ଭୁବନେଶ୍ବର : ଗତବର୍ଷ ବାତ୍ୟା ଫନି ଉଜାଡ଼ିଥିଲା। ଏ ବର୍ଷ ଅଦିନିଆ ବର୍ଷା ଦାଉ ସାଧିଲା। କଟା ହୋଇ ବିଲରେ ପଡ଼ିଥିବା ଧାନ ପାଣିରେ ଭାସିଲା। ଚାଷୀ କଷ୍ଟେମଷ୍ଟେ କଟା ଧାନକୁ ପାଣିରୁ ଛାଣିଥିଲେ ବି ବିପୁଳ ପାଚିଲା ଧାନ କ୍ଷତିଗ୍ରସ୍ତ ହୋଇଛି। ସେହିଭଳି ପବନ ଓ ବର୍ଷାରେ ପରିବା ଚାଷ ମଧ୍ୟ ନଷ୍ଟ ହୋଇଥିବାରୁ ପରିବା‌ ଚାଷୀମାନେ କ୍ଷତି ସହିବାକୁ ବାଧ୍ୟ ହୋଇଛନ୍ତି। ତେଣୁ ବାତ୍ୟା ଫନିକୁ ଠିକ୍‌ ବ‌ର୍ଷେ ପୂରିବା ବେଳକୁ ଏ ଅଦିନିଆ ବର୍ଷା ପୁଣି ଚାଷୀମାନଙ୍କୁ ଗତବର୍ଷର ସ୍ମୃତିକୁ ମନେ ପକାଇ ଦେଇଛି।

Advertisment

ଦୁଇଦିନ ଧରି ହୋଇଥିବା ଅଦିନିଆ ବର୍ଷା ପାଇଁ ରାଜଧାନୀ ଉପକଣ୍ଠରେ ବ୍ୟାପକ ପରିବା ଓ ଧାନ ଫସଲ ନଷ୍ଟ ହୋଇଛି। ଗୁରୁବ‌ାର ରାତି ଓ ଶୁକ୍ରବାର ସନ୍ଧ୍ୟାରେ ହୋଇଥିବା ପ୍ରବଳ ବର୍ଷା ଓ ପବନ ଚାଷୀମାନଙ୍କୁ ବେଶ୍ ଆଘାତ ଦେଇଛି। ଚନ୍ଦକା ଥାନା ଛତାବର ଅଞ୍ଚଳରେ ଦୁର୍ଗାପୁର, ହରେକୃଷ୍ଣପୁର ଓ ଅରିଶଲ ଆଦି ଗାଁରେ ପ୍ରାୟ ୫୦ଏକର ଭଳି ଖରାଦିନିଆ ଧାନ ନଷ୍ଟ ହୋଇଛି। ଚଳିତ ବର୍ଷ ଚାଷୀମାନେ ସମ୍ରାଟ୍‌ କିସମର ଧାନ କରିଥିଲେ ଓ ଭଲ ଫସଲ ହୋଇଥିଲା। କିଛି ଚାଷୀ ଧାନ କାଟି ବିଲରେ ପକାଇଥିଲେ ଓ ଦିନେ ଦୁଇ ଦିନ ଭିତରେ ଖଳାକୁ ଆଣିଥାଆନ୍ତେ। ମାତ୍ର ବର୍ଷା ପାଇଁ ବିଲରେ ପାଣି ଜମିଗଲା ଓ କଟା ଧାନ ପାଣିରେ ଭାସି ନଷ୍ଟ ହୋଇଛି। ଚାଷୀ ଆଶୋକ ସ୍ବାଇଁ, ପ୍ରସନ୍ନ ମାଝୀ, କମ୍ପାନି ରାଉତରାୟ, ବୈକୁଣ୍ଠ ପରିଡ଼ାଙ୍କ କହିବା କଥା ଧାରକରଜ କରି ସେମାନେ ଏହି ଫସଲ କରିଥିଲେ ଓ ଆଉ ଦିନ କେଇଟା ପରେ ଅମଳ କରି କରଜମୁକ୍ତ ହୋଇଥାନ୍ତେ। ମାତ୍ର ଅଦିନିଆ ବର୍ଷା ସବୁ ଉଜାଡ଼ି ଦେଇଥିବାରୁ ସେମାନେ ଖରିଫ୍ ଧାନ ଚାଷ ପାଇଁ ସମସ୍ୟାରେ ପଡ଼ିବେ। ତେବେ ଆଜି ସ୍ଥାନୀୟ କୃଷି ସମ୍ପ୍ରସାରଣ ଅଧିକାରୀ କ୍ଷତିଗ୍ରସ୍ତ ଜମି ବୁଲି ଦେଖିଛନ୍ତି ଓ ଯଦି କିଛି ସରକାରୀ ସହାୟତା ମିଳିବ, ତେବେ ସେମାନେ ଉପକୃତ ହୋଇପାରି‌ବେ ବୋଲି ଆଶା ବାନ୍ଧିଛନ୍ତି। ସେହିଭଳି ଚନ୍ଦକା ଦାସପୁର ଅଞ୍ଚଳରେ ବ୍ୟାପକ ପରିବା ଚାଷ ନଷ୍ଟ ହୋଇଛି। କାକୁଡ଼ି, ପୋଟଳ, କଖାରୁ କିଆରିରେ ପାଣି ଜମିଥିବା ବେଳେ ବାଇଗଣ ଓ ଭେଣ୍ଡି ଗଛ ପବନରେ ଭାଙ୍ଗିପଡ଼ି ନଷ୍ଟ ହୋଇଛି। ଫଳଭରା ଗଛ ପାଣିରେ ବୁଡ଼ି ଯିବାରୁ ବ୍ୟାପକ କ୍ଷତି ହୋଇଛି। ଚାଷୀ ନୀଳମଣି ନାଥଙ୍କ କହିବା ଅନୁସାରେ ଗତ ବର୍ଷ ବାତ୍ୟା ଫନି ପାଇଁ ପରିବା ଚାଷରୁ ସେମାନେ କିଛି ବି ପାଇନଥିଲେ। ଚଳିତ ବର୍ଷ ମଧ୍ୟ ଅଦିନିଆ ବର୍ଷା ଠିକ୍‌ ଫଳ ଅମଳ ହେବା ବେଳକୁ ତଣ୍ଟିରେ ଠିଆ ହୋଇଛି।