ଆଜି ଘରେ ପହିଲି ରଜ, ଖେଳ ଉପରେ ଲାଗିଲା ରୋକ୍‌

ଭୁବନେଶ୍ବର : କରୋନା ଦୂରତା ବଢ଼େଇ ଦେଇଛି। ଦୋଳିରେ ସାଙ୍ଗମେଳରେ ଝୁଲିବାର ମଜା ବି ଛଡ଼େଇ ନେଇଛି। ଏହା ସତ୍ତ୍ବେ ରଜ ପାଇଁ ଆଜି ସଜବାଜ ଆରମ୍ଭ ହୋଇଯାଇଛି। କଟକଣା ଥିଲେ ହେଁ ଉପକଣ୍ଠରେ ସାଙ୍ଗମେଳରେ ପରସ୍ପର ହାତରେ ମେହେନ୍ଦି ଲଗାଇଛନ୍ତି। ଉତ୍ସାହରେ ସକାଳକୁ ଚାହିଁ ବସିଛନ୍ତି। ବିଏମ୍‌ସି ପକ୍ଷରୁ ରାଜଧାନୀରେ ଦୋଳି ଝୁଲିବା ଉପରେ କଟକଣା ଜାରି ହୋଇଛି। ତେଣୁ ଘରେ ଦୋଳି ଝୁଲିବା ଏକରକମ ଥୟ ହୋଇଛି। ଅନ୍‌ଲାଇନରେ ପାନ ବି ଅର୍ଡର ଦିଆ ଚାଲିଛି। ପୁଣି ଆଜିଠୁ ଅନ୍‌ଲାଇନରେ ପିଠା ବି ଅର୍ଡର ଦିଆସରିଛି। ତେବେ ଅନେକ ଘରେ ନିଜେ ପିଠା କରିବା ପାଇଁ ଆଣ ପ୍ରସ୍ତୁତ କରିଛନ୍ତି। ବାହାରେ ଖେଳ ଜମି ପାରିବନି ବୋଲି ବି କଟକଣା ଲଗାଯାଇଛି। ତେଣୁ ଝିଅମାନେ ଆଜିଠୁ ନିଜ ପଡ଼ୋଶୀ ସାଙ୍ଗମାନଙ୍କ ସହ କଥା ହୋଇ କିଏ କାହା ଘରକୁ ଯିବ ସ୍ଥିର କରିସାରିଛନ୍ତି। ବାହାରେ ବୁଲାବୁଲି ନକରିପାରିଲେ ହେଁ ସାଙ୍ଗଘରକୁ ଯାଇ ପିଠା ଖାଇବେ। ସେଇଠି ଖେଳ ଜମିବ। ରଜ ମଉଜ ଏଥର ଯାହା ହେବ ରୁଦ୍ଧ ଦ୍ବାର ମଧ୍ୟରେ।

