ସକାଳୁ ଗୁଳୁଗୁଳି ଅସ୍ତବ୍ୟସ୍ତ କରୁଥିଲା। ଦିନ ୧୦ଟା ବେଳକୁ ତାପମାତ୍ରା ଗତକାଲି ଅପେକ୍ଷା ୪ଡିଗ୍ରି ବଢ଼ି ଯାଇଥିଲା। କିନ୍ତୁ ପାଗର ସବୁ ଷଡ଼୍ଯନ୍ତ୍ର ଫସର ଫାଟି ଯାଇଥିଲା। ଚେଷ୍ଟା କରି ବି ରଜକୁ ଫିକା କରି ପାରିନଥିଲା। ଯଦିଓ ପର୍ଯ୍ୟଟନସ୍ଥଳ ପୂର୍ବବର୍ଷ ଭଳି ଲୋକାରଣ୍ୟ ହୋଇନଥିଲା, ମାତ୍ର ଅପରାହ୍ଣ ବେଳକୁ ଜମି ଯାଇଥିଲା ରଜ ମଉଜ। କିଛି ବଛାବଛା ଜାଗାରେ ବ୍ୟାପକ ଭିଡ଼ ଜମିଥିଲା। ଦୋଳି ଖେଳରେ ରୁଚି ରଖୁଥିବା ଝିଅମାନଙ୍କ ଗାଡ଼ି ଛୁଟିଥିଲା ପାତ୍ରପଡ଼ାକୁ। ମହାରାଜା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ କ୍ରିକେଟ୍ ପଡ଼ିଆରେ ଅନୁଷ୍ଠିତ ରଜ ମହୋତ୍ସବ ଅବସରରେ ଚଳିତ ବର୍ଷ ୭୦ ଦୋଳି ଝୁଲୁଥିଲା। ଗୋଟିଏ ବି ଦୋଳିକୁ ଫୁରସତ୍ ନଥିଲା। ଜଣେ ଉଠିବା ମାତ୍ରେ ୨ ଜଣ ଦୋଳି ଖେଳିବା ପାଇଁ ଲାଇନ୍ରେ ରହୁଥିବା ଦେଖିବାକୁ ମିଳିଥିଲା। ପୂର୍ବ ବର୍ଷ ୧୫୦ ଦୋଳି ଲାଗିଥିଲେ ହେଁ ଫନିରେ ସିମୁରିଆ ଗଛଗୁଡ଼ିକ ଭାଙ୍ଗିରୁଜି ଯାଇଥିବାରୁ ଏଥର ବଲ୍ଲାରେ ଦୋଳି ବନ୍ଧା ଯାଇଥିଲା। ଏଥିସହ ଏହି ପଡ଼ିଆ ପରିସରରେ ମୀନା ବଜାର ସହ ମେଳା ଲାଗିଥିଲା। ଏଥିସହ ପାନ୍ଥ ନିବାସରେ ମଧ୍ୟ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ଓ ସାଢ଼େ ୩ଟାରୁ ରାତି ସାଢ଼େ ୯ଟା ପର୍ଯ୍ୟନ୍ତ ଦୋଳି ଖେଳିବାକୁ ଭିଡ଼ ଜମିଥିଲା।
ବୋହିନେଲେ ପିଠା
ପିଠାରଙ୍କୁଣା ସହରବାସୀ ଆଜି ପୋଡ଼ ପିଠାର ସ୍ବାଦ ଟିକେ ପାଇବାକୁ ପିଠା ମିଳୁଥିବା ସ୍ଥାନରେ ଲମ୍ବା ଲାଇନ୍ ଲଗାଇଥିଲେ। ପୁଷ୍ପକ ହୋଟେଲ୍ ଓ ନିମାପଡ଼ା ସୁଇଟ୍ସରେ ପୋଡ଼ ପିଠା ସହ ରକମ ରକମର ପାରମ୍ପରିକ ପିଠା କିଣିବାକୁ ସହରବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ପାନ୍ଥ ନିବାସରେ ଗତକାଲି ପ୍ରଥମ ଦିନରେ ୭୩ ହଜାର ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ଆଜି ୩ଲକ୍ଷ ୧୧ ହଜାର ଟଙ୍କାର ପିଠା ବିକ୍ରି ହୋଇଛି। ପାନ୍ଥ ନିବାସରେ ୧୨ଟି ଚୁଲାରେ ୨୦ରୁ ଅଧିକ କାରିଗର ପିଠା ପ୍ରସ୍ତୁତିରେ ଲାଗିଥିଲେ ହେଁ ପିଠା ଯୋଗାଇବା କାଠିକର ହୋଇଯାଇଥିଲା। ବାସ୍କେଟ ପିଠା ପ୍ରଥମେ ସରିଆସିଥିଲା। ମାଣ୍ଡିଆ ପିଠା ବି ଯଥେଷ୍ଟ ମିଳିପାରିନଥିଲା। ଏଥିସହ ଏକାମ୍ର ହାଟ ପରିସରରେ ପେଟପୂଜାରେ ଝାଉଁକାଠ ପୋଡ଼ା ପୋଡ଼ପିଠା ଓ ଭଜା ମଣ୍ଡା ଖାଇବା ସହ ଲୋକେ ଘରକୁ ବୋହି ନେଇଥିଲେ।
/sambad/media/post_attachments/wp-content/uploads/2019/06/r2-300x208.jpg)
ଆମିଷ ବଜାରରେ ଭିଡ଼
ଭୁବନେଶ୍ବର : ଆଜି ଥିଲା ପହିଲି ରଜ। ଶୁକ୍ରବାର ଥିବାରୁ ସକାଳୁ ସକାଳୁ ଆମିଷ ଦୋକାନରେ ଭିଡ଼ ଜମିଥିଲା। ରାଜଧାନୀର ବିଭିନ୍ନ ଅଞ୍ଚଳରେ ମାଛ ବଜାର ସମେତ ୟୁନିଟ୍-୪ସ୍ଥିତ ଆମିଷ ବଜାରରେ ଲୋକମାନେ ଭିଡ଼ ଲଗାଇଥିଲେ। ତେବେ ଚିକେନ୍ ଦର ହଠାତ୍ ବଢ଼ିଯିବା ଯୋଗୁଁ ମାଛ ଓ ମଟନ୍ର ଅଧିକ ଚାହିଦା ଦେଖିବାକୁ ମିଳିଥିଲା।
ୟୁନିଟ୍-୪ ଆମିଷ ବଜାରରେ ଆଜି ରୋହି ମାଛ ଦର ୧୫୦/୧୬୦ ଟଙ୍କା ଥିବା ବେଳେ ଭାକୁର ଦର ଚଢ଼ା ରହିଥିଲା। କିଲୋ ପିଛା ଏହା ୨୫୦/୨୮୦ ଟଙ୍କାରେ ବିକ୍ରି ହୋଇଥିଲା। ଛୋଟ ଚିଙ୍ଗୁଡ଼ି ଦର ୩ଶହରୁ ଆରମ୍ଭ ହୋଇ ୬ଶହ ଟଙ୍କା ପର୍ଯ୍ୟନ୍ତ ରହିଥିଲା। ଇଲିସି ଦର ୮ଶହରୁ ଆରମ୍ଭ କରି ୧୨ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା। ପମ୍ପ୍ରେଟ୍ ମାଛ ଦର ହଜାରେ ଟଙ୍କା ରହିଥିଲା। ମାତ୍ର ମଟନ୍ ଦରରେ କୌଣସି ପରିବର୍ତନ ଦେଖିବାକୁ ମିଳିନଥିଲା। ପୂର୍ବଭଳି ଏହା ୬ଶହ ଟଙ୍କାରେ ବିକ୍ରି ହୋଇଥିଲା। ସେହିପରି ଚିକେନ୍ ଦର ୨୪୦/୨୫୦ ଟଙ୍କା ରହିଥିଲା। ୫ଦିନ ତଳେ ଚିକେନ୍ ଦର ହଠାତ୍ ବଢ଼ିଯିବା କାରଣରୁ ଆଜି ବେପାର ମାନ୍ଦା ରହିଥିବା ବ୍ୟବସାୟୀମାନେ କହିଛନ୍ତି। ତେବେ ରବିବାର ଶେଷ ରଜ ପଡ଼ୁଥିବା ବେଳେ ଏହି ଦିନ ବେପାର ଅଧିକ ଜମିବ ବୋଲି ବ୍ୟବସାୟୀମାନେ ଆଶା ରଖିଛନ୍ତି।
ପର୍ଯ୍ୟଟନ କ୍ଷେତ୍ରରେ କମ୍, ଫିଲ୍ମ ହଲ୍ରେ ହାଉସ୍ଫୁଲ୍
ପ୍ରବଳ ଖରା ଯୋଗୁଁ ଆଜି ପର୍ଯ୍ୟଟନ କ୍ଷେତ୍ରରେ ବୁଲାବୁଲି ପାଇଁ ଏତେଟା ଉତ୍ସୁକତା ଦେଖିବାକୁ ମିଳିନଥିଲା। ସବୁଠୁ ଅଧିକ ପର୍ଯ୍ୟଟକ ଟାଣୁଥିବା ନନ୍ଦନକାନନରେ ଚଳିତ ବର୍ଷ ପହିଲି ରଜ ଅପେକ୍ଷା ଏଥର ପର୍ଯ୍ୟଟକଙ୍କ ଆଗମନ ୧୦ ହଜାର ହ୍ରାସ ପାଇଛି। ଗତବର୍ଷ ପହିଲି ରଜରେ ନନ୍ଦନକାନନରେ ୨୨ହଜାର ୩୦ ଟିକେଟ୍ ବିକ୍ରି ହୋଇଥିବା ବେଳେ ଆଜି ୧୨ହଜାର ୨୦୧ ଟିକେଟ୍ ବିକ୍ରି ହୋଇଥିଲା। ସେଇଭଳି ଧଉଳି, ଲିଙ୍ଗରାଜ ମନ୍ଦିରରେ ଆଜି ପର୍ଯ୍ୟଟକଙ୍କ ସଂଖ୍ୟା ଆଶାତୀତ ନଥିଲା। ତେବେ ତାପମାତ୍ରା ୩୮ ଡିଗ୍ରିରେ ପହଞ୍ଚିଥିବାରୁ ଏବଂ ଗୁଳୁଗୁଳି ଯୋଗୁଁ ଫିଲ୍ମ ହଲ୍ରେ ସମୟ ବିତାଇବାକୁ ବ୍ୟାପକ ଭିଡ଼ ଜମିଥିଲା। ସଲ୍ମନ୍ ଓ କ୍ୟାଟ୍ରିନାଙ୍କ ‘ଭାରତ’ ଦେଖିବାକୁ ଭିଡ଼ ଜମିଥିବା ବେଳେ ପପୁ ପମ୍ପମ୍ଙ୍କ ନିର୍ଦେଶିତ ଚଳଚ୍ଚିତ୍ର ପ୍ରଥମ ଦିନର ସୋ’ ମାଗଣା ଚାଲିଥିବାରୁ ହାଉସ୍ଫୁଲ୍ ହୋଇଥିଲା। ଏଥିସହ ଗୋଲ୍ମାଲ୍ ଲଭ୍ ଓ ତୁ ମୋ ଲଭ୍ ଷ୍ଟୋରି -୨ ଦେଖିବାକୁ ମଧ୍ୟ ଭିଡ଼ ଜମୁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/r1.jpg)