ଚନ୍ଦ୍ରଶେଖରପୁର: ପଦ୍ମକେଶରପୁର ଗୋଷ୍ଠୀ ସଂଘର୍ଷ ମାମଲାରେ କମିସନରେଟ୍ ପୁଲିସ ଏକାଥରକେ ରେକର୍ଡ ସଂଖ୍ୟକ ୭୭ ଜଣ ଗଣ୍ଡଗୋଳକାରୀଙ୍କୁ ବାନ୍ଧିଛି। ଗତକାଲି ବିଳମ୍ବିତ ରାତିରେ ପୁଲିସ ମଝିସାହି ଓ ତଳସାହିରେ ଘର ଘର ବୁଲି ଦରାଣ୍ଡି ଦରାଣ୍ଡି ଏମାନଙ୍କୁ ଉଠାଇଛି। ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଜାମିନ ଖାରଜ ହେବାରୁ ସେମାନଙ୍କୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି। ତଥାପି ଆଉ କିଛି ଫେରାର୍ ହୋଇଯାଇଛନ୍ତି ଏବଂ ସେମାନଙ୍କୁ ଗିରଫ କରିବାକୁ ପୁଲିସ ଚଢ଼ଉ ଜାରି ରହିଛି।
ଗତମାସରୁ ଆରମ୍ଭ ହୋଇଥିବା ଏହି ଗୋଷ୍ଠୀ ସଂଘର୍ଷ ମାମଲାରେ ପୁଲିସ ପ୍ରଥମେ ଦୁଇ ପର୍ଯ୍ୟାୟରେ ୨୧ ଜଣଙ୍କୁ ବାନ୍ଧିଥିଲା। ତଥାପି ଗଣ୍ଡଗୋଳ ଥମିନଥିଲା। ପୁଣି ଗୁରୁବାର ରାତିରେ ମଝିସାହି ଓ ତଳସାହି ମଧ୍ୟରେ ଗଣ୍ଡଗୋଳ ହେଲା ଏବଂ ପୁଲିସକୁ ଢେଲାମାଡ଼ କରାଗଲା। ତେଣୁ ଏଥର ପୁଲିସ ମାମଲାକୁ ଗୁରୁତ୍ବର ସହ ନେଇଥିଲା। ଯୋଜନା ମୁତାବକ ଗତକାଲି ରାତିରେ ପୁଲିସ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା। ଗାଁରେ ମୁତୟନ ଥିବା ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଗାଁକୁ ଚାରିପଟୁ ଘେରି ରହିଥିବା ବେଳେ ଆଉ ୨ ପ୍ଲାଟୁନ୍ ଓ ଗୋଟିଏ ସେକ୍ସନ ମହିଳା ପୁଲିସ ଗାଁରେ ପଶିଥିଲେ। ଏକାଥରକେ ଦୁଇ ସାହିରେ ଚଢ଼ଉ କରାଯାଇଥିଲା। ଘର ଘର ବୁଲି ପୁଲିସ ଗଣ୍ଡଗୋଳକାରୀଙ୍କୁ ଖୋଜିଖୋଜି ଧରିଥିଲା। ପୁଲିସ ଏମୁଣ୍ଡରେ ଚଢ଼ଉ କରୁଥିବା ବେଳେ ଅପରମୁଣ୍ଡରୁ କିଛି ଯୁବକ ଘରୁ ବାହାରି ଅନ୍ଧାରରେ ଦୌଡ଼ିଥିଲେ। କିନ୍ତୁ ବାହାରେ ଜଗିଥିବା ପୁଲିସ ହାବୁଡ଼ରୁ ସେମାନେ ଖସିବାକୁ ବାଟ ପାଇନଥିଲେ। ପୁଲିସ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିଥିଲା। ଅବଶ୍ୟ କେତେଜଣ ଖସିପଳାଇଛନ୍ତି। ପ୍ରାୟ ୨ ଘଣ୍ଟାର ଅପରେସନ୍ ପରେ ୭୭ ଜଣ ପୁଲିସ ପଞ୍ଝାରେ ପଡ଼ିଥିଲେ। ଆଜି ସକାଳୁ ଗାଁ ପୂରା ପୁରୁଷଶୂନ୍ୟ ହୋଇପଡ଼ିଥିଲା। ସୂଚନାଯୋଗ୍ୟ ଯେ ଏହି ଗୋଷ୍ଠୀ ସଂଘର୍ଷ ପଛରେ ବିଭିନ୍ନ କାରଣ ରହିଛି। ଗତ ମାସରେ ପିଲାଙ୍କ କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା କୁହାଯାଉଥିଲେ ହେଁ ପଛରେ ଭିନ୍ନ ତଥା ପୁରୁଣା କାରଣ ରହିଛି। ବୃତ୍ତିକୁ ନେଇ ସୃଷ୍ଟି ହୋଇଥିବା ସାମ୍ପ୍ରଦାୟିକ ଭେଦଭାବରୁ ବହୁ ଦିନ ହେଲା ମଝିସାହି ଓ ତଳସାହି ମଧ୍ୟରେ ବିବାଦ ଲାଗିରହିଛି। ଏହାର ସମାଧାନ ନ ହେବା ପର୍ଯ୍ୟନ୍ତ ଏଭଳି ଗୋଷ୍ଠୀ ସଂଘର୍ଷ ଲାଗିରହିଥିବ ବୋଲି ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।