ଭୁବନେଶ୍ବର: ଓଡ଼ିଶା ସହ ରସଗୋଲାର ବହୁକାଳର ସଂପର୍କ ଉପରେ ବଳିଷ୍ଠ ତଥ୍ୟଭିତ୍ତିକ ଉପସ୍ଥାପନା କରି ବୌଦ୍ଧିକତାର ଲଢ଼େଇରେ ଆମେ ପଶ୍ଚିମବଙ୍ଗଠାରୁ ବିଜୟ ହେଲୁ ଏବଂ ଜୋର୍‌ କରି ଜିଆଇ ଟ୍ୟାଗ୍‌ ଛଡ଼ାଇ ଆଣିଲୁ। ଆମର ବୁଦ୍ଧିଜୀବୀମାନଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଚେନ୍ନାଇସ୍ଥିତ ଜିଆଇ ରେଜିଷ୍ଟ୍ରି ଅଫିସ୍‌ ୨୦୧୭ରେ ପଶ୍ଚିମବଙ୍ଗକୁ ଦେଇଥିବା ଏହି ଜିଆଇ ଟ୍ୟାଗ୍‌କୁ ପ୍ରତ୍ୟାହାର କରି ୨୦୧୯ରେ ଓଡ଼ିଶାକୁ ପ୍ରଦାନ କରିବା ପାଇଁ ବାଧ୍ୟ ହେଲା। ଓଡ଼ିଶାର ଏହି ବିଜୟକୁ ଆଉ କିଛି ଦିନ ପରେ ୪ ବର୍ଷ ପୂର୍ତ୍ତି ହେବ। କିନ୍ତୁ ରସଗୋଲାର ପରିଚୟକୁ ବଳିଷ୍ଠ କରାଇବାରେ ସରକାର ଯେଭଳି ପଦକ୍ଷେପ ନେବା କଥା, ତାହା ଏଯାବତ୍‌ ନେଇନାହାନ୍ତି। ଆଉ କିଛି କରିବା ତ ଦୂରେ ଥାଉ, ‘ରସଗୋଲା କ୍ଲଷ୍ଟର୍‌’ ନିର୍ମାଣ ପାଇଁ ଯେଉଁ ଘୋଷଣା କରିଥିଲେ, ତାହା ଏଯାବତ୍‌ ପୂରା କରିପାରି ନାହାନ୍ତି। ପାହାଳରେ କମନ୍ ଫେସିଲିଟି ସେଣ୍ଟର (ସିଏଫ୍‌ସି) ନିମନ୍ତେ ଦେଢ଼ ଏକର ଜାଗା ଯୋଗାଇ ଦିଆଯିବା ବ୍ୟତୀତ ଏହି ପ୍ରକଳ୍ପ ଆଉ ପାଦେ ବି ଆଗେଇ ନାହିଁ। ଫଳରେ ରାଜ୍ୟ ତଥା ଦେଶ ବାହାରେ ଓଡ଼ିଶା ରସଗୋଲାକୁ ନୂଆ ପରିଚୟ ଦେବାକୁ ଚାହିଁ ବସଥିବା ବ୍ୟବସାୟୀଙ୍କୁ ନିରାଶ ହେବାକୁ ପଡ଼ିଛି।

Advertisment

୨୦୧୯ରୁ ଝୁଲିଛି, ଜମି ଦେଇ ଚୁପ୍‌ ବସିଛନ୍ତି ସରକାର
ଚାରି ବର୍ଷ ପରେ ବି ଡିପିଆର୍‌ ପ୍ରସ୍ତୁତ ସରୁନି
ଡିପିଆର୍‌ ପ୍ରସ୍ତୁତ ହେଲେ କାମ ଆରମ୍ଭ କରିବୁ: ସଂଘ ସଭାପତି

