ମିଲର୍ସ ମନମାନୀରେ ମଣ୍ଡି

ଖଣ୍ଡଗିରି : ମିଲର୍ସ ମନମାନୀରେ ଚାଲିଛି ଧାନ ମଣ୍ଡି। ମନ ହେଲେ ପାଳି ଅନୁସାରେ ଚାଷୀଙ୍କଠାରୁ ଧାନ କିଣାହେଉଛି, ନହେଲେ ନାହିଁ। ମିଲର୍ସ ଉପରେ ଯୋଗାଣ ବିଭାଗର କି ସେବା ସମବାୟ ସମିତିର ନିୟନ୍ତ୍ରଣ ନାହିଁ। ସମସ୍ତେ ହାତ ଟେକି ଦେଉଥିବା‌ ଅଭିଯୋଗ ହେଉଛି। ଫଳରେ ଚାଷୀମାନେ ସପ୍ତାହେ ହେଲା ମଣ୍ଡିରେ ଧାନ ବସ୍ତା ଜଗି ବସିଛନ୍ତି। ଖୋଦ୍ ରାଜଧାନୀ ଉପକଣ୍ଠ ଚନ୍ଦକାରେ ହିଁ ଦେଖିବାକୁ ମିଳିଛି ଏମିତି ଦୃଶ୍ୟ। ଚନ୍ଦକା ସମିତି ସଭ୍ୟ ସୂର୍ଯ୍ୟକାନ୍ତ ସାମନ୍ତରାୟଙ୍କ ଅଭିଯୋଗ ଅନୁସାରେ ମିଲର୍ସଙ୍କ ମନମାନୀ ଓ ପ୍ରଶାସନିକ ଅବହେଳା ପାଇଁ ଏହି ମଣ୍ଡିରେ ଗତ ସପ୍ତାହରୁ ଚାଷୀମାନେ ଧାନ ବସ୍ତା ଜଗି ବସିଛନ୍ତି। ନିୟମାନୁସାରେ ପ୍ରତି ଶନିବାର ମଣ୍ଡି ଖୋଲାଯିବା କଥା। କିନ୍ତୁ ଗତ ଶନିବାର ଚାଷୀମାନଙ୍କୁ ପୂର୍ବ ସୂଚନା ନ ଦେଇ ମଣ୍ଡି ବନ୍ଦ କରାଗଲା। ଫଳରେ ଧାନ ନେଇ ମଣ୍ଡିକୁ ଆସିଥିବା ଚାଷୀମାନେ ସମସ୍ୟାରେ ପଡ଼ିଗଲେ। କିଛି ଚାଷୀ ପରିବହନ ଖର୍ଚ୍ଚକୁ ଡରି ସେହି ମଣ୍ଡିରେ ହିଁ ଧାନ ରଖି ଜଗି ରହିବାକୁ ବାଧ୍ୟ ହୋଇଛନ୍ତି। ଏ ନେଇ ଚନ୍ଦକା ସେବା ସମବାୟ ସମିତି ସମ୍ପାଦକଙ୍କ କହିବା କଥା ଶନିବାର ବର୍ଷାକୁ ଡରି ମିଲର୍ସ ଧାନ ଉଠାଇବାକୁ ମନା କଲା। ଫଳରେ ଏ ସମସ୍ୟା ସୃଷ୍ଟି ହୋଇଛି। ତେବେ ଶନିବାର ପାଳି ପାଇଁ ମଙ୍ଗଳବାର ଧାନ ଉଠିବ ବୋଲି ସେ ସୂଚନା ଦେଇଛନ୍ତି। କିନ୍ତୁ ଚାଷୀମାନଙ୍କ ଅଭିଯୋଗ ଯେ ଶନିବାର ସକାଳୁ ବର୍ଷା ହୋଇଥିଲେ ବି ୧୦ଟାବେଳକୁ ପାଗ ବଦଳି ଯାଇଥିଲା। ତେଣୁ ଚାଷୀମାନଙ୍କ ହିତ ଦୃଷ୍ଟିରୁ ସମ୍ପାଦକ ମିଲର୍ସକୁ ବାଧ୍ୟ ନ କରି ଚୁପ୍ ରହିବାରୁ ସେମାନେ ଶୀତକାକରରେ ମଣ୍ଡିରେ ପଡ଼ି ରହିବାକୁ ବାଧ୍ୟ ହୋଇଛନ୍ତି। ସେହିଭଳି ଯୋଗାଣ ବିଭାଗ ମଧ୍ୟ ମଣ୍ଡି ବ୍ୟବସ୍ଥାକୁ ଠିକରେ ତଦାରଖ କରୁ ନଥିବାରୁ ଚାଷୀମାନେ ଏଭଳି ହିନସ୍ତା ହୋଇଥିବା ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର