ଭୁବନେଶ୍ବର: ଭୁବନେଶ୍ବର ଲୋକସଭା କ୍ଷେତ୍ରର ୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟରମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳ ୭ଟାରୁ ଭୋଟ୍ ଆରମ୍ଭ ହେଉଥିବାରୁ ଏହାର ଯଥେଷ୍ଟ ପୂର୍ବରୁ ମତଦାତା ମାନେ ମତଦାନ କେନ୍ଦ୍ରରେ ଧାଡ଼ି ଲଗାଇଥିଲେ। କିନ୍ତୁ ଦୁଃଖର ବିଷୟ ସକାଳୁ ସନ୍ଧ୍ୟା ଯାଏ ମତଦାତାମାନେ ନାନା ସମସ୍ୟାରେ ଛନ୍ଦି ହୋଇଥିଲେ। ଖୁସିରେ ଭୋଟ୍ ଦେବା ପାଇଁ ଆସୁଥିବା ମତଦାନାଙ୍କ ପାଇଁ ମତଦାନ ସହଜ ହେବା ପରିବର୍ତେ ଯନ୍ତ୍ରଣା ଦାୟକ ହୋଇଥିଲା।
ଭୁବନେଶ୍ବର ଏକାମ୍ର, ମଧ୍ୟ, ଉତ୍ତର, ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀର କିଛି ସ୍ଥାନରେ ଇଭିଏମ୍ରେ ସମସ୍ୟା ଦେଖା ଦେବାକୁ ମତଦାନ ବିଳମ୍ବ ହୋଇଥିଲା। ଏହି ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୧୧୩୨ ବୁଥ୍ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ବୁଥ୍ରେ ଅଧଘଣ୍ଟା ବିଳମ୍ବରେ ଭୋଟ୍ ଆରମ୍ଭ ହୋଇଥିଲା। ଅଫିସ୍ ଓ ଅନ୍ୟାନ୍ୟ କାମ ଥିବାରୁ ସକାଳୁ ଭୋଟ୍ ଦେବାକୁ ମତଦାନ କେନ୍ଦ୍ରରେ ଭିଡ଼ ଜମିଥିଲା। ହେଲେ ମତଦାନ ପ୍ରକ୍ରିୟ ବହୁତ ଧିମା ଥିବାରୁ ଧାଡ଼ି ପଛକୁ ପଛ ଲମ୍ବିଥିଲା। ଜଣେ ଭୋଟର ମତଦାନ କେନ୍ଦ୍ର ଭିତରକୁ ଯାଇ ଭୋଟ୍ ଦେଇ ଫେରିବା ପ୍ରାୟ ୧୦ରୁ ୧୫ ମିନିଟ୍ ଲାଗିଯାଉଥିଲା। ତେଣୁ ଘଣ୍ଟା ଘଣ୍ଟା ଧରି ଭୋଟରମାନେ ଧାଡ଼ିରେ ଛିଡ଼ା ହୋଇ ରହିଥିଲେ। ମତଦାନ କେନ୍ଦ୍ରରେ ଭୋଟରଙ୍କ ପାଇଁ ସମସ୍ତ ବ୍ୟବସ୍ଥା ହୋଇଥିବା ନେଇ ପୂର୍ବରୁ ପ୍ରଶାସନ ବାହାସ୍ପଟ ମାରିଥିଲା। କିନ୍ତୁ ଆଜି ସବୁଠି ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ପ୍ରତି ବୁଥ୍ରେ ସର୍ବନିମ୍ନ ପିଇବା ପାଣି ଯୋଗାଇ ପାରି ନଥିଲା ପ୍ରଶାସନ। ଖରାରେ ଧାଡ଼ିରେ ଛିଡ଼ା ହୋଇ ରହୁଥିବାରୁ ଭୋଟର ଶୋଷରେ ଆଉଟୁପାଉଟୁ ହୋଇଥିଲେ। କିନ୍ତୁ ଅଧିକାଂଶ ବୁଥ୍ରେ ପିଇବା ପାଣିର ବ୍ୟବସ୍ଥା ନଥିଲା। କିଛି ବୁଥ୍ରେ ପ୍ରଥମେ ପିଇବା ପାଣି ମିଳିଥିଲା। କିନ୍ତୁ ଭୋଟ୍ ଗ୍ରହଣର ୩-୪ ଘଣ୍ଟା ପରେ ଦ୍ବିତୀୟ ଥର ପିଇବା ପାଣି ଭରାଯାଇ ନଥିଲା। ଧାଡ଼ିରେ ଅନେକ ବରିଷ୍ଠ ନାଗରିକ ଘଣ୍ଟାଘଣ୍ଟା ଧରି ଛିଡ଼ା ହୋଇ ଯନ୍ତ୍ରଣା ଭୋଗିଥିଲେ ହେଁ ସେମାନଙ୍କ ପାଇଁ ବସିବାର କୌଣସି ବ୍ୟବସ୍ଥା ନଥିଲା।
ଅବଶ୍ୟ କିଛି ସଖୀ ବୁଥ୍ରେ ତଳେ କାର୍ପେଟ ପଡ଼ିଥିଲା ଓ ମୁଣ୍ଡ ଉପରେ ଛାଇ ଥିଲା। ଏଥିସହ ମଧ୍ୟ ନିର୍ବାଚନମଣ୍ଡଳୀରେ ଭିଆଇପି ଓ ଭିଭିଆଇପି ଭୋଟ୍ ଦେବାକୁ ଥିବା ଯୋଗୁଁ କିଛି ମତଦାନ କେନ୍ଦ୍ରକୁ ଚକାଚକ୍ କରାଯାଇଥିଲା। ଉତ୍ତର ଓ ଏକାମ୍ର କିଛି ସ୍ଥାନରେ ଭଲ ଆୟୋଜନ ହୋଇଥିଲା। କିନ୍ତୁ ଅନ୍ୟସ୍ଥାନ ମାନଙ୍କରେ ବୁଥ୍ଗୁଡ଼ିକର ଚିତ୍ର ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ସକାଳ ୭ଟାରୁ ଦିନ ପ୍ରାୟ ୧୨ଟା ଯାଏ କେନ୍ଦ୍ରମାନଙ୍କରେ ପ୍ରବଳ ଭିଡ଼ ଲାଗି ରହିଥିଲା। ପ୍ରବଳ ଖରା ଓ ଗରମ ପାଇଁ ମଧ୍ୟାହ୍ନରେ ଭିଡ଼ କମି ଯାଇଥିଲା। କିନ୍ତୁ ଅପରାହ୍ନ ୪ଟାରୁ ପୁଣି ବୁଥ୍ରେ ଭିଡ଼ ଲାଗି ରହିଥିଲା। ଅଧିକାଂଶ ସଖୀ ବୁଥ୍ ସହ ଅନ୍ୟ କିଛି ସାଧାରଣ ବୁଥ୍ରେ ମତଦାନ ଏତେ ବିଳମ୍ବ ହୋଇଥିଲା ଯେ ଲୋକଙ୍କ ଧୈର୍ଯ୍ୟ ରହି ନଥିଲା। ଅନେକ ବୁଥ୍ରେ ୧୦୦୦ରୁ ଅଧିକ ଭୋଟର ଥିଲେ। କିଛି ସ୍ଥାନରେ ୧୬୦୦ରୁ ଅଧିକ ଭୋଟର ମଧ୍ୟ ରହିଥିଲେ। ତେବେ ମତଦାନ ପ୍ରକ୍ରିୟା ବିଳମ୍ବ ହେବାରୁ ସନ୍ଧ୍ୟା ୬ଟା ଭିତରେ ମତଦାନ ସରି ନଥିଲା। କିଛି ସ୍ଥାନରେ ରାତି ୧୦ଟା ଯାଏ ମତଦାନ ହୋଇଥିଲା। ୩୮ ଡିଗ୍ରୀ ଗରମରେ ବି ଆଜି ଭୋଟର ଖରାରେ ଛିଡ଼ା ହୋଇଥିଲେ। କିଛି ଯୁବ ଓ ବରିଷ୍ଠ ଭୋଟ୍ର ଭୋଟ୍ ନଦେଇ ଫେରି ଯାଇଥିବା ଦେଖିବାକୁ ମିଳିଥିଲା। ଲୈଲା ସ୍କୁଲ୍ ପରି ଗୋଟିଏ ସ୍ଥାନରେ ଏକାଧିକ ବୁଥ୍ ହୋଇଥିଲା। ଲୈଲାରେ ସାଲିଆ ସାହି ଭୋଟର ଭୋଟ୍ ଦେଇଥିଲେ। ସେଠାରେ ୬ଟି ବୁଥ୍ ହୋଇଥିଲା। କିନ୍ତୁ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଗୋଟିଏ ବାଟ ଥିଲା। ପୁଣି ସେହି ବାଟରେ ମତଦାନ ପାଇଁ ଲୋକ ଧାଡ଼ିରେ ଛିଡ଼ା ହୋଇ ରହିଥିଲେ। ଯାହା ଭୀଷଣ ଯନ୍ତ୍ରଣାଦାୟକ ଥିଲା।
ନିଳାଦ୍ରୀ ବିହାରର ଏକ ପରିବାର ପରି ବାପା, ମା’ ଓ ପୁଅ ତିନି ଜଣଙ୍କ ଅଲଗା ଅଲଗା ବୁଥ୍ରେ ମତଦାନ ପାଇଁ ପଡ଼ିଥିଲା। ଫଳରେ ତିନିଜଣ ଅଲଗା ଅଲଗା ସ୍ଥାନକୁ ଯାଇ ମତଦାନ କରିଥିଲେ। ଏଭଳି ଅନେକ ଘଟଣା ଆଜି ନଜରକୁ ଆସିଥିଲା। ଲକ୍ଷ୍ମୀସାଗରରେ ଜଣେ ମହିଳା ଭୋଟର ଘଣ୍ଟା ଘଣ୍ଟା ଧାଡ଼ିରେ ରହି ଭୋଟ୍ ଦେବାକୁ ପହଞ୍ଚିଲା ବେଳକୁ ତାଙ୍କର ଭୋଟ୍ ଆଉ କେହି ଦେଇଥିଲେ। ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଏହା ଭିତରେ କିଛି ସ୍ବେଚ୍ଛାସେବୀ ଭୋଟରଙ୍କ ମନ କଥା ଜାଣି ସାହାଯ୍ୟର ହାତ ବଢ଼ାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/sfhfhsshffh.jpg)