ବିଶେଷକରି ଏହି ସନ୍ଦେହଜନକ ମାମଲାରେ ପୁଲିସ ତିନିଟି ଦିଗକୁ ନେଇ ଛାନ୍‌ଭିନ୍‌ କରୁଛି। ଅସାବଧାନତାରୁ ସୋନାଲି ଛାତ ତଳକୁ ଖସି ପଡ଼ିଥାଇପାରନ୍ତି, ବିଭୂତିଙ୍କ ସହ ଝଗଡ଼ା ହେବାରୁ ମାନସିକ ଭାରସାମ୍ୟ ହରାଇ ସେ ଆତ୍ମହତ୍ୟା କରିବାକୁ ଛାତରୁ ଡେଇଁ ପଡ଼ିଥାଇପାରନ୍ତି କିମ୍ବା ବିଭୂତି ତାଙ୍କୁ ଛାତରୁ ଠେଲି ଦେଇଥିବେ। କିନ୍ତୁ ପୁଲିସ କୌଣସି ସ୍ପଷ୍ଟ ସୂଚନା ହାତେଇ ପାରିନାହିଁ।    

Advertisment

ଗତକାଲି ରାତିରେ ପୁଲିସ ଏହି ହୋଟେଲ୍‌ କଡ଼ ଡ୍ରେନ୍‌ରୁ ସୋନାଲିଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶରୀର ଜବତ କରି ଏମ୍‌ସ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଆଜି ସକାଳେ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ଛାନ୍‌ଭିନ୍‌ କରିଛି। ସେହିଭଳି ପୁଲିସ ହୋଟେଲ୍‌ର ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଛି। ଏଥିସହିତ ହୋଟେଲ କର୍ମଚାରୀଙ୍କୁ ମଧ୍ୟ ପଚରାଉଚରା କରିଛି। ଗତକାଲି ରାତିରେ ସେମାନଙ୍କ ମଧ୍ୟରେ କେଉଁ କାରଣରୁ ଝଗଡ଼ା ହୋଇଥିଲା, ସେନେଇ ପୁଲିସ ପଚରାଉଚରା କରୁଛି। ଖୋଳତାଡ଼ରୁ ଝଗଡ଼ା ପଛର କାରଣ ବାବଦରେ ପୁଲିସ କିଛି ସୁରାକ ପାଇଥିଲେ ବି ତଦନ୍ତରେ ବାଧା ଉପୁଜିବା ଆଳରେ ପ୍ରକାଶ କରିନାହିଁ। ସେହିଭଳି ଆଜି ବ୍ୟବଚ୍ଛେଦ କରାଇବା ପରେ ମୃତଦେହକୁ ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟରୁ କିଛି ତଥ୍ୟ ମିଳିବ ବୋଲି ପୁଲିସ ଅପେକ୍ଷା କରିଛି। 

ସୋନାଲି ଏକ ଘରୋଇ ଫାଇନାନ୍ସ କମ୍ପାନିରେ କାର୍ଯ୍ୟ କରୁଥିଲେ ଏବଂ ପୋଖରୀପୁଟରେ ରହୁଥିବା ବିଭୂତିଙ୍କ ସହ ତାଙ୍କର ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ବିଭୂତିଙ୍କ ଘର ମଧ୍ୟ ନୟାଗଡ଼ରେ। ତେଣୁ ଉଭୟ ପରିବାରର ସମ୍ମତିରେ ସେମାନଙ୍କର ବାହାଘର ମଧ୍ୟ ସ୍ଥିର ହୋଇଥିଲା। ଓୟୋ କର୍ମଚାରୀଙ୍କ କହିବା ଅନୁଯାୟୀ ସେମାନେ ପ୍ରାୟ ୬ମାସ ହେଲା ଏଠାରେ ଲିଭ୍‌-ଇନ୍‌ରେ ରହୁଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ହୋଟେଲରୁ ବାହାରି ବୁଲିବାକୁ ଯାଇଥିଲେ। ରାତି ପ୍ରାୟ ୧୦ଟାରେ ଫେରିଥିଲେ। ଦିନସାରା ସବୁକିଛି ଠିକ୍‌ ଥିଲା। କିନ୍ତୁ ରାତିରେ ହୋଟେଲ୍‌କୁ ଫେରିବା ପରେ ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପ୍ରାୟ ଏକ ଘଣ୍ଟା କାଳ ସେମାନେ ପରସ୍ପରକୁ ଗାଳିମନ୍ଦ କରିଥିଲେ। ଫଳରେ ବିରକ୍ତ ହୋଇ ନିକଟ ରୁମ୍‌ର ଲୋକମାନେ ଅଭିଯୋଗ କରିବାରୁ ହୋଟେଲ କର୍ମଚାରୀମାନେ ସେମାନଙ୍କୁ ବୁଝାସୁଝା କରିବା ସହିତ ପାଟିତୁଣ୍ଡ ନ କରିବା ଲାଗି ତାଗିଦ କରିଥିଲେ। ଏହାପରେ ସେମାନେ ଛାତ ଉପରକୁ ଚାଲିଯାଇଥିଲେ। ସେଠାରେ ମଧ୍ୟ ଝଗଡ଼ା ଲାଗିଥିଲା। ଝଗଡ଼ା ଭିତରେ ହଠାତ୍ ସୋନାଲି ଛାତରୁ ଗଳିପଡ଼ିଥିଲେ ଏବଂ ଡ୍ରେନ୍‌ରେ ପଡ଼ିଥିଲେ। 

ମାଆଙ୍କ କହିବା କଥା ରାତି ୧୧ଟାରେ ସୋନାଲି ତାଙ୍କୁ ଫୋନ୍‌ କରିଥିଲେ ଏବଂ ଦେହ ଭଲ ନଥିବାରୁ ତାଙ୍କୁ ଭୁବନେଶ୍ବର ଆସି ଘରକୁ ନେଇଯିବାକୁ କହିଥିଲେ। ଏହାର କିଛି ସମୟ ପରେ ବିଭୂତି ତାଙ୍କୁ ଫୋନ୍‌ କରି ଏହି ଅଘଟଣ କଥା ଜଣାଇଥିଲା। ତେଣୁ ତାଙ୍କର ସନ୍ଦେହ ହେଉଛି ଯେ ବିଭୂତିର କୌଣସି ଲୁଚାଛପା ଅସଲ ଚେହେରା ବାବଦରେ ଜାଣିବା ପରେ ସୋନାଲି ତାଙ୍କୁ ଦେହ ଭଲ ନଥିବା ବାହାନାରେ ଡକାଇଥିଲା। ତେଣୁ ଗୁମର ଖୋଲିବା ଭୟରେ ବିଭୂତି ଏହି କାଣ୍ଡ ଭିଆଇଛି। ପୁଲିସ ଉପଯୁକ୍ତ ତଦନ୍ତ କଲେ, ସବୁ ସତ ପଦାକୁ ଆସିବ ବୋଲି ସେ ଦାବି କରିଛନ୍ତି।