୯୬ ବର୍ଷରେ ପାଦ ଥାପିଲେ ପଦ୍ମଚରଣ : ସେ ଜନ୍ମରୁ ନେତୃତ୍ବ ନେବା ଭଳି ମହାଗୁଣର ଅଧିକାରୀ

ଭୁବନେଶ୍ବର : ମଦ ବିରୋଧୀ ଆନ୍ଦୋଳନର ମହାନାୟକ ପଦ୍ମଚରଣ ନାୟକ ଜନ୍ମରୁ ହିଁ ନେତୃତ୍ବ ନେବା ଭଳି ମହାଗୁଣର ଅଧିକାରୀ। ସେ ଓଡ଼ିଶା‌ରେ ମଦ ବିରୋଧୀ ମହାସଂଗ୍ରାମର ଜଣେ ଉତ୍ତୁଙ୍ଗ ନେତା। ବୟସ ୯୫ ଅତିକ୍ରମ କରିଥି‌ଲେ ବି ରାଜ୍ୟକୁ ନିଶାମୁକ୍ତ କରିବାକୁ ଯେମିତି ଶପଥ ନେଇଛନ୍ତି। ପରିଣତ ବୟସ ବି ତାଙ୍କୁ ଏହି ସଂଗ୍ରାମରୁ ବିରତ କରିପାରୁନାହିଁ। ନିଜେ ସାଇକେଲ ଚଢ଼ି ରାଜଧାନୀ ରାଜରାସ୍ତାରେ ଯା’ ଆସ କରୁଛନ୍ତି। ଏଥିରୁ ତାଙ୍କ ସ୍ବାଭିମାନ, ସାହସ, ଅନ୍ୟ ଉପରେ ନିର୍ଭରଶୀଳ ନ ହେବା ତଥା କର୍ତ୍ତବ୍ୟନିଷ୍ଠା ସଂପର୍କରେ ସ୍ପଷ୍ଟ ଭାବେ ଜାଣି ହେଉଛି। ଜଣେ ଚାଷୀ ପରିବାରରେ ଜନ୍ମ ହୋଇ ସେ ସ୍ନାତକୋତ୍ତର ଶେଷ କରିଥିଲେ। ଭଲ ଚାକିରି ପାଇଁ ତାଙ୍କ ପାଖରେ ବହୁ ସୁଯୋଗ ରହିଥିଲେ ହେଁ ସେ ତାହାକୁ ଜଳାଞ୍ଜଳି ଦେଇ ସ୍ବାଧୀନତା ସଂଗ୍ରାମରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏହାପରେ ଦେଶ ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଚିନ୍ତାରେ ହିଁ ସେ ଆଜୀବନ କର୍ମ କରି ଚାଲିଛନ୍ତି। ଶ୍ରୀ ନାୟକଙ୍କ ଜୀବନ ଆମମାନଙ୍କ ପାଇଁ ଏକ ପ୍ରେରଣା। ଏବେ ବି ବିଭିନ୍ନ ଖବରକାଗଜରେ ମଦ ସମେତ ଅନେକ ପ୍ରାସଙ୍ଗିକ ବିଷୟ ଉପରେ ତାଙ୍କର ସ୍ତମ୍ଭଗୁଡ଼ିକ ଅତି ଉଚ୍ଚକୋଟୀର। ଗାନ୍ଧୀବାଦୀ ନେତା ଓ ପୂର୍ବତନ ବିଧାୟକ ପଦ୍ମଚରଣ ନାୟକଙ୍କ ଜୟନ୍ତୀ ଅବସରରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଂଜିନିୟର୍ସଠାରେ ଆୟୋଜିତ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

ଓଡ଼ିଶାରେ ମଦ ବିରୋଧୀ ଆନ୍ଦୋଳନର ଅଗ୍ରଣୀ ଭୂମିକା ନିର୍ବାହ କରିଥିବା ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ(ମୋନା)ର ସଭାପତି ଶ୍ରୀ ନାୟକ ଆଜି ୯୬ତମ ବର୍ଷରେ ପଦାର୍ପଣ କରିଛନ୍ତି। ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆୟୋଜିତ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଅନେକ ମଦ ବିରୋଧୀ କର୍ମକର୍ତାଙ୍କ ସମେତ ଶ୍ରୀ ନାୟକଙ୍କ ଶୁଭେଚ୍ଛୁମାନେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ବିଶିଷ୍ଟ ସ୍ତମ୍ଭକାର ଭଗବାନ ପ୍ରକାଶ, ପଦ୍ମଶ୍ରୀ ରାଧାମୋହନ, ସମା‌ଜସେବୀ ବାଣୀ ଦାସ, କୃଷ୍ଣା ମହାନ୍ତି, ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ପ୍ରିୟମ୍ବଦା ନାୟକ, ପ୍ରଫେସର ଅଦ୍ବୈତ ପାତ୍ର ଓ ବିଜୟ ସ୍ବାଇଁ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥି‌ଲେ।

ଏହି ଅବସରରେ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ମନ୍ତ୍ରୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭଜମନ ବେହେରା, ଉତ୍କଳ ସମ୍ମିଳନୀ‌ର ଦିଲ୍ଲୀପ ଦାଶଶର୍ମା, ଗାନ୍ଧୀବାଦୀ ନେତା ପ୍ରହ୍ଲାଦ ସିଂହ, ପୂର୍ବତନ ସୂଚନା କମିସନର ଜଗଦାନନ୍ଦ, ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି କୈଳାସ ସାହୁ, ପଦ୍ମଶ୍ରୀ ଦୈତ୍ୟାରୀ ନାୟକ, ପୂର୍ବତନ ବିଧାୟକ ଅଜୟ ଜେନା, ଆଦିତ୍ୟ ପଟ୍ଟନାୟକ, ବିହନ ନିଗମର ଅଧ୍ୟକ୍ଷ ଗୋଲକ ନାୟକ, ଗୋବିନ୍ଦ ଚନ୍ଦ୍ର ନାଥ, ଯାଜପୁରର ଭୁବନ ମୋହନ ମହାନ୍ତି, ସମାଜସେବୀ ସୁମିତ୍ରା ଜେନା, ସହଦେବ ସାହୁ ଓ ଅପର୍ଣ୍ଣା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର