ନୂଆ ବର୍ଷରେ ଏକାମ୍ର କ୍ଷେତ୍ର ପ୍ୟାକେଜ୍ : ଜମି ଅଧିଗ୍ରହଣ ପ୍ୟାକେଜ୍‌ ଘୋଷଣା କରିବେ ମୁଖ୍ୟମନ୍ତ୍ରୀ, ଆଜି ସରିବ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ

ଭୁବନେଶ୍ବର : ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ଭାବେ ଘୋଷଣା କରାଯାଇଥିବାବେଳେ ଏବେ ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବରେ ଜୋରଦାର୍ ଉଚ୍ଛେଦ ଚାଲିଛି। ଶ୍ରୀଲିଙ୍ଗରାଜ ଥାନା, ଭଜନ ମଣ୍ଡପ ଆଦି ଭଙ୍ଗା ଯାଇଥିବାବେଳେ ଆଜି ଠାରୁ ବ୍ୟାଖ୍ୟାନ କେନ୍ଦ୍ର ଏବଂ ଥାନା କର୍ମଚାରୀଙ୍କ କ୍ବାର୍ଟର୍ସ ଭଙ୍ଗା କାମ ଆରମ୍ଭ ହୋଇଛି। ଶ୍ରୀ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ବି ଭଙ୍ଗାଯିବ। ଶୁକ୍ରବାର ମନ୍ଦିର ଚତୁଃପାର୍ଶ୍ବରୁ ଉଚ୍ଛେଦ ଶେଷ ହେବ ବୋଲି ଜଣାପଡ଼ିଛି।

ତିନି ସପ୍ତାହ ହେଲା ଶ୍ରୀଲିଙ୍ଗରାଜ ମନ୍ଦିର ଚାରିକଡ଼ୁ ଉଚ୍ଛେଦ ଜାରି ରହିଛି। ଏହି ଉଚ୍ଛେଦ ଚାଲିଥିବାବେଳେ ବିଏମ୍‌ସି କମିସନର ତଥା ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ବୁଲି ଦେଖିଥିଲେ। କିପରି ଉଚ୍ଛେଦ ହୋଇଛି, ଆଉ କିଛି ଉଚ୍ଛେଦ ହେବ କି ନାହିଁ ତାହାର ତର୍ଜମା କରିଥିଲେ। ବିଡିଏ ଉପାଧ୍ୟକ୍ଷଙ୍କ ସହ ବିଏମ୍‌ସିର ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ ଏବଂ ବିଏମ୍‌ସି ଓ ବିଡିଏର ଅଧିକାରୀମାନେ ଯୋଗଦେଇଥିଲେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ଲିଙ୍ଗରାଜ ମନ୍ଦିର ଚାରିକଡ଼ୁ ଉଚ୍ଛେଦ ଶେଷ ହେବା ପରେ ଏଠାରେ ଥିବା କଙ୍କ୍ରିଟ ଆବର୍ଜନାକୁ ଦୁଇରୁ ତିନିଦିନ ମଧ୍ୟରେ ଉଠାଯିବ। ଏହାପରେ ରାସ୍ତା ପ୍ରଶସ୍ତୀକରଣ ଏବଂ ମନ୍ଦିର ଚାରିକଡ଼ ସୌନ୍ଦର୍ଯ୍ୟୀକରଣ ପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟ ଅନୁଯାୟୀ ଜମି ଅଧିଗ୍ରହଣ ହେବ। ଏନେଇ ନୂଆବର୍ଷ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆର୍ଥିକ ପ୍ୟାକେଜ୍ ଘୋଷଣା କରିବେ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଐତିହ୍ୟ ସହର ପାଇଁ ଯେଉଁ ବ୍ଲୁ ପ୍ରିଣ୍ଟ ଦେଖାଯାଇଛି ତାହା ଅଧା। ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ବାକି ବ୍ଲୁ ପ୍ରିଣ୍ଟ ଏବଂ ଥଇଥାନ ପ୍ୟାକେଜ୍‌ ଘୋଷଣା କରିବେ। ଏଥିରେ ମୁଖ୍ୟତଃ ରାସ୍ତା ପ୍ରଶସ୍ତୀକରଣ ଲାଗି ଅଧିଗ୍ରହଣ ହେବାକୁ ଥିବା ଜମି ପାଇଁ ସରକାର କେତେ ଜମି ଅଧିଗ୍ରହଣ କରିବେ, ଏଥିପାଇଁ କେତେ ଟଙ୍କା କ୍ଷତିପୂରଣ ଦେବେ, ସ୍ବଇଚ୍ଛାରେ ଜମି ଦାନ କଲେ କେତେ ଟଙ୍କା ଅଧିକ ମିଳିବ, ଏଠାରେ ଏକର ପିଛା କେତେ ଟଙ୍କା ଦିଆଯିବ, ଯେଉଁମାନଙ୍କ ଘର ଭାଙ୍ଗିବ ସେମାନଙ୍କୁ କେଉଁଠି ଥଇଥାନ କରାଯିବ, ଏଥିପାଇଁ ରାଜ୍ୟ ସରକାର କେତେ ଜମି ଓ କେତେ ଟଙ୍କା ଦେବେ, ପୂର୍ବରୁ ଯେଉଁ ପ୍ରକଳ୍ପ ହେବ ବୋଲି ଘୋଷଣା ହୋଇଛି ସେନେଇ କେତେ ଟଙ୍କା ଖର୍ଚ୍ଚ ହେବ, ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ବ ଓ ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହରରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିବାକୁ ଥିବା ଟଙ୍କା କେଉଁଠୁ ଆସିବ ସେନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ।

ସେହିପରି ଶ୍ରୀ ଲିଙ୍ଗରାଜ ମନ୍ଦିର ପଛ ପାର୍ଶ୍ବରେ ଥିବା ରାସ୍ତାକୁ ଓସାର କରାଯିବ। ଏହା ଦୁଇ ଥାକିଆ ରାସ୍ତା ହେବ। ମୈତ୍ରେଶ୍ବର ମନ୍ଦିର ନିକଟରୁ ବାହାରି ବିଏମ୍‌ସି ହସ୍ପିଟାଲ ସମ୍ମୁଖ, ବିଏମ୍‌ ହାଇସ୍କୁଲ ଖେଳ ପଡ଼ିଆ ଦେଇ ମହତାବ ରୋଡରେ ମିଶି କେଉଟ ସାହି ଛକ ପର୍ଯ୍ୟନ୍ତ ଯିବ। ଏହି ରାସ୍ତାରେ ଗାଡ଼ି ଯାତାୟାତ ସୁବିଧା ସହ ଶ୍ରଦ୍ଧାଳୁମାନେ ଯେପରି ମନ୍ଦିର ପରିକ୍ରମା କରିବେ ସେଥିପାଇଁ ସ୍ବତନ୍ତ୍ର କରିଡର ରହିବ। ଏଥିପାଇଁ କେତେ ଜମି ଅଧିଗ୍ରହଣ ହେବ, କେତେ ଘର ଭଙ୍ଗା ହେବ, କେତେ ଦିନ ସମୟ ଦିଆଯିବ ସେନେଇ ପୂର୍ତ୍ତ ବିଭାଗ ଓ ବିଡିଏ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇସାରିଥିବାବେଳେ ଏହାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିବେ। ସେହିପରି ମନ୍ଦିର ସମ୍ମୁଖରେ କିଛି ଗାଡ଼ି ଯାତାୟାତ କରିବନି। ଯେଉଁମାନଙ୍କର ଏହି ଅଞ୍ଚଳ ଭିତରେ ଘର ଥିବ ସେମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପାସ୍‌ ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

ସମ୍ବନ୍ଧିତ ଖବର