ପାହାଳ ଫାଣ୍ଡି କାର୍ଯ୍ୟାଳୟ ଉଦ୍‌ଘାଟିତ

ଜନସାଧାରଣଙ୍କୁ ସେବା ପ୍ରଦାନରେ ସହାୟକ ହେବ: ଡିଜି

ବାଲିଅନ୍ତା: ବାଲିଅନ୍ତା ଥାନା ଅଧୀନ ଭୁବନେଶ୍ୱର-କଟକ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ପାହାଳ ଫାଣ୍ଡିର ନିଜସ୍ୱ କର୍ଯ୍ୟାଳୟ ଆଜି ପୂର୍ବାହ୍ନରେ ଉଦ୍‌ଘାଟିତ ହୋଇଯାଇଛି। ଡିଜିପି ରାଜେନ୍ଦ୍ର ପ୍ରସାଦ ଶର୍ମା,  କମିସନର ଓ୍ଵାଇ ବି ଖୁରାନିଆ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଅତିରିକ୍ତ କମିସନର୍‌ ପିଏସ୍‌ ରନପିସେ, ଡିସିପି ସତ୍ୟବ୍ରତ ଭୋଇ ଓ ହେଡ କ୍ୱାର୍ଟର ଡିସିପି ଅନୁପମା ଜେମ୍‌ସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଡିଜିପି ଶ୍ରୀ ଶର୍ମା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ କହିଲେ କମିସନରେଟ୍‌ ବ୍ୟବସ୍ଥା ଅନ୍ତର୍ଭୁକ୍ତ ୫୫ ନମ୍ବର  ଜାତୀୟ ରାଜପଥ ପାର୍ଶ୍ୱରେ ନିର୍ମିତ ଏହି ପାହାଳ ଫାଣ୍ଡି ଜନସାଧାରଣଙ୍କୁ ସେବା ପ୍ରଦାନରେ ସହାୟକ ହେବ। ଜାତୀୟ ରାଜପଥ ପାର୍ଶ୍ୱରେ ଅବସ୍ଥିତ ହୋଇଥିବାରୁ ଯାନବାହନ ନିୟନ୍ତ୍ରଣ ସମସ୍ୟାଠାରୁ ଆରମ୍ଭ କରି ଦୁର୍ଘଟଣା ଛିନ୍‌ତାଇ ଏବଂ ରାହାଜାନି ଭଳି ଘଟଣାକୁ ରୋକି ହେବ।  ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଭୁବନେଶ୍ୱର ଗସ୍ତ ପରିପ୍ରେକ୍ଷୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ ବୋଲି ଶ୍ରୀ ଶର୍ମା ଏହି ଅବସରରେ କହିଥିଲେ।

ସୂଚନାଯୋଗ୍ୟ ଯେ ୧୯୮୧ ମସିହାରେ ପାହାଳ ଫାଣ୍ଡି ସ୍ଥାପିତ ହୋଇଥିଲା। ୨୧୧୯ବର୍ଗଫୁଟ୍‌ ଅଞ୍ଚଳ ମଧ୍ୟରେ ସ୍ଥାପିତ ଏହି ଫାଣ୍ଡିର ନିଜସ୍ୱ କାର୍ଯ୍ୟାଳୟ ସ୍ଥାପନ ପାଇଁ ପୁଲିସ ହାଉସିଂ କର୍ପୋରେସନ୍‌ ପକ୍ଷରୁ ୭୨ ଲକ୍ଷ ୫ ହଜାର ୩୫୩  ଟଙ୍କା ମଞ୍ଜୁର ହୋଇଥିଲା। ଜୁଲାଇ ମାସ ୧୪ ତାରିଖରେ ଫାଣ୍ଡିର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ବେଳେ ବର୍ଷକ ମଧ୍ୟରେ କାମ ଶେଷ କରିବା ପାଇଁ କାର୍ଯ୍ୟାଦେଶରେ ଉଲ୍ଲେଖ ଥିଲା। ଅନ୍ୟମାନଙ୍କ ମଧ୍ୟରେ ବିଏମ୍‌ସିର ୪ ନମ୍ବର କର୍ପୋରେଟର୍‌ ଗାୟତ୍ରୀ ଲେଙ୍କା, ୧୬ ନମ୍ବର ଜୋନ୍‌ର ଜିଲ୍ଲା ପରିଷଦ ସଭ୍ୟା ଅରୁନ୍ଧତୀ ସାହୁ, ସରପଞ୍ଚ ରଶ୍ମିତା ସାହୁ ଓ ସମିତି ସଭ୍ୟ ମହେଶ୍ୱର ସାହୁ ତଥା କମିସନରେଟ୍‌ ପୁଲିସର ବହୁ ବରିଷ୍ଠ ଅଧିକାରୀଙ୍କ ସହିତ କର୍ମକର୍ତ୍ତା ଉପସ୍ଥିତ ଥିଲେ। ବାଲିଅନ୍ତା ଥାନା ଅଧିକାରୀ ସୁଜିତ ଦାଶ, ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତିଙ୍କ ସମେତ ଉପରୋକ୍ତ ଜୋନ୍‌ର ଏସିପି ଶୁଭେନ୍ଦୁ କୁମାର ସିହ୍ନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର