ଇତିହାସ ବହିରେ ସ୍ଥାନ ପାଇବ ପାଇକ ବିଦ୍ରୋହ

ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ବ୍ରିଟିସ୍‌ଙ୍କ ନଜରରେ ପାଇକଙ୍କ ସଂଗ୍ରାମ କେବଳ ଏକ ବିଦ୍ରୋହ ଥିଲା। ମାତ୍ର ଏହା ସ୍ୱାଧୀନତା ସଂଗ୍ରାମର ମୂଳ ଭିତ୍ତି ଥିଲା। ତେଣୁ ୨୦୧୮ରେ ଇତିହାସ ପୁସ୍ତକରେ ପାଇକ ବିଦ୍ରୋହକୁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବେ ଉଲ୍ଲେଖ କରାଯିବ। କେବଳ ଲେଖାଯିବନି, ବରଂ ଏହି ସଂଗ୍ରାମର ବିସ୍ତତ ବିବରଣୀ ପୁସ୍ତକରେ ବର୍ଣ୍ଣିତ ହେବ। ଦେଶର ସ୍ୱାଧୀନତା ସଂଗ୍ରାମର ଏହି ଗୌରବମୟ ଇତିହାସକୁ ସମଗ୍ର ଦେଶବାସୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପ୍ରକାଶ ଜାଭଡେକର।

ଜାତୀୟ ସାମରିକ ପରମ୍ପରା ଓ ସଂସ୍କୃତି ପରିଷଦ ଆନୁକୂଲ୍ୟରେ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ‘ସାମରିକ ପରମ୍ପରା ଓ ସଂସ୍କୃତି ମହୋତ୍ସବ’ର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଜାଭଡେକର କହିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇତିହାସରେ ବିଶେଷ ରୁଚି ରଖନ୍ତି। ତେଣୁ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତି ଉପଲକ୍ଷେ ସମଗ୍ର ଦେଶରେ ଏହି ଲଢ଼େଇର ବାର୍ତା ପହଞ୍ଚାଇବା ପାଇଁ ୨୦୦ କୋଟି ଟଙ୍କା ମଂଜୁର କରାଯାଇଛି। ବିଦ୍ୟା, ବିଜ୍ଞାନ, ଶାନ୍ତି, ମୈତ୍ରୀ ସବୁଥିରେ ଆମେ ଜୟ କରିବା। ମାତ୍ର କେହି ଯଦି ଆମକୁ ତେର୍‌ଛା ନଜରରେ ଦେଖେ ଆମେ ତାକୁ ଉଚିତ୍‌ ଜବାବ ଦେବା ବୋଲି ସେ କହିଥିଲେ। ଏହି ବିଦ୍ରୋହରୁ ଆମେ ସଂକଳ୍ପ ନେଇ ଦେଶ ପାଇଁ କିଛି କରିବା ଉଚିତ। ଦେଶର ସୁରକ୍ଷା, ରୋଗରୁ ମୁକ୍ତ, ଦାରିଦ୍ର୍ୟରୁ ମୁକ୍ତି, ଭ୍ରଷ୍ଟାଚାରରୁ ମୁକ୍ତି, ଆତଙ୍କବାଦରୁ ମୁକ୍ତି, ସାଂପ୍ରଦାୟିକତାରୁ ମୁକ୍ତି ହିଁ ଆମର ଲକ୍ଷ୍ୟ ହେବା ଉଚିତ। ଏହା ହିଁ ଲଢ଼ୁଆ ପାଇକମାନଙ୍କୁ ଓ ସ୍ୱାଧୀନତା ସଂଗ୍ରାମୀଙ୍କୁ ଅସଲ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ କହିଥିଲେ।

ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସାଂସଦ ପ୍ରସନ୍ନ କୁମାର ପାଟ୍ଟଶାଣୀ, ଚିଲିକାର ବିଧାୟକ ବିଭୂତି ଭୂଷଣ ହରିଚନ୍ଦନ, ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ, ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରି, ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଡ.ଦିଲ୍ଲୀପ ଶ୍ରୀଚନ୍ଦନ, ପୃଥ୍ଵୀରାଜ ହରିଚନ୍ଦନ ଏବଂ ସଂଗ୍ରାମ କେଶରୀ ପାଇକରାୟ ପ୍ରମୁଖ ଉପସ୍ଥିତ ଥିଲେ।

ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁରର ପ୍ରିନ୍‌ସ ଡ୍ୟାନ୍ସ ଗ୍ରୁପ୍‌ ଦ୍ୱାରା ଆକର୍ଷଣୀୟ ନୃତ୍ୟରେ ଗଣେଶ ବନ୍ଦନା ପ୍ରସ୍ତୁତ କରିଥିଲେ। ଦ୍ୱିତୀୟ ପ୍ରସ୍ତୁତିରେ ସଚ୍ଚି ରାଉତରାୟଙ୍କ କାଳଜୟୀ ରଚନା ‘ଛୋଟ ମୋର ଗାଁ’ଟି’ ନୃତ୍ୟ ନାଟିକା ପରିବେଷିତ ହୋଇଥିଲା। ନିରଂଜନ ରାଉତଙ୍କ ନୃତ୍ୟ ସଂଯୋଜନା, ରାମହରି ଦାସଙ୍କ ସଂଗୀତ ସଂଯୋଜନା ଏବଂ ଶ୍ରୀନିବାସ ଘଟୁଆରୀଙ୍କ ସଂଳାପ ରଚନାରେ ମଞ୍ଚାୟନ ଏହି ନୃତ୍ୟ ନାଟିକାରେ ଗାଁ’ମାଟିର ମହକକୁ ଦର୍ଶକଙ୍କ ନିକଟରେ ପହଞ୍ଚାଇଥିଲେ କଳାକାରବୃନ୍ଦ। ତାଙ୍କ ପରେ ମୟୂରୀ ନୃତ୍ୟ ସଂଗଠନ ଦ୍ୱାରା ଛଉ ନୃତ୍ୟ, ଦଶ ଅବତାର ନାଟ୍ୟଶାଳା ଦ୍ୱାରା ସମ୍ବଲପୁରୀ ନୃତ୍ୟ ଏବଂ ଗୋଟିପୁଅ ନୃତ୍ୟ ପରିବେଷିତ ହୋଇଥିଲା। ସଭା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଇଂ ଶ୍ରୀନିବାସ ଘଟୁଆରୀ।

ସମ୍ବନ୍ଧିତ ଖବର