ପିଏନ୍ କଲେଜର ୬୦ତମ ବାର୍ଷିକୋତ୍ସବ : କୃତଜ୍ଞତା ଦ୍ବାରା ଅହଂକାର ଦୂରେଇଯିବ

ଖୋର୍ଧା : ଖୋର୍ଧା ଏଭଳି ଏକ ସ୍ଥାନ ଯେଉଁଠିକୁ କେହି ଆସିଲେ, ସେ ଓଡ଼ିଶାର ଗୌରବମୟ ଇତିହାସ ସମ୍ପର୍କରେ ନିଶ୍ଚିତ ସଚେତନ ହେବ। ଅଧୁନା ଆମେ ସମସ୍ତେ ଇଂରାଜୀ, ବିଶ୍ବ ଇତିହାସ ଆଦି ସମ୍ପର୍କରେ ଯେତିକି ସଚେତନ, ସେତିକି ଓଡ଼ିଶାର ଇତିହାସ ସମ୍ପର୍କରେ ନୁହେଁ। ଆମେ ନିଜର ଅତୀତ ସମ୍ପର୍କରେ ସଚେତନ ହେବା ଜରୁରୀ। ପ୍ରାଣନାଥ ପଟ୍ଟନାୟକ ସ୍ବୟଂଶାସିତ ମହାବିଦ୍ୟାଳୟର ୬୦ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏଭଳି ମତବ୍ୟକ୍ତ କରିଥିଲେ। ସେହିପରି ଅହଂକାର ହେଉଛି ବ୍ୟକ୍ତିତ୍ବ ବିକାଶରେ ସବୁଠାରୁ ବଡ଼ ବାଧକ ଯାହାକୁ କୃତଜ୍ଞତା ଦ୍ବାରା ହିଁ ଦୂର କରାଯାଇପାରିବ ବୋଲି ସେ କହିବା ସହ ପିତାମାତା, ଗୁରୁଜନ, ଶିକ୍ଷକଙ୍କ ପ୍ରତି କୃତଜ୍ଞ ହେବାକୁ ଆହ୍ବାନ କରିଥିଲେ। ମହାବିଦ୍ୟାଳୟର ପରିଚାଳନା ବୋର୍ଡ ଅଧ୍ୟକ୍ଷ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ ଖୋର୍ଧା ଓ ପ୍ରାଣନାଥ ମହାବିଦ୍ୟାଳୟର ଐତିହାସିକ ଭିତ୍ତିଭୂମିର ସ୍ମୃତିଚାରଣ କରିଥିଲେ। ପ୍ରଥମ ଏଭେରେଷ୍ଟ ଆରୋହଣକାରୀ ଏଡମଣ୍ତ ହିଲାରିଙ୍କ ଉଦାହରଣ ଦେଇ ଶ୍ରୀ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ପ୍ରବଳ ଇଚ୍ଛାଶକ୍ତିର ଅଧିକାରୀ ହେବାକୁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ପୂର୍ବତନ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଯୋଗ ଦେଇ କହିଥିଲେ, ବଡ଼ ହେବାକୁ ହେଲେ ସ୍ବପ୍ନ ଦେଖିବାକୁ ହେବ। ତେବେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏଥିପାଇଁ ଛାତ୍ରଛାତ୍ରୀଙ୍କୁ ଅନୁପ୍ରାଣିତ କରିବା ଦରକାର। ସ୍ବପ୍ନ ଦେଖିବା ସହିତ ଏହାକୁ ସାକାର କରିବାକୁ ଖୁବ୍ ପରିଶ୍ରମ କରିବା ଓ ନିଜର ଚରିତ୍ର ଓ ବ୍ୟକ୍ତିତ୍ବ ବିକାଶ ଉପରେ ଛାତ୍ରଛାତ୍ରୀମାନେ ଗୁରୁତ୍ବ ଦେବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଉତ୍ତର ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି ଛାତ୍ରଛାତ୍ରୀଙ୍କୁ ସମୟର ସଦୁପଯୋଗ କରିବା, ନିଜର ପାଠପଢ଼ା ଏବଂ ସମାଜ ପାଇଁ ପ୍ରତିବଦ୍ଧ ହେବାକୁ କହିଥିଲେ।

ଏହି ଅବସରରେ ପଦ୍ମଶ୍ରୀ ପ୍ରତିଭା ରାୟଙ୍କୁ ପ୍ରାଣନାଥ ସମ୍ମାନ ଓ କବି ପ୍ରଫେସର ସୌଭାଗ୍ୟ କୁମାର ମିଶ୍ରଙ୍କୁ ରାଜ୍ୟସ୍ତରୀୟ ମଂଜରୀ ସାହିତ୍ୟ ପୁରସ୍କାର ପ୍ରଦାନ କରାଯାଇଥିଲା। ମହାବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀ, ପୂର୍ବତନ ଅଧ୍ୟକ୍ଷ, ସ୍ନାତକରେ ସର୍ବୋଚ୍ଚ ଓ ବିଭିନ୍ନ ବିଭାଗରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା। ଗବେଷଣାମୂଳକ ଲେଖା ସଂକଳନ ମଂଜରୀର ଲୋକାର୍ପଣ ହୋଇଥିଲା। ଅଧ୍ୟକ୍ଷ ମେଜର ଡ. ଦୁଷ୍ମନ୍ତ କୁମାର ରାଉତରାୟ ମହାବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲେ। କଲେଜର ପ୍ରତିବର୍ଷ ଦିଆଯାଉଥିବା ନଗଦ ଅର୍ଥ ପୁରସ୍କାର ଆଦି ଫେବ୍ରୁଆରି ୨୦ ତାରିଖରେ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ। ଅଧ୍ୟାପକ ଶୁଭେନ୍ଦୁ କୁମାର ମହାନ୍ତି ଉତ୍ସବରେ ସଂଯୋଜନା କରିଥିଲେ ଏବଂ ଡ. ପ୍ରଦୀପ କୁମାର ସାମନ୍ତରାୟ ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଏନସିସି ଛାତ୍ରଛାତ୍ରୀଙ୍କ ପକ୍ଷରୁ ମନୋରଂଜନ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ସମ୍ବନ୍ଧିତ ଖବର