Sambad English

ରାତି ଅଧ ପରେ ଲୁଚାଛପାରେ ଆମିଷ ବେପାର
ପହିଲି ରଜ ଏଥର ରବିବାର ପଡ଼ୁଛି। ହେଲେ ଏଥ‌ର ରେସ୍ତୋରାଁ ଯାଇ ହେବ ନାହିଁ। ତେଣୁ ପିଠା ସହ ଘରେ ସ୍ବାଦିଷ୍ଟ ଖାଦ୍ୟର ଆସର ଜମିବ। ସଟ୍‌ଡାଉନ ଯୋଗୁଁ ବଜାର ହାଟ ବନ୍ଦ ରହିବ। ଫଳରେ ଆମିଷ ମିଳିବ ନାହିଁ। ମାତ୍ର ଆମିଷ ବ୍ୟବସାୟର ଚାହିଦାକୁ ଦୃଷ୍ଟିରେ ରଖି କିଛି ବ୍ୟବସାୟୀ ରାତି ଅଧ ପରେ ମଟନ, ଚିକେନ ଓ ମାଛ ବିକ୍ରି କରିବାକୁ ଯୋଜନା କରିଛନ୍ତି। ଏଥିପାଇଁ ଚିହ୍ନାଜଣା ଗ୍ରାହକମାନଙ୍କ ସହ ଡିଲ୍‌ ବି ସରିଛି। ଯୋଜନା ମୁତାବକ, ରାତି ପାହିବା ପୂର୍ବରୁ ବେପାର ସରିଯିବ। କିଛି ସ୍ଥାନରେ କଟା ଚିକେନ ବଦଳରେ ଗୋ‌ଟା ପକ୍ଷୀ ବିକ୍ରି ହେବ। ଅନେକ ଏନେଇ ନିଜ ଚିହ୍ନାଜଣା ଗ୍ରାହକଙ୍କୁ ଫୋନ ଯୋଗେ ମଧ୍ୟ ସୂଚନା ଦେଇସାରିଛନ୍ତି। ମଟନ ଦର ୭୦୦ ଛୁଇଁଛି, ଚିକେନ ଦର ବି ବଢ଼ି ୨୬୦ ହୋଇଛି। ମାତ୍ର ମଟନ ଖାଇବା ପାଇଁ ଅଧିକ ଆଗ୍ରହ ଦେଖାଇଛନ୍ତି। ବିଶେଷକରି ଗଳିକନ୍ଦିରେ ପାହାନ୍ତିଆ ପୂର୍ବରୁ ବେପାର ଶେଷ କରିଦେବାକୁ ଯୋଜନା ହୋଇଛି।

୧୫୦ରୁ ଊର୍ଧ୍ବ ଘରେ ପିଠା ଯୋଗାଇଲା ଓଟିଡିସି
ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ରଜ ପିଠାର ହୋମ ଡେଲିଭରି ଆଜିଠୁ ଆରମ୍ଭ ହୋଇଛି। ପ୍ରଥମଦିନରୁ ହିଁ ଲୋକଙ୍କ ମଧ୍ୟରେ ପିଠା ମଗାଇବାକୁ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଆଜି ପ୍ରଥମ ଦିନରେ ୧୫୦ରୁ ଅଧିକ ପରିବାର ନିକଟରେ ପିଠା ପହଞ୍ଚାଇଥିଲା ଓଟିଡିସି। ପାନ୍ଥନିବାସରେ ପିଠା ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ପାନ୍ଥନିବାସର ୩ରୁ ୫ କିଲୋମିଟର ପରିଧି ମଧ୍ୟରେ ଥିବା ପରିବାର ପାଖରେ ହୋମ ଡେଲିଭରି ଦେବାର ସୁବିଧା କରାଯାଇଥିଲା। ରବିବାର ସଟ୍‌ଡାଉନରେ ମଧ୍ୟ ଲୋକେ ପିଠା ଅର୍ଡର କରିପାରିବେ। ଏହା ବ୍ୟତୀତ ୧୫ରୁ ୧୭ ପର୍ଯ୍ୟନ୍ତ ‘ପିଠା ଅନ ହ୍ବିଲ୍‌’ ମାଧ୍ୟମରେ ଜୟଦେବ ଭବନ, ରୂପାଲି ଛକ, ଖଣ୍ଡଗିରି ଛକ, ସିଆରପି ଛକ, ପୋଖରୀପୁଟ୍ ଛକ ଓ ନୀଳାଦ୍ରିବିହାର ଛକ ନିକଟରେ ପିଠା ଉପଲବ୍ଧ ହେବ।

