ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମି ରାଜ୍ୟ ସଂସ୍କୃତି ବିଭାଗ ଓ କେନ୍ଦ୍ର ଲଳିତ କଳା ଏକାଡେମି, ନୂଆଦିଲ୍ଲୀର ମିଳିତ ଆନୁକୂଲ୍ୟରେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିର ଭୁବନେଶ୍ୱରସ୍ଥିତ ସଂସ୍କୃତି ଭବନ ପରିସରରେ ଉଦ୍‌ଘାଟିତ ହୋଇଯାଇଛି।

ରାଜ୍ୟ ସଂସ୍କୃତି ବିଭାଗର କମିସନର ତଥା ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ଦ୍ୱାରା ଏହି ଶିବିରଟି ଉଦ୍‌ଘାଟିତ ହୋଇଥିଲା। ଏହି ଉତ୍ସବରେ ସଂସ୍କୃତି ବିଭାଗର ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ଅମରେନ୍ଦ୍ର କୁମାର ପଟ୍ଟନାୟକ, କେନ୍ଦ୍ର ଲଳିତ କଳା ଏକାଡେମି ସଚିବ ରାମକୃଷ୍ଣ ବେହେଲା ଓ ଓଡ଼ିଶା ଲଳିତ କଳା ଏକାଡେମିର ସଭାପତି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ର, ଏକାଡେମିର କାର୍ଯ୍ୟକାରୀ ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ସଦସ୍ୟ ଦିଲ୍ଲୀପ ହାଲି, ରାଜ୍ୟ ସଂଗ୍ରହାଳୟର ଅଧ୍ୟକ୍ଷା ଜୟନ୍ତୀ ରଥ, ରାଜ୍ୟ ଅଭିଲେଖାଗାରର ଅଧ୍ୟକ୍ଷା ସୁଚିସ୍ମିତା ମନ୍ତ୍ରୀ, ଓଡ଼ିଶା ସାହିତ୍ୟ ଏକାଡେମିର ସଚିବ ଅଶ୍ୱିନୀ କୁମାର ମିଶ୍ର, ସଙ୍ଗୀତ ନାଟକ ଏକାଡେମିର ସଚିବ ପ୍ରଦୀପ ମିଶ୍ର, ଭାଷା ପ୍ରତିଷ୍ଠାନର ନିର୍ଦେଶିକା ଡ. ତମସାରାଣୀ ଦାସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ଶିବିରଟିରେ ଓଡ଼ିଶାର ଖ୍ୟାତିସମ୍ପନ୍ନ ୧୫ ଜଣ ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି। ସେମାନେ ପାଇକ ବିଦ୍ରୋହ ସମ୍ପର୍କୀୟ ବିଭିନ୍ନ ବିଷୟବସ୍ତୁକୁ ଆଧାର କରି ଚିତ୍ର ଅଙ୍କନ କରିବେ ଓ ଶିବିରଟି ଆଜି ଉଦ୍‌ଯାପିତ ହୋଇଥିଲା। ସନ୍ଧ୍ୟାରେ ରାଜ୍ୟ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ କେନ୍ଦ୍ର ଲଳିତ କଳା ଏକାଡେମିର ପ୍ରଶାସକ ସିଏସ୍‌ କ୍ରିଷ୍ଣା ସେଟ୍ଟୀ ଉପସ୍ଥିତିରେ ଶିଳ୍ପୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉପସ୍ଥିତ କଳାପ୍ରେମୀ ଜନସାଧାରଣ ଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ପାଇଁ ଏକାଡେମିର ସଚିବ ତାରାକାନ୍ତ ପରିଡ଼ା ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର