୯୦ ବର୍ଷରେ ପାଦ ଦେଲେ କବି ପଦ୍ମଶ୍ରୀ ଜୟନ୍ତ ମହାପାତ୍ର

ମୋ’ ପାଇଁ ସବୁ ଦିନ ସମାନ

କଟକ: ପଦ୍ମଶ୍ରୀ କବି ଜୟନ୍ତ ମହାପାତ୍ର ଅନ୍ତର୍ଜାତୀୟ ସାହିତ୍ୟ ଜଗତର ଏକ ସୁପରିଚିତ ନାମ। କଟକର ମାଟି, ପାଣି, ପବନରେ ବଢ଼ିଥିବା ଏହି ମହାନ ସ୍ରଷ୍ଟା ଏବେ ୯୦ ବର୍ଷରେ ପାଦ ଥାପିଛନ୍ତି। ଗତକାଲି କଟକସ୍ଥିତ ବାସଭବନରେ ସେ ନିଆରା ତଥା ନିରାଡ଼ମ୍ବର ଭାବେ ପାଳିଛନ୍ତି ୯୦ତମ ଜନ୍ମଦିବସ। ତାଙ୍କ ଜୟନ୍ତୀ ସମାରୋହ କେବଳ ବନ୍ଧୁ, ଶୁଭେଚ୍ଛୁ, ପାଠକଙ୍କ ଶୁଭେଚ୍ଛାରେ ସୀମିତ ଥିଲା। ସ୍ୱପ୍ନ, ସଂକଳ୍ପ, ସାଧନାକୁ ପାଥେୟ କରି ବଞ୍ଚୁଥିବା ସ୍ରଷ୍ଟା ଶ୍ରୀ ମହାପାତ୍ରଙ୍କୁ ଜନ୍ମଦିନର ଶୁଭେଚ୍ଛା ଦେଇଥିଲା ଅଫୁରନ୍ତ ଶାନ୍ତି ଆଉ ଆନନ୍ଦ।

୧୯୨୮ ମସିହା ଅକ୍ଟୋବର ୨୨ତାରିଖ ଦୁର୍ଗାଷ୍ଟମୀରେ କଟକ ମାଟିରେ ଭୂମିଷ୍ଠ ହୋଇଥିଲେ କବି ଜୟନ୍ତ ମହାପାତ୍ର। ପିତା ନେମୁଏଲ୍‌ ମହାପାତ୍ର ଓ ମା’ ସୁଧାଂଶୁବାଳା ଦାଶ। ସେ ଥିଲେ ମେଧାବୀ ଛାତ୍ର। ଶିକ୍ଷା ସମାପ୍ତ ପରେ ପଦାର୍ଥ ବିଜ୍ଞାନ ଅଧ୍ୟାପକ ଭାବେ ସେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ ମଧ୍ୟ କଟକ ପାଣି, ପବନ, ସାଂସ୍କୃତିକ ପରିବେଶ, ଜୀବନର କଷ୍ଟ, ଅନୁଭୂତି ତାଙ୍କୁ ଲେଖନୀ ଚାଳନା ପାଇଁ ଅଥୟ କରିଥିଲା। ବିଳମ୍ବରେ ଲେଖନୀ ଧରିଥିଲେ ମଧ୍ୟ ସାହିତ୍ୟ ପ୍ରତି ସଂପୂର୍ଣ୍ଣ ସମର୍ପିତ ଥିଲେ। ଦୀର୍ଘ ୫୦ବର୍ଷ ସାଧନା ମଧ୍ୟରେ ଅନେକ ପଥ ଅତିକ୍ରାନ୍ତ କରିଥିଲେ ମଧ୍ୟ ଆହୁରି ଅନେକ ବାକି ରହିଛି। ଇଂରାଜୀ ସାହିତ୍ୟରେ ସେ ଅନେକ କବିତା ପୁସ୍ତକ ରଚନା କରିଛନ୍ତି। ସାହିତ୍ୟ ପାଇଁ ୧୯୮୧ମସିହାରେ ପ୍ରଥମ ଥର ପାଇଁ ଇଂରାଜୀ ଭାଷାରେ ସେ କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାର ଲାଭ କରିଥିଲେ। ପରେ ବହୁ ଅନୁଷ୍ଠାନ ପକ୍ଷରୁ ଅନେକ ମର୍ଯ୍ୟାଦାଜନକ ସ୍ୱୀକୃତି, ସମ୍ମାନ, ସମ୍ବର୍ଦ୍ଧନା ମଧ୍ୟ ପାଇଛନ୍ତି। ୨୦୧୭ ଜୟପୁର ଲିଟରେଚର ଫେଷ୍ଟିଭାଲ୍‌ରେ ଜୀବନବ୍ୟାପୀ ସାରସ୍ୱତ ସାଧନା ପାଇଁ କବି ମହାପାତ୍ରଙ୍କୁ ‘ପୋଏଟ୍ରି ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ଵାର୍ଡ’ ମିଳିଛି। ଏହିି ସମ୍ମାନ ପାଇବାରେ କବି ମହାପାତ୍ର ହେଉଛନ୍ତି ଭାରତର ପ୍ରଥମ ଇଂରାଜୀ କବି।

ଶ୍ରୀ ମହାପାତ୍ରଙ୍କ ଭାଷା ଇଂରାଜୀ ହେଲେ ମଧ୍ୟ ଭାବ ସଂପୂର୍ଣ୍ଣ ଓଡ଼ିଶାର। ତାଙ୍କ କବିତାରେ ଓଡ଼ିଶା, କଟକ, ଜଗନ୍ନାଥ ପ୍ରେମ ଆଦି ପ୍ରତିଫଳିତ ହୁଏ। ଜୀବନରେ ଅନୁଭବ କରିଥିବା କଷ୍ଟ, ଯନ୍ତ୍ରଣା, ସମାଜର ଅନ୍ୟାୟ, ଶୋଷଣ ତାଙ୍କୁ କବିତା ରଚନା ପାଇଁ ସାମଥ୍ୟର୍ ଦେଇଛି ବୋଲି କୁହନ୍ତି ପ୍ରଫେସର ମହାପାତ୍ର। ବୟସ ସାହିତ୍ୟ ପାଇଁ ଆଦୌ ବାଧକ ନୁହେଁ ବୋଲି ତାଙ୍କର ମତ। ଜନ୍ମ ଦିନର ଅନୁଭୂତି ବିଷୟରେ କବି ମହାପାତ୍ର କହିଛନ୍ତି, ‘ସବୁଦିନ ମୋ ପାଇଁ ସମାନ’। କବିତା ଆଉ କଟକ ତାଙ୍କ ପାଇଁ ଦୁଇ ପ୍ରେମିକା। କଟକର ରଘୁ ଦହିବରା, ମାମା ସାଇକଲ୍‌ ଦୋକାନୀ, କାଳୁ ପାନଦୋକାନୀ ସହିତ ଏବେ ବି ପୁରୁଣା ଦିନ ଭଳି ସଂପର୍କ ରହିଛି ବୋଲି କୁହନ୍ତି ସେ।

ବିଶିଷ୍ଟ କବି ଅମରେଶ ପଟ୍ଟନାୟକ, ଉତ୍କଳ ସାହିତ୍ୟ ସମାଜର ସଭାପତି ଡକ୍ଟର ବିଜୟାନନ୍ଦ ସିଂହ, କେନ୍ଦ୍ର ସାହିତ୍ୟ ଅକାଦମୀ ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ କଥାକାର ଡକ୍ଟର ଗୌରହରି ଦାସ ପ୍ରମୁଖ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କୁ ୯୦ତମ ଜୟନ୍ତୀ ଅବସରରେ ଶୁଭେଚ୍ଛା ପ୍ରଦାନ କରିବା ସହିତ ସ୍ରଷ୍ଟାଙ୍କ ଦୀର୍ଘ ସାଧନାମୟ ଜୀବନ କାମନା କରିଛନ୍ତ

ସମ୍ବନ୍ଧିତ ଖବର