ScoopWhoop

ଖେଳ ଉପରେ ଲାଗିଲା ରୋକ୍‌
ରଜରେ ରାଜଧାନୀରେ କି ରାଜଧାନୀ ଉପକଣ୍ଠରେ କେଉଁଠି ବି ଦୋଳି ଖେଳ ହୋଇପାରିବନି। କେବଳ ଦୋଳି ନୁହେଁ, କବାଡ଼ି, ତାସ୍‌ ଆଦି ଖେଳ ବି ହୋଇପାରିବନି। କୌଣସି ସ୍ଥାନରେ ଏକାଧିକ ଲୋକ ରୁଣ୍ଡ ହୋଇପାରିବେନି। ଏନେଇ ଆଜି ବିଏମ୍‌ସି କମିସନର ଓ ଖୋର୍ଦ୍ଧା ଜିଲ୍ଲାପାଳ ପୃଥକ ପୃଥକ ନିର୍ଦ୍ଦେଶନାମା ଜାରି କରିଛନ୍ତି। କରୋନା ସଂକ୍ରମଣ ନବ୍ୟାପିବା ପାଇଁ ଏହିଭଳି ପ୍ରତିଷେଧମୂଳକ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ପହିଲି ରଜ ସଟ୍‌ଡାଉନ୍‌ରେ ପଡ଼ୁଥିଲେ ବି ରଜ ସଂକ୍ରାନ୍ତି ଓ ଶେଷ ରଜ ସୋମ ଓ ମଙ୍ଗଳବାର ପଡ଼ୁଛି। ଏହି ଦୁଇଦିନ ରାଜଧାନୀ କଟକଣାମୁକ୍ତ ଥିବାରୁ କାଳେ କେଉଁଠି କିଏ ରଜ ଦୋଳି ପକାଇବେ, କେଉଁଠି ଅଧିକ ଲୋକ ଏକତ୍ରିତ ହେବେ ତାହାକୁ ନଜରରେ ରଖି ବିଏମ୍‌ସି ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇଛି। ଘର ବାହାରେ କୌଣସି ପ୍ରକାରର ଖେଳ ହେବନି ବୋଲି କୁହାଯାଇଛି।

ସେହିପରି ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ ବିଏମ୍‌ସି ଅଞ୍ଚଳ ବାଦ୍‌ ଅନ୍ୟ ଅଞ୍ଚଳ ପାଇଁ ଜୁନ୍‌ ୧୪ରୁ ୧୬ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣ ସ୍ଥାନରେ ସାଂସ୍କୃତିକ, ସାମାଜିକ, କ୍ରୀଡ଼ା, ରଜ ‌ଦୋଳି ପ୍ରତିଯୋଗିତା, ତାସ୍‌ ଖେଳ ଆଦିକୁ ନିଷେଧ କରିଛନ୍ତି। ଏହି ନିଷେଧାଦେଶକୁ ଅମାନ୍ୟ କରୁଥିବା ବ୍ୟକ୍ତି ୧୮୮ ଆଇପିସି (୧୮୬୦ର ୪୫) ଧାରା ଅନୁଯାୟୀ ଅପରାଧିକ ମାମଲାରେ ଦଣ୍ଡିତ ହେବେ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି ଯେ, ରଜ ପର୍ବ ଖୋର୍ଦ୍ଧା ଜିଲ୍ଲାର ଏକ ପ୍ରମୁଖ ପର୍ବ। ଏହି ପର୍ବ ପାଳନ ସମୟରେ ବହୁ ସାଂସ୍କୃତିକ କାର୍ଯ୍ୟକ୍ରମ, କୀଡ଼ା, ରଜଦୋଳି ପ୍ରତିଯୋଗିତା ଆଦି ହୋଇଥାଏ। କିନ୍ତୁ ଜିଲ୍ଲାର ପ୍ରାୟ ସମସ୍ତ ବ୍ଲକ ଓ ସହରାଞ୍ଚଳ ବିଜ୍ଞାପିତ ପରିଷଦରେ କରୋନା ପଜିଟିଭ୍‌ ରୋଗୀ ଦିନକୁ ଦିନ ବଢ଼ୁଥିବାରୁ ସାମାଜିକ ଗହଳି ବେଳେ ଏହା ବ୍ୟାପିବାର ସମ୍ଭାବନା ଅଧିକ। ତେଣୁ ରଜରେ ସମସ୍ତ କାର୍ଯ୍ୟକ୍ରମ ବାତିଲ୍‌ କରାଯିବା ସହ ସର୍ବସାଧାରଣ ଏକାଠି ହେବାରେ ରୋକ୍‌ ଲାଗିଛି।

ସମ୍ବନ୍ଧିତ ଖବର