ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ଆଉ ଏହାକୁ ବ୍ରେକ ଲଗାଇବା ପାଇଁ ରାଜ୍ୟରେ ଲକ୍‌ଡାଉନ ଓ ସପ୍ତାହାନ୍ତ ସଟ୍‌ଡାଉନ ଘୋଷାଣା କରାଯାଇଛି l ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଆଉ ସବୁ ବନ୍ଦ ରହିଛି l ଏହି ସଙ୍କଟମୟ ସ୍ଥିତିରେ ସମସ୍ତଙ୍କ ଜୀବନ ଉପରେ ପ୍ରଭାବ ପକାଇଛି କରୋନା ମହାମାରୀ l ଜୀବିକା ମଧ୍ୟ ପ୍ରଭାବିତ ହୋଇଛି l ସାଧାରଣ ଜନଜୀବନକୁ ପ୍ରଭାବିତ କରିଥିବା କରୋନାର ପ୍ରଭାବରେ ରସଗୋଲା ବଜାର ଅବସ୍ଥା ସମ୍ପୂର୍ଣ୍ଣ ବେହାଲ ହୋଇପଡ଼ିଛି l ଓଡ଼ିଶା ପ୍ରସିଦ୍ଧ ପାହାଳ ରସଗୋଲା କାରିଗର ମୁଣ୍ଡରେ ହାତ ଦେଇ ବସିଛନ୍ତି। ସବୁବେଳେ ଚଳଚଞ୍ଚଳ ଥିବା ପାହାଳ ମିଠା ବଜାର ଏବେ ଶୂନ୍‌ଶାନ। କିଛି ମିଠା ଦୋକାନୀ ଲକଡାଉନ୍ ପୂର୍ବରୁ ବେପାର ହୋଇଥିବା ସଞ୍ଚିତ ଅର୍ଥରେ ଚଳୁଛନ୍ତି ତ ଆଉ କିଛି ପରିବା ଦୋକାନ ଖୋଲି ବସିଥିବା କହିଛନ୍ତି।

Advertisment

କଟକ-ଭୁବନେଶ୍ବର ମଧ୍ୟସ୍ଥଳରେ ରହିଛି ବିଶ୍ଵ ପ୍ରସିଦ୍ଧ ପାହାଳ ରସଗୋଲା ବଜାର। ଏହି ରାସ୍ତାରେ ଯାଉଥିବା ଲୋକମାନେ ପାହାଳ ନିକଟରେ କିଛି ସମୟ ଅଟକିଯାଆନ୍ତି। କାରଣ ପାହାଳ ରସଗୋଲା ଖାଇବା ସହ ଘରକୁ ମଧ୍ୟ ନେଇଥାନ୍ତି। ତାହା ସହ ଛେନାଗଜା କିମ୍ବା ଛେନାପୋଡ ନେବାକୁ ମଧ୍ୟ ଭିଡ ଜମେ। ଦଶହରା, ଦୀପାବଳି ଆଉ ପର୍ବ ପର୍ବାଣିରେ ଭିଡ ଅଧିକ ଜମି ଥାଏ। କିନ୍ତୁ ଏହି କରୋନା ଲକ୍‌ଡାଉନ ମିଠାପ୍ରେମୀଙ୍କୁ କେବଳ ମିଠା ଖାଇବାରୁ ବଞ୍ଚିତ କରିନି ବରଂ ମିଠା କାରିଗରଙ୍କ ଜୀବନରେ ମଧ୍ୟ ବଡ଼ ଝଡ଼ ହୋଇ ଉଭା ହୋଇଛି। ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ ଓ ଟ୍ରେନରେ ମିଠା ପଠାଯାଇଥାଏ। କିନ୍ତୁ ଏବେ ତାହା ମଧ୍ୟ ବନ୍ଦ ରହିଛି।

ମିଠା ଦୋକାନୀ ହରିହର ସାହୁ କୁହନ୍ତି, ଚଳିତ ବର୍ଷ କରୋନା ପାଇଁ ଅବସ୍ଥା ଯେମିତି ହୋଇଥିଲା ଏ ବର୍ଷ ତା’ ଠାରୁ ଅଧିକ ପ୍ରଭାବ ପଡ଼ିଛି। ଲକ୍‌ଡାଉନ ପୂର୍ବରୁ ଭଲ ବେପାର ଚାଲିଥିଲା l କିନ୍ତୁ କରୋନା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅନେକ ମିଠା ଦୋକାନୀ। ଦୋକାନରେ ମିଠା ତିଆରି ପାଇଁ ଦୈନିକ ୩୦ କେଜି ଛେନା ମଗାଉଥିଲି। ଦୈନିକ ପ୍ରାୟ ୫-୭ ହଜାର ଟଙ୍କାର ବେପାର ହେଉଥିଲା। ଦି ପଇସା ଲାଭ ବାହାରିବା ସହ ୪ ଜଣ କର୍ମଚାରୀ ମଧ୍ୟ ଦୋକାନରୁ ଚଳିଯାଉଥିଲେ। ହେଲେ ବର୍ତ୍ତମାନ କରୋନା ପାଇଁ ପରିବାର ଚଳିବା କଷ୍ଟକର ହୋଇପଡ଼ିଛି। କିଛି ବେପାର ନଥିବାରୁ ବର୍ତ୍ତମାନ ପରିବା ଦୋକାନ କରିଛି। ଲକ୍‌ଡାଉନ ଖୋଲିଲେ ପୁଣି ମିଠା ବ୍ୟବସାୟ ଆରମ୍ଭ କରିବି। ସଞ୍ଚିତ ଟଙ୍କା ସରିବାକୁ ବସିଲାଣି। କେବେ ଲକଡାଉନ୍ ଖୋଲିବ ତାକୁ ଅପେକ୍ଷା କରି ରହିଛି।