ବିଲରେ ଶୋଇଲା ପାଚିଲା ଧାନ

ଚାଷୀଙ୍କ ଉପରେ ଦାଉ ସାଧିଲା ଲଘୁଚାପ ବର୍ଷା

ବାଲିଅନ୍ତା/ବାଲିପାଟଣା : ଜଉ ପୋକ, ଚକଡ଼ା ପୋକଙ୍କ ଦାଉରୁ ଚାଷୀକୂଳ ରକ୍ଷା ପାଇ ନଥିବା ବେଳେ ଏବେ ସେମାନଙ୍କ ଉପରେ ଦାଉ ସାଧିଛି ଲଘୁଚାପ ବର୍ଷା। ଦୁଇଦିନ ଧରି ବର୍ଷା ଲାଗି ରହିବା ଫଳରେ ବାଲିଅନ୍ତା ବ୍ଲକ୍‌ ଅଞ୍ଚଳରେ ହଜାର ହଜାର ହେକ୍ଟର ଖରିଫ୍‌ ଧାନଫସଲ ସଂପୂର୍ଣ୍ଣ ଉଜୁଡ଼ିଯିବା ପରିସ୍ଥିତି ସୃଷ୍ଟି ହୋଇଛି। ଜଉପୋକ ଆକ୍ରାନ୍ତ ଧାନ ଗଛ ମୂଳ ଦୁର୍ବଳ ହୋଇପଡ଼ିଥିବା ଧାନଗଛ ମାଟିରେ ମିଶିଯାଇଛି। ସେହିପରି ବାଲିପାଟଣା ବ୍ଲକ୍‌ରେ ଆଜି ସକାଳ ୮ଟା ସୁଦ୍ଧା ୬.୨ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। କିନ୍ତୁ ସକାଳ ୮ଟା ପରଠାରୁ ପ୍ରବଳ ବର୍ଷା ହୋଇଥିବାରୁ ଏହା ପ୍ରାୟ ୧୫ ରୁ ୨୦ମିମି ହେବାର ଅନୁମାନ କରାଯାଉଛି। ବିଲରେ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଛି। ଏହି ବ୍ଲକରେ ଚଳିତ ବର୍ଷ ଭଲ ଧାନ ଫସଲ ହୋଇଥିଲା। ପ୍ରାୟ ୮୦ ପ୍ରତିଶତ ଧାନ କ୍ଷେତରେ ଧାନ ପାଚିଯାଇଥିଲା। ବର୍ଷା ହେବା ଫଳରେ ଗଛ ତଳେ ଶୋଇ ପଡ଼ିଛି। ଯଦି ବର୍ଷା ଲାଗିରହେ ତେବେ ୩ ଦିନରେ ଏହି ଧାନ ସବୁ ଗଜା ହୋଇଯିବା ନିଶ୍ଚିତ ବୋଲି ଚାଷୀଙ୍କ ମହଲରେ ଭାଳେଣି ପଡ଼ିଛିି।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ମଙ୍ଗଳବାରଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ ଅନୁଯାୟୀ ଏହି ବର୍ଷା ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ। ଏପରି ହେଲେ ବିଲରେ ତଳେ ପଡ଼ିଯାଇଥିବା ଧାନ ଗଛ ନଷ୍ଟ ହୋଇଯିବ। ବାଲିଅନ୍ତା ବ୍ଲକ୍‌ରେ ଅନେକ ଖାଲୁଆ ଜମିରୁ ବର୍ଷାପାଣି ଠିକ୍‌ ଭାବେ ନିଷ୍କାସିତ ହୋଇ ନପାରି କିଆରିରେ ପାଣି ଜମି ରହିିଛି। ଯଦି ଆଉ ଅଧିକ ବର୍ଷା ଲାଗି ରହେ ତେବେ କ୍ଷେତରେ ପଡ଼ି ଯାଇଥିବା ପାଚିଲା ଧାନ ନଷ୍ଟ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସେହିପରି କେତେକ ସ୍ଥାନରେ ରବି ଫସଲ ପାଇଁ ଧାନ କଟା ସରିଛି। ବିଲରେ କଚଡ଼ା ପଡ଼ି ରହିଛି। ଚାଷୀମାନେ ଧାନ ଖଳାକୁ ଆଣିପାରି ନଥିବା ସୂଚନା ମିଳିଛି। ବାଳକାଟି ଓ ଭିଙ୍ଗାରପୁରସ୍ଥିତ କୃଷି କାର୍ଯ୍ୟାଳୟ ପକ୍ଷରୁ ପ୍ରାଥମିକ ଭାବେ ୧୬ ଶହ ଏକର ଜମିରେ ଜଉପୋକ ଜନିତ ଫସଲ କ୍ଷତି ଘଟିଥିବା ଆକଳନ କରି ଜିଲ୍ଲାପାଳ ଓ ଜିଲ୍ଲା କୃଷି ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ବିଶେଷଜ୍ଞମାନେ ବିଶେଷ କରି ପୂରଣ ପଧାନ, ସରକଣା, ଝିଣ୍ଟିଶାସନ ଓ ପ୍ରତାପଶାସନ ପଞ୍ଚାୟତ ସମେତ ଅନ୍ୟ ମୌଜାରେ ଧାନଫସଲରେ ଏଭଳି କ୍ଷତି ଆକଳନ କରି ସବିଶେଷ ତଥ୍ୟ ସରକାରଙ୍କୁ ପ୍ରଦାନ କରି ସାରିଛନ୍ତି। ଏହି ଏତଦ୍‌ବ୍ୟତୀତ ଢିପ ଜମି ଓ ନଦୀପଠାରେ ଚାଷୀମାନେ କରିଥିବା ପ୍ରାୟ ୫୦ ଏକର ପନିପରିବା ଫସଲ ମଧ୍ୟ ପ୍ରଭାବିତ ହୋଇଥିବା କୃଷି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ବାଲିପାଟଣା ବ୍ଲକ୍‌ରେ ଶାରଳା, ପୂଜା, ମହେଶ୍ୱରୀ, ସ୍ୱର୍ଣ୍ଣ ମସୁରି, ସମଲାଇ ଭଳି ଛୋଟ ଧାନ ପାଚିଗଲାଣି। ସେହିପରି ବର୍ଷା, ହଜାରେ ନଅ, ହଜାରେ ଅଠର, ପ୍ରତୀକ୍ଷା, ପଦ୍ମିନୀ, ସମ୍ରାଟ, ହଜାରେ ଚଉଦ ଭଳି ବଡ଼ଧାନ ଦରପାଚିଲା ହୋଇଯାଇଛି। ଯଦି ବର୍ଷା ଲାଗି ରୁହେ ତେବେ ୩ଦିନରେ ଧାନ ସବୁ ଗଜା ହୋଇଯିବ ବୋଲି ଚାଷୀଙ୍କ ମହଲରେ ଆଶଙ୍କା ପ୍ରକାଶ ପାଇଛି। ବର୍ଷା ଛାଡ଼ିଯିବା ପରେ ପାଣି ଖାଇଥିବା ଧାନ କେଣ୍ଡାରେ ଖରା ବାଜିଲା ମାତ୍ରକେ ଧାନ ଓ ଧାନପାଖୁଡ଼ା ବିଲରେ ଝଡ଼ିଯିବ। ଯେତେ ଯତ୍ନରେ ଧାନ କାଟିଲେ ବି ଏକରକୁ ନିଶ୍ଚିତ ଭାବେ ୫ରୁ ୧୦ଗଉଣି ଧାନ ବିଲରେ ଝଡ଼ିବା ନିଶ୍ଚିତ ବୋଲି ବୋଲି ସରିପୁରର ଚାଷୀ ରବୀନ୍ଦ୍ର ଭୋଳ କହିଛନ୍ତି।

ସମ୍ବନ୍ଧିତ ଖବର