ପଖାଳରେ କଟିଲା ପଖାଳ ଦିବସ

ଭୁବନେଶ୍ୱର: ଗ୍ରୀଷ୍ମର ଦାଉ ଆଜି ପ୍ରଖର ଥିବା ବେଳେ ଜମିଛି ପଖାଳ ଦିବସ। ଚାଳିଆ ହୋଟେଲ୍‌ରୁ ଷ୍ଟାର୍‌ ହୋଟେଲ୍‌ ପର୍ଯ୍ୟନ୍ତ ସବୁଠି ଆଜି ମଧ୍ୟାହ୍ଣ ଭୋଜନରେ ପ୍ରଥମେ ପଖାଳ ଅର୍ଡର ଦିଆଯାଉଥିଲା। ଏନେଇ କିଛି ଷ୍ଟାର୍‌ ହୋଟେଲ୍‌ ସମେତ ପାନ୍ଥ ନିବାସରେ ମଧ୍ୟ ପଖାଳକୁ ନେଇ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଛି। ଖାଲି ହୋଟେଲ୍‌ ନୁହେଁ ଆଜି ଘରେ ବି ଦହି ଛୁଙ୍କ ଦେଇ ଅନେକ ପଖାଳ ପ୍ରସ୍ତୁତ କରିଥିଲେ। ଏନେଇ କିଛି ବ୍ୟକ୍ତିବିଶେଷ ନିଜେ ପଖାଳ ପ୍ରସ୍ତୁତ କରି ନିଜର ବନ୍ଧୁ ସହୋଦରଙ୍କୁ ଘରକୁ ଡାକି ପଖାଳରେ ଆପ୍ୟାୟିତ କରିଥିଲେ। ପଖାଳର ଏହି ଉତ୍ସବକୁ ନେଇ ସାରା ରାଜଧାନୀରେ ଉତ୍ସାହ ଦେଖିବାକୁ ମିଳିଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧୀନସ୍ଥ ପାନ୍ଥ ନିବାସରେ ବି ଆଜିଠୁ ଆରମ୍ଭ ହୋଇଛି ପଖାଳ ଉତ୍ସବ। ପ୍ରଥମ ଦିନରେ ପଖାଳର ଖୁବ୍‌ ଚାହିଦା ଦେଖିବାକୁ ମିଳିଛି। ବଡ଼ିଚୂରା, ଶାଗ ଭଜା, ବାଇଗଣ ଭର୍ତା, ଛୁଇଁ ଆଳୁ ଭଜା, ଆଳୁ କଲରା ଚିପ୍ସ, ଆମ୍ବ ଚଟଣୀ ସାଙ୍ଗକୁ ଚୁନା ମାଛ ବେସରର ସ୍ୱାଦ ନେବାକୁ ବହୁ ଲୋକଙ୍କ ସମାଗମ ହୋଇଥିଲା। ଆଜି ଗୋଟିଏ ଦିନରେ ୧୨ହଜାର ୧୫୦ ଟଙ୍କାର ବେପାର ହୋଇଥିବା ସୂଚନା ଦେଇଛନ୍ତି ପାନ୍ଥ ନିବାସର ସହ ପ୍ରବନ୍ଧକ ଦେବାଶିଷ ସାହୁ। କେବଳ ଭୁବନେଶ୍ୱ ନୁହେଁ ବରଂ ରାଉରକେଲା ପାନ୍ଥ ନିବାସରେ ମଧ୍ୟ ପଖାଳ ଉତ୍ସବ ପାଳନ କରାଯାଇଥିବା ବେଳେ ୯ହଜାର ଟଙ୍କାର ବିକ୍ରିବଟା ହୋଇଛି। ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଏହି ପଖାଳ ଉତ୍ସବ ଚାଲୁ ରହିବ ବୋଲି ସୂଚନା ମିଳିଛି। ଏଥିସହିତ ଅନ୍ୟ ପାନ୍ଥ ନିବାସରେ ମଧ୍ୟ ପୂର୍ବରୁ ବରାଦ ଦେଲେ ପଖାଳ ପରସିବାର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର