ଭୁବନେଶ୍ୱରରୁ କଟକ କିମ୍ବା କଟକରୁ ଭୁବନେଶ୍ୱର। ଯେଉଁ ପଟୁ ଆସିଲେ ବି ଗୋଟିଏ ଜାଗାରେ ଗାଡ଼ି ଆପେ ଆପେ ଅଟକିଯାଏ। ପାହାଳର ଧାଡ଼ି ଧାଡ଼ି ମିଠା ଦୋକାନରେ ଆଖିରେ ପଡ଼ିବା କ୍ଷଣି ମନ ଟାଣି ହୋଇଯାଏ। ମିଠା ବେପାରୀଙ୍କ ଗରମ୍ ଗରମ୍ ରସଗୋଲା ଡାକରେ ପାଟିରୁ ଆପେ ଲାଳ ଗଡ଼ିଯାଏ। ଆଉ ଏଠିକାର ଯେ କୌଣସି ଦୋକାନରୁ ମିଠା ଖାଇବା ପରେ ପାଟିରୁ ସ୍ୱତଃ ବାହାରି ଆସେ ଓ୍ଵାଃ...ରସଗୋଲା। ଧାଡ଼ି ଧାଡ଼ି ହୋଇ ରାସ୍ତାର ଦୁଇ ପଟେ ରସଗୋଲା ଦୋକାନ ଖୁନ୍ଦି ହୋଇଥିଲେ ବି ଗ୍ରାହକଙ୍କ ଅଭାବ ପଡ଼େନି ଏଠି। ଗାଡ଼ି ଅଟକିଲା ମାତ୍ରେ ଦୋକାନୀମାନେ ଗ୍ରାହକକୁ ଆକୃଷ୍ଟ କରିବାକୁ ପରସ୍ପର ଭିତରେ ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ କରିଦିଅନ୍ତି। ସେହି ପ୍ରତିଦ୍ୱନ୍ଦ୍ୱିତା ଭିତରେ ଗ୍ରାହକ ବି ଭଲ ଜିନିଷ ନିଜ ପାଇଁ ବାଛିନିଏ। ପାହାଳ ରସଗୋଲାର ଏମିତି ଚାହିଦା ପାଇଁ ଏହା ଏବେ ଓଡ଼ିଶାର ନିଜସ୍ୱ ଖାଦ୍ୟ ତାଲିକାରେ ଏକ ସ୍ୱତନ୍ତ୍ର ସ୍ଥାନ ଦଖଲ କରିପାରିଛି।
ରିପୋର୍ଟ: ସସ୍ମିତା ମଲ୍ଲ, ଫଟୋ: ବିଭୂତି
ଛେନାଗଜା, ପୋଡ଼ର ବି ଚାହିଦା
ପାହାଳରେ କେବଳ ରସଗୋଲା ନୁହେଁ, ଛେନା ଗଜା ଓ ଛେନାପୋଡ଼ର ବି ବେଶ୍ ଭଲ ଚାହିଦା ରହିଛି। ଏଠି ଅଧିକାଂଶ ଦୋକାନରେ ଚାରି ପ୍ରକାରର ରସଗୋଲା, ତିନି ପ୍ରକାର ପୋଡ଼ ଓ ଦୁଇ ପ୍ରକାର ଛେନାଗଜା ବିକ୍ରି ହୋଇଥାଏ। ବବୁଲି ସୁଇଟ୍ସ୍ର ସତ୍ୟନାରାୟଣ ରାଉତରାୟ କହନ୍ତି, ୫୦ ବର୍ଷରୁ ଅଧିକ ହେବ ଏଠାରେ ଆମ ଦୋକାନ ରହିଛି। ରସଗୋଲା ସହ ତିନି ପ୍ରକାରରର ଛେନାପୋଡ଼ ବିକ୍ରି କରିଥାଉ। ସେକା ପୋଡ଼, ଷ୍ଟିମ୍ ଓ ଛେନା ପୋଡ଼ ଅଧିକ ବିକ୍ରି ହୁଏ। ଏଠାରେ ଥିବା ଅନ୍ୟ ବହୁ ଦୋକାନୀଙ୍କ କହିବା ଅନୁଯାୟୀ ଗ୍ରାହକମାନେ ସାଧାରଣତଃ ରସଗୋଲା ଅଧିକ ପାର୍ସଲ୍ କରି ନିଅନ୍ତି। କିନ୍ତୁ ଏଠାରେ ଛେନାପୋଡ଼ ଓ ଛେନାଗଜା ଖାଆନ୍ତି। କିଛି ଦୋକାନରେ ରସାବଳୀ ମଧ୍ୟ ବିକ୍ରି ହେଉଥିବାର ଦେଖାଯାଉଛି।
ସବୁ ମିଠା ବିକ୍ରି ହୋଇଯାଏ
ପାହାଳରେ ରହିଛି ୮୦ରୁ ଅଧିକ ରସଗୋଲା ଦୋକାନ। ଏ ବାଟ ଦେଇ ଯେଉଁ ସମୟରେ ଗଲେ ବି ସବୁ ଦୋକାନରେ ମିଠା ଭର୍ତ୍ତି ହୋଇଥିବା ଦେଖିବାକୁ ମିଳେ। ତେଣୁ ସ୍ୱାଭାବିକ ଭାବେ ମନରେ ପ୍ରଶ୍ନ ଉଠେ, ଏତେ ମିଠା କ’ଣ ସତରେ ବିକ୍ରି ହୋଇଯାଉଛି? କିନ୍ତୁ ଦୋକାନୀମାନଙ୍କ ଉତ୍ତର ହେଲା, ଯେତେ ମିଠା ତିଆରି କଲେ ବି ନିଅଣ୍ଟ ପଡ଼େ। କେବେ ମିଠା ବଳକା ରହେ ନାହିଁ। ଏହି ରାସ୍ତାରେ ଯାଉଥିବା ଲୋକମାନେ ତ ମିଠା ନିଅନ୍ତି। ତାହା ସହ କୋଲକାତା ଓ ଓଡ଼ିଶାର ବିଭିନ୍ନ ସ୍ଥାନରୁ ବରାଦ ବି ଆସେ। ଏଠୁ ମିଠା ତିଆରି ହୋଇ ସେହିସବୁ ସ୍ଥାନକୁ ପଠାଯାଏ। ପାହାଳରେ ବିଭିନ୍ନ ଆକାରର ରସଗୋଲା ଭିନ୍ନ ଭିନ୍ନ ଦାମ୍ରେ ମିଳେ। ୫ ଟଙ୍କାରୁ ଆରମ୍ଭ ହୋଇ ୧୦୦ ଟଙ୍କା ପର୍ଯ୍ୟନ୍ତ। ଏହା ସହିତ ଡାଇବେଟିସ ରୋଗୀଙ୍କ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ଏଠାରେ ସୁଗାର ଫି୍ର ରସଗୋଲା ବି ବିକ୍ରି ହେଉଛି।
ସମସ୍ୟା ବି କିଛି କମ୍ ନୁହେଁ
ପାହାଳର ଓଡ଼ିଶାର ଏକ ପରିଚୟ ପାଲଟିଯାଇଛି। ବଂଶାନୁକ୍ରମିକ ଭାବେ ଏଠାରେ ବହୁ ଦୋକାନୀ ମିଠା ଦୋକାନ କରିଛନ୍ତି। କିନ୍ତୁ ସରକାରଙ୍କ ଶୁଭ ଦୃଷ୍ଟି ସେମାନଙ୍କ ଉପରେ ପଡ଼ୁ ନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ବେପାର ପାଇଁ ସେମାନଙ୍କୁ ସ୍ଥାୟୀ ସ୍ଥାନ ମିଳୁନି। ଯେତେବେଳେ ଜାତୀୟ ରାଜପଥ ସଂପ୍ରସାରଣ ହେଉଛି, ସେତେବେଳେ ଦୋକାନୀଙ୍କୁ ପଛକୁ ଯିବାକୁ ପଡ଼ୁଛି। ପୁଣି ଜାଗା ନ ମିଳିବାରୁ କିଛି ଦୋକାନୀ ଦୋକାନ ଖୋଲି ପାରୁ ନାହାନ୍ତି। ଭବିଷ୍ୟତରେ ଯଦି ଜାତୀୟ ରାଜପଥ ଆହୁରି ସମ୍ପ୍ରସାରଣ ହୁଏ, ତେବେ ବହୁ ଦୋକାନୀ ଜୀବିକା ହରାଇବାର ଆଶଙ୍କା ରହିଛି। ଯଦି ସରକାର ମାର୍କେଟ କମ୍ପ୍ଲେକ୍ସ କରି ଆମକୁ ଥଇଥାନ କରନ୍ତେ, ତା’ହାଲେ ବହୁ ସମସ୍ୟା ସମାଧାନ ହୋଇଯା’ନ୍ତା ବୋଲି ମିଠା ଦୋକାନ କରିଥିବା କାର୍ତ୍ତିକ ବେହେରା କୁହନ୍ତି। ଏହା ସହିତ ଓଡ଼ିଆ ରସଗୋଲାର ପ୍ରାଚୀନତାକୁ ନେଇ ଗବେଷକମାନେ ପ୍ରମାଣ ସହିତ ତଥ୍ୟ ଦେବା ଉପରେ ମଧ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏ ପର୍ଯ୍ୟନ୍ତ ଜି.ଆଇ ଟ୍ୟାଗ୍ ପାଇଁ ଆବେଦନ ହୋଇ ନ ଥିବାରୁ ଏଠାକାର ଦୋକାନୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
ଜନ୍ଦା ପିମ୍ପୁଡ଼ି ଲାଗନ୍ତିନି
ଖୁନ୍ଦାଖୁନ୍ଦି ଦୋକାନ। ବଡ଼ ବଡ଼ ପାତ୍ରରେ ଭର୍ତ୍ତି ହୋଇ ରହିଛି ମିଠା। ସାରା ଅଞ୍ଚଳ ମିଠାମୟ। ତଥାପି ଜନ୍ଦା ପିମ୍ପୁଡ଼ି କେଉଁଠି ଲାଗେ ନାହିଁ। ଦୋକାନୀମାନଙ୍କ କହିବା କଥା ହେଉଛି ରସଗୋଲା ଜଗନ୍ନାଥଙ୍କ ପ୍ରିୟ ମିଠା। ବିଭିନ୍ନ ସ୍ଥାନରେ ଏହାକୁ ପ୍ରଭୁଙ୍କ ନିକଟରେ ଭୋଗ ଲଗାଯାଏ। ସେଥିପାଇଁ ଏହା ଅଇଁଠା ନ ହେବା ଆବଶ୍ୟକ। ଯେମିତି ଜନ୍ଦା ଓ ପିମ୍ପୁଡ଼ି ଏଥିରେ ନ ଲାଗିବେ, ତାହାର ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଥାଏ। ପାହାଳକୁ ଛାଡ଼ି ଦେଲେ ଅନ୍ୟ ସ୍ଥାନରେ ରସଗୋଲାର ଶିରା ବହୁତ ବହଳିଆ ହୋଇଥାଏ। କିନ୍ତୁ ପାହାଳରେ ପ୍ରସ୍ତୁତ ହେଉଥିବା ଶିରା ପୂରା ପତଳା। ତା’ ସହିତ ଏହି ମିଠାରେ ମହୁମାଛି ଲାଗନ୍ତି। ସେଥିପାଇଁ ଜନ୍ଦା ପିମ୍ପୁଡ଼ି ଲାଗନ୍ତି ନାହିଁ ବୋଲି ଜଣେ ଦୋକାନୀ ଦୀପୁ କହିଛନ୍ତି।