ସୂଚନାଯୋଗ୍ୟ, ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରାଳୟ ଓ କଟକସ୍ଥିତ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନ ସହଯୋଗରେ ଏହି କ୍ଲଷ୍ଟର ସ୍ଥାପନ ହେବା ପାଇଁ ସ୍ଥିର ହୋଇଛି। ଏଥିପାଇଁ ଭାରତ ସରକାର ୭ କୋଟି, ରାଜ୍ୟ ସରକାର ୨ କୋଟି ଏବଂ ମିଠା କାରିଗରମାନେ ୧ କୋଟି ଟଙ୍କା ବହନ କରିବେ। ପାହାଳର ୮୭ ଜଣ ମିଠା କାରିଗର ଏହି କ୍ଲଷ୍ଟର୍‌ ଜରିଆରେ ଉପକୃତ ହେବେ। ଅତ୍ୟାଧୁନିକ ବ୍ୟବସ୍ଥା ଜରିଆରେ ଏହି ସେଣ୍ଟର୍‌ରେ କ୍ଷୀରରୁ ଛେନା ପ୍ରସ୍ତୁତି ପାଇଁ ବ୍ୟବସ୍ଥା ସହ ମିଠା ପାଇଁ ଆବଶ୍ୟକ କଞ୍ଚାମାଲ୍‌ର ବ୍ୟବସ୍ଥା କରାଯିବ। ରସଗୋଲାର ମାନ ପରୀକ୍ଷଣ ପାଇଁ ଏଠାରେ ଏକ ଏକ ଟେଷ୍ଟିଂ ଲାବରୋଟାରିର ମଧ୍ୟ ବ୍ୟବସ୍ଥା କରାଯିବ। ସେହିପରି, ୫ ଦିନ ମଧ୍ୟରେ ମିଠା ନଷ୍ଟ ହୋଇ ଯାଉଥିବାରୁ ରାଜ୍ୟ ବାହାରକୁ ପଠାଇବାରେ ଅସୁବିଧା ହେଉଛି। ଏ ସମସ୍ୟାକୁ ଦୂର କରିବା ପାଇଁ ଏହି କ୍ଲଷ୍ଟର୍‌ରେ ଉନ୍ନତ ମାନର ପ୍ୟାକେଜିଂର ବ୍ୟବସ୍ଥା ଉପଲବ୍‌ଧ ହେବ। ଅଧିକ ଦିନ ମିଠା ରହିପାରିବ।

ଏହାଦ୍ବାରା ମିଠା କାରିଗରମାନେ ଅଧିକ ଉତ୍ପାଦନ ସହ ଭଲ ରୋଜଗାର କରିପାରିବେ ଏବଂ ଓଡ଼ିଶାର ରସଗୋଲାକୁ ଦେଶ ଓ ରାଜ୍ୟ ବାହାରେ ବ୍ରାଣ୍ଡିଂ କରିବା‌ରେ ସହାୟକ ହେବ। କିନ୍ତୁ ମିଠା ବ୍ୟବସାୟୀମାନେ ଚାତକ ପରି କ୍ଲଷ୍ଟର୍‌ ନିର୍ମାଣକୁ ଚାହିଁ ବସିଥିଲେ ହେଁ ଏପର୍ଯ୍ୟନ୍ତ ପ୍ରକଳ୍ପ ପାଇଁ ଇଟା ଖଣ୍ଡେ ପଡ଼ି ନାହିଁ।
ମିଠା ବ୍ୟବସାୟୀ ସଂଘର ସଭାପତି ଅକ୍ଷୟ ଲେଙ୍କା କହିଛନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ଇଡ୍‌କୋ ପକ୍ଷରୁ କେବଳ ଦେଢ଼ ଏକର ଜମି ଯୋଗାଇ ଦିଆଯାଇଛି। ସେଠାରେ ଅନ୍ୟ କୌଣସି କାମ ଆରମ୍ଭ ହୋଇନାହିଁ। କ୍ଲଷ୍ଟର ପାଇଁ କେନ୍ଦ୍ର ସରକାର ୬୦ ପ୍ରତିଶତ, ୨୦ ପ୍ରତିଶତ ରାଜ୍ୟ ଏବଂ ୨୦ ପ୍ରତିଶତ ଟଙ୍କା ଖର୍ଚ୍ଚ କରିବାକୁ ଆଲୋଚନା ହୋଇଛି। ଡିପିଆର୍‌ ପ୍ରସ୍ତୁତ ଚାଲିଛି ବୋଲି ସୂଚନା ମିଳିଛି। ଡିପିଆର୍‌କୁ କଟକସ୍ଥିତ ଭାରତ ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିକାଶ ପ୍ରତିଷ୍ଠାନର ଭାରପ୍ରାପ୍ତ ନିର୍ଦ୍ଦେଶକ ଏବଂ ଏମ୍‌ଏସ୍‌ଏମ୍‌ଇ ସଚିବ ଦେଖିବା ପରେ ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଦିଲ୍ଲୀ ପଠାଯିବ। ଏଥିପାଇଁ ମାସାଧିକ ସମୟ ଲାଗିବ। କିନ୍ତୁ ଡିପିଆର୍‌ ପ୍ରସ୍ତୁତ ପରେ ଆମେ ବ୍ୟବସାୟୀମାନେ କାମ ଆରମ୍ଭ କରିବୁ ବୋଲି ସେ କହିଛନ୍ତି। ଅନ୍ୟପଟେ ଏ ସମ୍ପର୍କରେ ସରକାରଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ।