ପାଢ଼ୀ ବାର୍ କର୍ମଚାରୀ ହତ୍ୟା ମାମଲା: ଆତ୍ମଘୋଷିତ ‘ଡନ୍’ ମିକୁ ସହ ୬ ଗିରଫ

କାହିଁକି ମିକୁ ଗ୍ୟାଙ୍ଗର ଶିକାର ହେଲେ ଅମିୟ

ଖୋର୍ଦ୍ଧା: ଭୁବନେଶ୍ବର ନୂଆପଲ୍ଲୀର ଡନ୍ ସେ। ତା ନାଁ ଶୁଣିଲେ ଇଲାକାର ଲୋକେ ଡରରେ ଥରହର ହେଉଛନ୍ତି। ଭାଇ ବୋଲି ସଲାମ ଠୁଙ୍କୁଛନ୍ତି। ବିଏମ୍‌ଡବ୍ଲ୍ୟୁ ଓ ଅଡି କାର୍‌ରେ ବୁଲୁଛି। ଏଭଳି ଲୋକକୁ ଏକ ବାର୍‌ର ସାଧାରଣ ସୁରକ୍ଷା କର୍ମୀଟିଏ ତାଗିଦ୍‌ କରିବ? କଦାପି ନୁହେଁ, ତାକୁ ଓ ବାର୍ ମାଲିକକୁ ଚେତାଇ ଦେବାକୁ ପଡ଼ିବ ସେ ଡନ୍ ବୋଲି। ବାସ୍‌, ଏଇଆ ଭାବି ଗତ ୧୪ ତାରିଖରେ ଖୋର୍ଦ୍ଧା ଉପକଣ୍ଠ ପାଢ଼ୀ ବାର୍‌ର ଜଣେ ସୁରକ୍ଷା କର୍ମୀ ଅମିୟ ବେହେରାଙ୍କୁ ଅତି ନୃଶଂସ ଭାବେ ହତ୍ୟା କରିଥିଲେ ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁ ଓ ତାଙ୍କର ସହଯୋଗୀ ଅମିତ।
ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇ ଖୋର୍ଦ୍ଧା ଏସ୍‌ପି ଅଜୟ ପ୍ରତାପ ସ୍ବାଇଁ କହିଛନ୍ତି ଯେ ହତ୍ୟା କରିବା ଘଟଣାରେ ପୁଲିସ ୨୪୩/୨୦୨୦ରେ ମାମଲା ରୁଜୁ କରିଥିଲା। ଏହା ପରେ ୪ଟି ଟିମ୍ ଗଠନ କରି ତୁରନ୍ତ ଅନୁସନ୍ଧାନ ଆରମ୍ଭ କରାଯାଇଥିଲା। ବାର୍‌ରେ ଲାଗିଥିବା ଦୁଇଟି ସିସିଟିଭି ଫୁଟେଜ୍‌କୁ ପ୍ରମାଣ ସ୍ବରୂପ ନେଇ ହତ୍ୟାକାରୀଙ୍କୁ ଚିହ୍ନଟ କରାଯାଇଥିଲା। ହତ୍ୟାକାରୀଙ୍କ ସହ ଭୁବନେଶ୍ବର ଲିଙ୍କ୍‌ ମିଳିବା ପରେ ଭୁବନେଶ୍ବର ପୁଲିସ ସହ ଯୋଗାଯୋଗ କରି ସେମାନଙ୍କ ମୋବାଇଲ୍ ନମ୍ବର ଟ୍ରାକ୍ କରିବା ଆରମ୍ଭ କରିଥିଲା।

ସାଢେ଼ ୬ଟାରେ ଅମିୟଙ୍କୁ ହତ୍ୟା କରିବା ପରେ ୪ଜଣ ମିକୁ ଓ ତାଙ୍କ ଭାଇ ଧନଞ୍ଜୟ ନାୟକ ଓରଫ ଚିକୁ, ଅମିତ କୁମାର ପ୍ରଧାନ, ନନ୍ଦନ କୁମାର ବେହେରା ଓରଫ ଗଗନ ବିଏମ୍‌ଡବଲ୍ୟୁ କାର୍‌ରେ ଅମିତର ପୈତୃକ ଘର ଟିକାବାଲି ଯିବାକୁ ବାହାରିଥିଲେ। ତେବେ ପୁଲିସ୍‌ ସେମାନଙ୍କ ମୋବାଇଲ୍ ଟ୍ରାକିଂ ଓ ବିଏମ୍‌ଡବଲ୍ୟୁ କାର୍‌ର ଜିପିଏସ୍‌ ଟ୍ରାକିଂ କରି ବୌଦ୍ଧ, କନ୍ଧମାଳ ଓ ନୟାଗଡ଼ର ସମସ୍ତ ରାସ୍ତାରେ ନାକାବନ୍ଦୀ କରିଥିଲା। ଏହା ଜାଣି ପାରି ସେମାନେ ସୁନାଖଳା ଦେଇ ଦଶପଲ୍ଲା ମଧ୍ୟକୁ ପ୍ରବେଶ କରିଥିଲେ। ରାତିଟା ରଣପୁର–ଦଶପଲ୍ଲା ଜଙ୍ଗଲରେ କଟାଇ ଭୋର୍‌ରୁ ପୁଣି ଜାତୀୟ ରାଜପଥ ଦେଇ ଖସିଯିବାକୁ ଯୋଜନା କରିଥିଲେ। ତେବେ ପୁଲିସ ସେମାନଙ୍କ ପିଛା କରି ରଣପୁର ନିକଟରେ ସେମାନଙ୍କୁ ଧରିଥିଲା। ସେମାନଙ୍କ ନିକଟରୁ ୨ଟି ଛୁରି, ରକ୍ତଭିଜା ପୋଷାକ ଆଦି ଜବତ କରାଯାଇଛି। ସେମାନଙ୍କୁ ପଚରାଉଚରାରେ ଖୋର୍ଦ୍ଧା ସହରର ଆଉ ଦୁଇଜଣ ସାମିଲ ଥିବା ଜଣାପଡ଼ିଥିଲା। ଏହାପରେ ଖୋର୍ଦ୍ଧାର ଦଳେଇପୁଟରୁ ରାକେଶ କୁମାର ସାହୁ ଓରଫ ନିଲୁ ଏବଂ ଲୋକେଶ୍ବରପୁରରୁ ଦେବକାନ୍ତ ଦାସ ଓରଫ ବାପିନାକୁ ଗିରଫ କରିଥିଲେ।

ସେମାନଙ୍କ ନିକଟରୁ ବିଏମ୍‌ଡବଲ୍ୟୁ କାର୍, ଗୋଟିଏ ପଲ୍‌ସର୍‌ ମୋଟର ସାଇକେଲ, ୯ଟି ମୋବାଇଲ୍ ଫୋନ୍, ରକ୍ତଭିଜା ଛୁରି, ରକ୍ତଭିଜା ପୋଷାକ ଆଦି ଜବତ କରାଯାଇଛି। ସେମାନେ ନିଜର ଅପରାଧକୁ ସ୍ବୀକାର କରିଛନ୍ତି। ହତ୍ୟାକାଣ୍ତର ପ୍ରତ୍ୟକ୍ଷଦର୍ଶୀଙ୍କୁ ନେଇ ଅଭିଯୁକ୍ତଙ୍କ ଟିଆଇ ପରେଡ୍ କରାଯିବ। ସେମାନଙ୍କୁ ରିମାଣ୍ତରେ ଅଣାଯିବ ନାହିଁ ବୋଲି ଏସ୍‌ପି ଶ୍ରୀ ସ୍ବାଇଁ କହିଛନ୍ତି। ଏହାସହ ଏସ୍‌ପି କହିଛନ୍ତି ଯେ ସେମାନଙ୍କ ବିରୋଧରେ ନୂଆ‌ପଲ୍ଲୀ ଥାନାରେ ଏକାଧିକ ହତ୍ୟା ଓ ଅନ୍ୟ ଆପରାଧିକ ମାମଲା ରହିଛି। ଯେଭଳି ରେକର୍ଡ କମ୍ ସମୟ ମଧ୍ୟରେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଛୁ, ସେଭଳି ୧ ମାସ ମଧ୍ୟରେ ତଦନ୍ତ ଶେଷ କରି ଚାର୍ଜସିଟ୍ ଦାଖଲ କରାଯିବ ବୋଲି ଏସ୍‌ପି କହିଛନ୍ତି।

ନୂଆପଲ୍ଲୀର ମୃତ୍ୟୁଞ୍ଜୟ ନାୟକ ଓରଫ ମିକୁ, ଅମିତ କୁମାର ପ୍ରଧାନ(୨୩), ନୂଆପଲ୍ଲୀ ହୋଟେଲ୍ ହଂସର ଝାଡ଼ୁଦାର ନନ୍ଦନ କୁମାର ବେହେରା ଓରଫ ଗଗନ (୨୦) ତିନିଜଣ ପାଢ଼ୀ ବାର୍ ଓ ରାସ୍ତୋରାଁ ସମ୍ମୁଖରେ ନିଜର ବିଏମ୍‌ଡବ୍ଲ୍ୟୁ କାର୍ ରଖି ମଦ କିଣିବାକୁ ଓହ୍ଲାଇଥିଲେ। ଏହା ଦେଖି ସେଠାରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିବା ଅମିୟ ବାରିକ(୪୮) ତାଙ୍କୁ ଗାଡ଼ି ଯଥା ସ୍ଥାନରେ ପାର୍କିଂ କରିବାକୁ କହିଥିଲା। ଏଥିରେ ମିକୁ ଅପମାନିତ ମନେ କରିଥିଲା। ଏହାକୁ ନେଇ ଅମିୟ ସହ ତିନିଜଣଙ୍କ ବଚସା ଓ ପରେ ଠେଲାପେଲା ହୋଇଥିଲା। ଏହା ଦେଖି ବାର୍‌ର ଅନ୍ୟ କର୍ମଚାରୀମାନେ ସେଠାକୁ ଆସିବା ଦେଖି ସେମାନେ ଚାଲି ଯାଇଥିଲେ। ଖୋର୍ଦ୍ଧା ନବୀନାବାଗର ନିଶା ନିବାରଣ କେନ୍ଦ୍ରରେ କର୍ମଚାରୀ ଥିବା ମିକୁର ବଡ଼ଭାଇ ଧନଞ୍ଜୟ ନାୟକ ଓରଫ ଚିକୁ (୨୮)ଙ୍କ ନିକଟକୁ ଯାଇଥିଲେ। ସେଠାରେ ମିକୁ ନିଜର ବଡ଼ଭାଇକୁ ସମସ୍ତ ଘଟଣା କହିବା ପରେ ଅମିୟକୁ ‘ପାନେ ଦେବା’ ପାଇଁ ଯୋଜନା କରିଥିଲେ। ଏହାପରେ ଚିକୁ ଖୋର୍ଦ୍ଧା ଦଳେଇପୁଟରେ ରହୁଥିବା ରାକେଶ ସାହୁ ଓରଫ ନିଲୁ (୨୩) ଓ ଲୋକେଶ୍ବରପୁରରେ ରହୁଥିବା ଦେବକାନ୍ତ ଦାସ ଓରଫ ବାପିନା (୨୫)କୁ ଫୋନ୍ କରି ଡାକିଥିଲେ। ଏହାପରେ ବାପିନା ଓ ନିଲୁ ଖୋର୍ଦ୍ଧାର ଏକ ଲୁହା ସରଞ୍ଜାମ ଦୋକାନରୁ ଦୁଇଟି ଛୁରି କିଣିଥିଲେ। ସନ୍ଧ୍ୟା ୫ଟା ୪୦ରେ, ବିଏମ୍‌ଡବଲ୍ୟୁ କାର୍ ଓ ଏକ ପଲ୍‌ସରରେ ଛଅ ଜଣ ପୁଣି ପାଢ଼ୀ ବାର୍ ପାଖରେ ପହଞ୍ଚିଥିଲେ। କାର୍‌ରୁ ଓହ୍ଲାଇ ଅମିତ ଓ ମିକୁ ବାର୍ ବାହାରେ ବସିଥିବା ଅମିୟ ଓ ସୁନିଲ ଆଡ଼କୁ ଦୌଡ଼ି ଯାଇଥିଲେ। ଉଭୟ ଆକ୍ରମଣକାରୀଙ୍କ ଉଗ୍ରରୂପ ଦେଖି ସେଠାରୁ ଦୌଡ଼ି ଚାଲିଯିବାକୁ ଚେଷ୍ଟା କରିବା ବେଳେ ଅମିୟ ଭାରସାମ୍ୟ ହରାଇ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଅମିତ ଛୁରିରେ ଅମିୟଙ୍କ ମୁଣ୍ତ ପଛପଟକୁ ଆଘାତ କରିଥିଲା। ପରେ ଅମିତ ୨ଥର ପିଠି ଓ ଛାତିକୁ ଭୁଶି ଦେଇଥିଲା। ଏହାପରେ ମିକୁର ବର୍ବରତା ସୀମା ଟପି ଯାଇଥିଲା। ତଳେ ପଡ଼ି ଛଟପଟ ହେଉଥିବା ଅମିୟଙ୍କୁ ଥରେ ୧୪ଥର ଛୁରି ଭୁଶି ଚାଲିଥିଲା।

ଦାମୀ ଗାଡ଼ିର ମୋହ ଧରାଇଦେଲା
ବିଏମ୍‌ଡବ୍ଲ୍ୟୁଟି ହରିଆନା ପଞ୍ଜୀକୃତ ଥିବାରୁ ବାହାର ରାଜ୍ୟର ଅପରାଧୀ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଥିଲା। ତେବେ ପୁଲିସର ଅନୁସନ୍ଧାନ ବେଳେ କେବଳ ବିଏମ୍‌ଡବ୍ଲ୍ୟୁ ନୁହେଁ ଏକ ଅଡି କାର୍ ମଧ୍ୟ ସେମାନଙ୍କ ନୟାପଲ୍ଲୀ ବାସଭବନରୁ ଠାବ କରାଯାଇଛି। ହତ୍ୟା କରିବା ପରେ ସେମାନେ ସେଠାରୁ ଫେରାର୍ ହୋଇଯିବା ଓ ୫ ଘଣ୍ଟା ମଧ୍ୟରେ ସେମାନେ ଧରାପଡ଼ିବା ପଛରେ ଏହି ଦାମୀ ଗାଡ଼ିର ମୋହ ପ୍ରମୁଖ କାରଣ ବୋଲି ପୁଲିସ ସ୍ବୀକାର କରିଛି। ସାଧାରଣତଃ ଅପରାଧ ଘଟାଇବା ପରେ ଅପରାଧୀ ନିଜର ଚିହ୍ନଟ ହେବା ଭୟରେ ଗାଡ଼ିକୁ ଛାଡ଼ି ଚାଲିଯାନ୍ତି। କିନ୍ତୁ ବଡ଼ପଣର ଅହମିକା ଓ ଦାମୀ ଗାଡ଼ିର ମୋହ ଅଭିଯୁକ୍ତଙ୍କୁ ଏହା କରିବାକୁ ଦେଇନଥିଲା। ଏସ୍‌ଡିପିଓ ସୁଶୀଲ କୁମାର ମିଶ୍ର କହିଛନ୍ତି ଯଦି କାର୍‌ଟି ଅନ୍ୟ ସାଧାରଣ କମ୍ପାନିର ହୋଇଥା’ନ୍ତା, ତେବେ ଧରିବା କଷ୍ଟକର ହୋଇଥା’ନ୍ତା। ଏହା ସହ ଯଦିବା ନମ୍ବର ପ୍ଲେଟ୍ ବଦଳାଇ ଦେଇଥା’ନ୍ତେ, ତେବେ ମଧ୍ୟ ଚିହ୍ନଟ କରିବା ସମୟ ବିଳମ୍ବ ହୋଇଥା’ନ୍ତା। ଯଦି ସେହି ଦିନ ରାତି ୧୨ଟାରେ ଧରାପଡ଼ିନଥା’ନ୍ତେ, ତେବେ ସେମାନେ ଅନେକ ଦୂର ଏପରିକି ରାଜ୍ୟ ବାହାରକୁ ଚାଲିଯିବାରେ ସକ୍ଷମ ହୋଇଥା’ନ୍ତେ। କିନ୍ତୁ ଦାମୀ ଗାଡ଼ିର ମୋହ ସେମାନଙ୍କୁ ଏହା କରିବାକୁ ଦେଲା ନାହିଁ। ଏହାସହ ସେମାନେ ନିଶାସକ୍ତ ଥିବାରୁ ମୋବାଇଲ୍ ଅଫ୍ କରିବା, ସିମ୍ କାର୍ଡ଼ ବଦଳାଇଦେବା ଭଳି କାମ ମଧ୍ୟ କରିପାରିନଥିଲେ। ଏନେଇ ମିକୁ ଓ ଚିକୁର ମାଆଙ୍କୁ ପଚାରିବାରୁ ସେ କହିଥିଲେ ଯେ ତାଙ୍କର ଦୁଇ ପୁଅ ଜମିବାଡ଼ି (ପ୍ଲଟିଂ) ବ୍ୟବସାୟ କରନ୍ତି। ବଡ଼ ଗାଡ଼ି ଥିଲେ ଲୋକଙ୍କ ମନରେ ବଡ଼ କାରବାର କରୁଥିବାର ଭ୍ରମ ସୃଷ୍ଟି ହେବ ବୋଲି ହରିଆନାର ଜଣେ ମାଲିକଙ୍କଠାରୁ ନିକଟରେ ଦୁଇଟି ପୁରୁଣା ଦାମୀ କାର୍ କିଣିଥିଲେ।

ସମ୍ବନ୍ଧିତ ଖବର