ପାଚିକା ସହାୟିକା ସଂଘର ବିଶାଳ ସମାବେଶ

ଭୁବନେଶ୍ବର: ସିଆଇଟିୟୁ ନେତୃତ୍ବରେ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସହାୟିକା ସଂଘ ପକ୍ଷରୁ ଏକ ରାଜ୍ୟସ୍ତରୀୟ ବିକ୍ଷୋଭ ଆଜି ବିଧାନସଭା ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି। ମାଷ୍ଟରକ୍ୟାଣ୍ଟିନ ଛକରୁ କର୍ମୀମାନେ ଏକ ବିଶାଳ ପଟୁଆରରେ ବାହାରି ଲୋୟର ପିଏମ୍‌ଜିରେ ପହଞ୍ଚିଥିଲେ। ସେଠାରେ ଆୟୋଜିତ ଏକ ପ୍ରତିବାଦ ସଭାରେ ସାଧାରଣ ସମ୍ପାଦକ ରାଧାରମଣ ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜ୍ୟ ସରକାର ଏ ଦିଗରେ ଉଦ୍ୟମ କରିଥିଲେ ମଧ୍ୟ କେନ୍ଦ୍ର ସରକାର ଅବହେଳା କରି ଆସୁଛନ୍ତି। ତେଣୁ ସାରା ରାଜ୍ୟରେ ପାଚିକାମାନେ ରାଜ୍ୟ ସାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏଭଳି ପଦକ୍ଷେପ ବିରୋଧରେ କୁଶପୁତ୍ତଳିକା ଦାହ କରିବେ। ଏହି ଅବସରରେ ପାଚିକାମାନେ ଦାବି କରିଛନ୍ତି, ସେମାନଙ୍କୁ ୨ ହଜାର ଟଙ୍କା ଭତ୍ତା ପ୍ରଦାନ, ଛଟେଇ ପାଚିକାମାନଙ୍କୁ ପୁନଃ ନିଯୁକ୍ତି, ୨୮ ମାସର ବକେୟା ଦରମା ପ୍ରଦାନ, ବର୍ଷକୁ ଦୁଇ ଖଣ୍ଡ ଶାଢ଼ି, ଇପିଏଫ, ଇଏସଆଇ, ପେନସନ ପ୍ରଦାନ କରାଯାଉ। ଏଥିରେ ସିଆଇଟିୟୁ ସଭାପତି ଲମ୍ବୋଦର ନାୟକ, ସାଧାରଣ ସମ୍ପାଦକ ବିଷ୍ଣୁ ମହାନ୍ତି, ସମ୍ପାଦିକା ଇଷାନୀ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର