ରାସ୍ତା ଉପରେ ପାହାଳ ପରିବା ହାଟ

ଜୋର୍‌ ଧରୁଛି ସ୍ଥାୟୀ ପିଣ୍ଡି ନିର୍ମାଣ ଦାବି

ଭୁବନେଶ୍ବର: ବିଏମ୍‌ସି ୪ନମ୍ବର ୱାର୍ଡ ଅନ୍ତର୍ଗତ ପାହାଳ ବଜାର ପରିବା ହାଟ ମୁଖ୍ୟ ରାସ୍ତା ଉପରେ ବସୁଛି। ସ୍ଥାୟୀ ହାଟ ପିଣ୍ଡି ନଥିବାରୁ ବ୍ୟବସାୟୀମାନେ ରାସ୍ତା ଉପରେ ପସରା ମେଲି ବସୁଛନ୍ତି। ଫଳରେ ବଜାରର ମୁଖ୍ୟ ରାସ୍ତା ଅବରୋଧ ହେଉଛି ଏବଂ ଟ୍ରାଫିକ୍‌ ଜାମ୍‌ ସମସ୍ୟାରେ ଲୋକେ ହନ୍ତସନ୍ତ ହେଉଛନ୍ତି। ପୂର୍ବରୁ ବ୍ଲକ୍‌ ପ୍ରଶାସନ ଏନେଇ କିଛି ପଦକ୍ଷେପ ଗ୍ରହଣ କଲା ନାହିଁ। ଏବେ ବିଏମ୍‌ସି ମଧ୍ୟ ବର୍ଷ ବର୍ଷର ଏହି ସମସ୍ୟା ପ୍ରତି ନଜର ଦେଉନଥିବା ଅଭିଯୋଗ ହେଉଛି। ତେଣୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି ଏବଂ ସ୍ଥାୟୀ ପରିବା ହାଟ ନିର୍ମାଣ ପାଇଁ ଦାବି ଜୋର୍‌ ଧରିଲାଣି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ପାହାଳ ବଜାରରେ ଏହି ପରିବା ହାଟ ସପ୍ତାହକୁ ଦୁଇ ଦିନ ବସିଥାଏ। ମଙ୍ଗଳବାର ଓ ଶନିବାର ବସୁଥିବା ଏହି ହାଟକୁ ପାହାଳ, ଜୋହଳ, ଜୟପୁର, ନହରକଣ୍ଟା, ବାଲିଅନ୍ତା ଓ ସ୍ଥାନୀୟ ଅଞ୍ଚଳରେ ନୂଆ କରି ଗଢ଼ି ଉଠିଥିବା ଆବାସିକ କଲୋନିର ଲୋକମାନେ ପନିପରିବା କିଣିବା ଉଦ୍ଦେଶ୍ୟରେ ଆସିଥା’ନ୍ତି। ବାରଙ୍ଗ, କଟକ ସଦର ଏବଂ ନିଆଳି ଅଞ୍ଚଳର ପରିବା ଏହି ହାଟକୁ ଆସିଥାଏ। ପ୍ରାୟ ୨ ଶହରୁ ଅଧିକ ବେପାରୀ ପରିବା ପସରା ଧରି ଏଠାକୁ ଆସନ୍ତି। ସ୍ଥାନୀୟ ସଜ ପରିବା ମିଳୁଥିବାରୁ ଲୋକମାନେ ମଧ୍ୟ ଆଗ୍ରହରେ ଏଠାକୁ ଆସନ୍ତି। ସକାଳୁ ମଧ୍ୟାହ୍ନ ୧୨ଟା ଓ ସଂଧ୍ୟା ୬ଟାରୁ ରାତି ୮ଟା ପର୍ଯ୍ୟନ୍ତ ହାଟରେ କାରବାର ହୋଇଥାଏ।

ଲୋକେ ଘର ପାଇଁ ପରିବା କିଣୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଗାଁ ଗହଳର ଛୋଟ ବ୍ୟବସାୟୀମାନେ ମଧ୍ୟ ସେମାନଙ୍କ ଦୋନାନ ପାଇଁ ପରିବା କିଣିନିଅନ୍ତି। ତେଣୁ ହାଟ ପାଳିରେ ପାହାଳ ଛକରୁ ନିଆଳି-ଅଡ଼ସପୁର ରାସ୍ତାରେ ସ୍ବାସ୍ଥ୍ୟକେନ୍ଦ୍ର ପର୍ଯ୍ୟନ୍ତ ହାଟ ବସେ। ବ୍ୟବସାୟୀମାନେ ଅପରାହ୍ଣ ୧ଟା ସୁଦ୍ଧା ପହଞ୍ଚୁଥିବା ବେଳେ ଅପରାହ୍ଣ ୪ଟା ପରଠାରୁ ଗ୍ରାହକଙ୍କ ଭିଡ଼ ଜମେ। ସନ୍ଧ୍ୟା ବେଳେ ହାଟରେ କଡ଼ ଏଠାଇବାକୁ ଜାଗା ମିଳେନି। ଫଳରେ ଏହି ସମୟରେ ରାସ୍ତାରେ ଗାଡ଼ିମଟର ଧରି ଯା’ଆସ କରିବା ମୁସ୍କିଲ ହୋଇପଡ଼େ। ପୂର୍ବରୁ ଏଠାରେ କେବଳ ଗ୍ରାମାଞ୍ଚଳ ଲୋକମାନେ ଗ୍ରାହକ ଥିଲେ। କିନ୍ତୁ ଗତ କିଛି ବର୍ଷ ହେଲା ପାହାଳ ଅଞ୍ଚଳରେ ବହୁ ଆବାସିକ କଲୋନି, ଆପାର୍ଟମେଣ୍ଟ ଗଢ଼ିଉଠିଛି। ତେଣୁ ଏହି ବଜାରର ଗ୍ରାହକ ସଂଖ୍ୟା ଆଶାତୀତ ଭାବେ ବଢ଼ିଛି। ନିକଟରେ ବିକଳ୍ପ ପରିବା ହାଟ ନଥିବାରୁ ଏବଂ ସପ୍ତାହରେ ମାତ୍ର ଦୁଇ ଦିନ ହାଟ ପାଳି ଥିବାରୁ ସ୍ବାଭାବିକ ଭାବେ ଏଠାରେ ଭିଡ଼ ବଢ଼ୁଛି। ପରିସ୍ଥିତି ଏମିତି ହେଉଛି ଯେ ଜରୁରୀ ସମୟରେ ଭିଡ଼କୁ ଏଡ଼ାଇ ରୋଗୀଟିଏ ମେଡିକାଲରେ ଠିକଣା ସମୟରେ ପହଞ୍ଚି ପାରୁନାହିଁ।

ପରିବା ବ୍ୟବସାୟୀମାନଙ୍କ କହିବାନୁସାରେ ପୂର୍ବରୁ ‌ଗ୍ରାହକ ସଂଖ୍ୟା କମ୍‌ ଥିଲା ଏବଂ ରାସ୍ତା ଉପରେ ହାଟ ବସିଲେ ବି ବଡ଼ ସମସ୍ୟା ହେଉନଥିଲା। ଏବେ ସହର ମାଡ଼ିଆସିବା ପରେ ସ୍ଥିତି ବଦଳିଯାଇଛି। ରାସ୍ତାରେ ହାଟ ବସିବା ଉଭୟ ବେପାରୀ ଓ ଗ୍ରାହକଙ୍କ ପାଇଁ ସମସ୍ୟା ହେଉଛି। ତେଣୁ ପ୍ରଶାସନ ଏନେଇ ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ ଏବଂ ସ୍ଥାୟୀ ହାଟ ନିର୍ମାଣ କରିବା ଜରୁରୀ। ଏନେଇ କର୍ପୋରେଟର ସୁକୁମାର ସାହୁ କହିଛନ୍ତି ଯେ ହାଟ ନିର୍ମାଣ ପାଇଁ ବିଏମ୍‌ସି ନିକଟରେ ପ୍ରସ୍ତାବ ଦିଆଯାଇଛି। ଏହି ଆର୍ଥିକ ବର୍ଷରେ ନିର୍ମାଣ କାମ ଆରମ୍ଭ ଓ ଶେଷ ହେବ ବୋଲି ଆଶା ରହିଛି।

ସମ୍ବନ୍ଧିତ ଖବର