ଭୁବନେଶ୍ବର/ଚନ୍ଦ୍ରଶେଖରପୁର: ସୁଧ ବାବଦ ଟଙ୍କା ଆଦାୟ କରିବାକୁ ପଦ୍ମକେଶରପୁରରେ ଶ୍ବଶୁର ଓ ବୋହୂଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ୨ ସାହୁକାରଙ୍କୁ ଆଜି ମଞ୍ଚେଶ୍ବର ଥାନା ପୁଲିସ ଗିରଫ କରିଛି। ସେମାନେ ହେଲେ ତାପସ ଦାସ ଓ ବାବୁଲା ଦାସ। ଗତକାଲି ରାତିରେ ପୁଲିସ ଜଣକୁ ବରିମୁଣ୍ଡରୁ ଓ ଅନ୍ୟଜଣକୁ ଗଣ୍ଡରପୁରରୁ ଗିରଫ କରିଥିଲା। ସେମାନଙ୍କ ଦୁଇ ସହଯୋଗୀ ତଥା ଦଲାଲ ସୁବ୍ରତ ଦାସ ଓ ମିଟୁ ଦାସ ଫେରାର ହୋଇଯାଇଛନ୍ତି। ଖୁବ୍‌ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ମଞ୍ଚେଶ୍ବର ଥାନା ପୁଲିସ କହିଛି। ସୂଚନାଯୋଗ୍ୟ ଯେ ୧୦ ତାରିଖ ରାତି ପ୍ରାୟ ୯ଟା ବେଳେ ସୁଧ ବେପାରୀ ବାବୁଲା ଦାସ ଓ ତାପସ ଦାସ ସେମାନଙ୍କ ୨ ଦଲାଲଙ୍କୁ ସାଙ୍ଗରେ ନେଇ ପଦ୍ମକେଶରପୁର ତଳସାହିକୁ ଯାଇଥିଲେ। ସେମାନେ କିଛି ଲୋକଙ୍କଠାରୁ ସୁଧଟଙ୍କା ଆଦାୟ କରିବା ପରେ ସୁମନ୍ତଙ୍କ ଘରକୁ ଯାଇଥିଲେ। ମାତ୍ର ଘରେ ସୁମନ୍ତ ନଥିବାରୁ ତାଙ୍କ ସ୍ତ୍ରୀ ନିରୁପମା ଦାଣ୍ଡକୁ ଆସିଥିଲେ। ନିରୁପମାଙ୍କ ପଛେପଛେ ବୃଦ୍ଧ ଶ୍ବଶୁର ସନାତନ ଆସିଥିଲେ। ମୂଳ ଟଙ୍କାଠାରୁ ବହୁଗୁଣରେ ସୁଧଟଙ୍କା ନେଇ ସାରିଲଣି କହି ନିରୁପମା ଆଉ ଶୁଝିପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ୨ ସାହୁକାର ଓ ୨ ଦଲାଲ ଖଣ୍ଡା, ଭୁଜାଲିରେ ଶ୍ବଶୁର-ବୋହୂଙ୍କୁ ଆକ୍ରମଣ କରିଥିଲେ। ତଳସାହି ଲୋକେ ମେଳି ବାନ୍ଧି ସେମାନଙ୍କୁ ପ୍ରତିରୋଧ କରିବାକୁ ଉଦ୍ୟମ କଲା ବେଳେ ସେମାନେ ବୋମାମାଡ଼ କରି ପଳାଇଥିଲେ।

Advertisment

ସୁଧ କାରବାରରେ ଲେଡି ଡନ୍ ମିନି
ଆଜି ସାହିଲୋକେ ସୁଧ କାରବାର କରି ଆତଙ୍କ ଖେଳାଉଥିବା ମହିଳା ‘ମିନି’ ବାବଦରେ ମୁହଁ ଖୋଲିଛନ୍ତି। ଲେଡି ଡନ୍‌ ଭାବେ ଜଣାଶୁଣା ମିନି ସୁଧ କାରବାର କରୁଛି ଏବଂ ଭଡ଼ାଟିଆ ଗୁଣ୍ଡା ବା ଦଲାଲଙ୍କୁ ଲଗାଇ ଜୋର୍‌ ଜବରଦସ୍ତ ଟଙ୍କା ଆଦାୟ କରୁଛି। ମିନିଠାରୁ କରଜ ଆଣିଲେ କୌଣସି ହିସାବପତ୍ର ନଥାଏ। ତା’ ଇଛାନୁସାରେ ବର୍ଷ ବର୍ଷ ଧରି ଟଙ୍କା ଆଦାୟ କରିଚାଲେ। କେବେ ବି ମୂଳ ଶୁଝାପଡ଼େ ନାହିଁ। କରଜ ନେଇଥିବା ବାପା ସୁଧ ଗଣିଗଣି ମରିଯିବା ପରେ ପୁଅ ସୁଧ ଗଣେ। କେହି ସୁଧ ଗଣିବାକୁ ଅକ୍ଷମ ବୋଲି କହିଲେ, ମିନିର ଭଡ଼ାଟିଆ ଗୁଣ୍ଡା ବାହାରିପଡ଼ନ୍ତି। ଜୋର୍‌ କରି ଟଙ୍କା ଆଦାୟ କରନ୍ତି। ଜରୁରୀ ସମୟରେ ଟଙ୍କା ଦେଇ ସାହାଯ୍ୟ କରିଥିବାରୁ ମିନିର ଅତ୍ୟାଚାର ଓ ଶୋଷଣ ବିରୋଧରେ ମୁହଁ ସେମାନେ ଖୋଲିପାରୁନାହାନ୍ତି ବୋଲି ଲୋକେ କହୁଛନ୍ତି।