ଲୋୟର ପିଏମ୍‌ଜିରେ ଗର୍ଜିଲେ ପାଇକ 

ଭୁବନେଶ୍ୱର :  ପାଇକମାନଙ୍କ ଦାବି ପୂରଣ ପାଇଁ ଆଜି ନିଖିଳ ଓଡ଼ିଶା ପାଇକ ସଂଘ ପକ୍ଷରୁ ଅଭିନବ ଉପାୟରେ ପ୍ରତିବାଦ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାର ହଜାର ପାଇକ ରାମ ମନ୍ଦିର ଛକରୁ ଏକ ପଟୁଆରରେ ବାହାରି ଲୋୟର ପିଏ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ପାଇକମାନେ ହତାରେ ଖଣ୍ଡା, ବତ୍ସା, ମୁଦଗର୍‌, ଢାଲ ଆଦି ଧରି ରାସ୍ତାରେ ବିଭିନ୍ନ ରଣକୌଶଳ ପ୍ରଦର୍ଶନ କରିଥିଲେ। ଲୋୟର ପିଏମ୍‌ଜିରେ ପହଞ୍ଚି ସେମାନଙ୍କ ସମରକଳା ପ୍ରଦର୍ଶନ ମାଧ୍ୟମରେ ବିକ୍ଷୋଭ କରିଥିଲେ।

ସଂଘ ପକ୍ଷରୁ କୁହାଯାଇଛି ଯେ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ହେଲେ ପାଇକ ଆଖଡ଼ାକୁ ଭୁଲି ଯାଉଛନ୍ତି। ପାଇକ ଆଖଡ଼ାଗୁଡ଼ିକର ପୁନରୁଦ୍ଧାର କରିବା ସହ ପାଇକ ଆଖଡ଼ାର ଦଳବେହେରା, ଦଳପତି, ପାଇକଗୁରୁ, ପାଇକ ସର୍ଦ୍ଦାର ଓ ପାଇକ ବାଦ୍ୟକାରଙ୍କୁ ସ୍ୱତନ୍ତ୍ର ଭତ୍ତା ପ୍ରଦାନ, ପ୍ରତ୍ୟେକ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ପାଇକ ଆଖଡ଼ା ଖୋଲି ତାକୁ ସ୍କାଉଟ୍‌, ଗାଇଡ୍‌ ଓ ଏନ୍‌ସିସି ସଦୃଶ ମାନ୍ୟତା ଦିଆଯାଉ, ସମରକଳାକୁ ରାଜ୍ୟର କ୍ରୀଡ଼ା ମାନ୍ୟତା ପ୍ରଦାନ କରାଯାଉ ଆଦି ଦାବି ଗୁଡ଼ିକ ସେଠାରେ ଉପସ୍ଥାପନ କରିଥିଲେ। ଏହାପରେ ସଂଘର ରାଜ୍ୟ ଆବାହକ ଅଶୋକ କୁମାର ପାଲଟାସିଂହଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳି ରାଜ୍ୟପାଳଙ୍କ ସଚିବଙ୍କୁ ଭେଟି ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ତେବେ ଦାବିଗୁଡ଼ିକ ଉପରେ ଆଲୋଚନା କରିବା ପାଇଁ ପ୍ରତିନିଧି ମଣ୍ଡଳୀଙ୍କୁ ଡକା ଯିବ ବୋଲି ସଚିବଙ୍କ ପ୍ରତିଶ୍ରୁତି ପରେ ପାଇକମାନେ ଆନ୍ଦୋଳନରୁ ଓହରିଥିଲେ। ଯଦି ଖୁବ୍‌ଶୀଘ୍ର ଦାବିଗୁଡ଼ିକ ପୂରଣ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର