କିଶୋର ସାହିତ୍ୟକୁ ବଳିଷ୍ଠ କରିବାକୁ ପଡ଼ିବ

ପଦ୍ମଜ ପାଳଙ୍କୁ ଆଦିତ୍ୟ ଭାରତ ସାହିତ୍ୟ ସମ୍ମାନ

ଭୁବନେଶ୍ବର : ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାରକୁ ଦୀର୍ଘସ୍ଥାୟୀ କରିବାକୁ ହେଲେ କିଶୋର ସାହିତ୍ୟକୁ ବଳିଷ୍ଠ କରିବାକୁ ପଡ଼ିବ। ସଂପ୍ରତି ଯୁବବର୍ଗ ଡିଜିଟାଲ୍‌ ଜ୍ଞାନକୌଶଳ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଥିବାରୁ ଡିଜିଟାଲ୍‌ ମାଧ୍ୟମରେ ସାହିତ୍ୟର ପ୍ରଚାର ପ୍ରସାର ହେବା ଉଚିତ୍‌ ବୋଲି କହିଛନ୍ତି ବିଶିଷ୍ଟ ସାହିତ୍ୟିକ ଦାଶ ବେନହୁର। ଆଦିତ୍ୟଭାରତ ପ୍ରକାଶନ ସଂସ୍ଥା ପକ୍ଷରୁ ଜୟଦେବ ଭବନରେ ଅନୁଷ୍ଠିତ ପୁସ୍ତକ ଉନ୍ମୋଚନ ସମାରୋହକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି।

ଆଦିତ୍ୟ ଭାରତ ଡିଜିଟାଲ ପ୍ରକାଶନର ମୁଖ୍ୟ ଦେବାଶିଷ ସାମନ୍ତରାୟ ଅନୁବାଦ ଉପରେ ଗୁରୁତ୍ବ ଦେଇ କହିଲେ, ଆଗାମୀ ଦିନରେ ଓଡ଼ିଆ ଭାଷାର ଶେଷ୍ଠ କୃତୀକୁ ଭାରତର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ଇଂରାଜୀ, ହିନ୍ଦୀ, ଅହମିୟା, ମଲାୟାଲାମ ପରି ୭ଟି ଭାଷାର ଭିନ୍ନ ଭିନ୍ନ ପ୍ରକାଶନ ସଂସ୍ଥା ସହ ଚୁକ୍ତି ହୋଇଛି। ଚୁକ୍ତି ମୁତାବକ ପ୍ରତି ବର୍ଷ ଓଡ଼ିଆ ଭାଷାର ୨ଟି ଶ୍ରେଷ୍ଠ କୃତୀକୁ ଏହି ପ୍ରକାଶନ ସଂସ୍ଥାମାନେ ନିଜ ନିଜ ଭାଷାରେ ଛାପିବାର ବ୍ୟବସ୍ଥା କରିବେ ବୋଲି ଶ୍ରୀ ସାମନ୍ତରାୟ ସୂଚନା ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଲେଖକ ଡ. ପଦ୍ମଜ ପାଳଙ୍କୁ ୨୫ ହଜାର ଟଙ୍କାର ଅର୍ଥରାଶି ସହ ‘ଆଦିତ୍ୟ ଭାରତ ସାହିତ୍ୟ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଏଥିସହ ନୂଆପଡ଼ା ଜିଲ୍ଲାରେ ଓଡ଼ିଆ ସାହିତ୍ୟର ପ୍ରଚାର ପ୍ରସାର ପାଇଁ ଉଦ୍ୟମ କରୁଥିବା ରାଧାଶ୍ୟାମ ଦାସଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ‘ଆଦିତ୍ୟ ଭାରତ ଭାଷା ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଥିଲା। ରାଜେନ୍ଦ୍ର ରାଉଳ, ମଦନ ମହାପାତ୍ର , ଅମିୟ ବେଜ, ବିଶ୍ବ ଭାରତୀ ଦାଶ, ଦେବାଶିଷ ସାମନ୍ତରାୟଙ୍କ ପରି ଲେଖକମାନଙ୍କର ୧୦ଟି ପୁସ୍ତକ ଉନ୍ମୋଚିତ ହେଇଥିଲା। ପରେ ଲେଖକଙ୍କ ସହ ବାର୍ତାଳାପ ଓ ଗଳ୍ପ ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର