ଜମିଲା ପଖାଳ ଦିବସ: ବର୍ଷା ସାଜି ପାରିଲାନି ବାଧକ, ଅନୁଭୂତି ବଖାଣିଲେ ୩୦ ଫୁଡ୍‌-ବ୍ଲଗର୍‌

ଭୁବନେଶ୍ବର: ପାହାନ୍ତା ଓ ଦି’ପହରେ ବର୍ଷା ସାଙ୍ଗକୁ ଦିନତମାମ କୋହଲା ପାଗ ଆଜି ରାଜଧାନୀକୁ କବଳିତ କରି ରଖିଥିଲା। କିନ୍ତୁ ପଖାଳପ୍ରିୟଙ୍କ ଉପରେ ଏହା କୌଣସି ପ୍ରଭାବ ପକାଇ ପାରିନଥିଲା। ଘର, ହୋଟେଲ ଓ ବିଭିନ୍ନ ଅନୁଷ୍ଠାନରେ ପଖାଳ ଖାଇ ଓଡ଼ିଆମାନେ ପଖାଳ ଦିବସ ପାଳିଛନ୍ତି। ସକାଳୁ ସକାଳୁ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପଖାଳ କଂସାର ରାଜୁତି ଆରମ୍ଭ ହୋଇଯାଇଥିଲା। ପଖାଳକୁ ନେଇ ଢଗ, ମହାପ୍ରଭୁ ଜଗନ୍ନାଥ ପଖାଳ ଖାଉଥିବା‌ର ଚିତ୍ର, ବିଭିନ୍ନ ବିଶିଷ୍ଟ ବ୍ୟକ୍ତି ପଖାଳ ଖା‌ଉଥିବାର ଫଟୋ ଛାଇ ଯାଇଥିଲା। ଦିନ ବଢ଼ିବା ସହ ହୋଟେଲଗୁଡ଼ିକରେ ପ୍ରସ୍ତୁତି ବି ଜୋର୍‌ ଧରିଥିଲା। ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)ର ନିମନ୍ତ୍ରଣ ରେସ୍ତୋରାଁଠାରୁ ପାନ୍ଥନିବାସ ପର୍ଯ୍ୟନ୍ତ, ଓଡ଼ିଆ ହୋଟେଲ, ଡାଲ୍‌ମାଠାରୁ ଆରମ୍ଭ କରି ବିଭିନ୍ନ ତାରକା ହୋଟେଲରେ ଜମିଥିଲା କଖାରୁ ଫୁଲ, ପଣସ କଠା ଚିପ୍ସ୍‌, ବାଇଗଣ ଭରତା, ବଡ଼ି ଚୁରା ସହ ‘ପଖାଳ’ ଖିଆ। ଏକାମ୍ର ହାଟରେ ଏତେ ଭିଡ଼ ଜମି ଯାଇଥିଲା ଯେ ଲୋକଙ୍କୁ ପଖାଳ ଯୋଗାଇବାରେ ହୋଟେଲଗୁଡ଼ିକରେ ଅସାମର୍ଥ୍ୟ ପ୍ରକାଶ କରିଥିଲେ।

ଭୁବନେଶ୍ବର: ‘ନିମନ୍ତ୍ରଣ’ ରେସ୍ତୋରାଁ ପକ୍ଷରୁ ପାନ୍ଥନିବାସଠାରେ ଆଜି ପଖାଳ ଦିବସ ଆୟୋଜିତ ହୋଇଯାଇଛି। ଏଥିରେ ଓଡ଼ିଶାର ୩୦ରୁ ଅଧିକ ଫୁଡ୍‌-ବ୍ଲଗର୍‌ ଅଂଶଗ୍ରହଣ କରି ପଖାଳର ବିଭିନ୍ନ ଉପକାରିତା ସମ୍ପର୍କରେ କହିଥିଲେ। ପଖାଳକୁ ନେଇ ପ୍ରଚଳିତ ବିଭିନ୍ନ ଗୁଜବକୁ ସେମାନେ ଖଣ୍ଡନ କରିବା ସହ ଏହାକୁ ମହୌଷଧୀ ବୋଲି କହିଥିଲେ। ପଖାଳ ସହ ଖିଆଯାଉଥିବା ବିଭିନ୍ନ ପ୍ରକାର ଭଜା, ଶାଗ, ବଡ଼ି, ଲଙ୍କା, ଲେମ୍ବୁ ଆଦି ମଣିଷ ଶରୀରକୁ ବିଭିନ୍ନ ପ୍ରକାର ଭିଟାମିନ୍, ସୋଡିୟମ୍, ପୋଟାସିୟମ, କ୍ୟାଲସିୟମ୍‌ ଯୋଗାଇଥାଏ। ସେହିପରି ତୋରାଣିରୁ ମିଳୁଥିବା ଇଲେକ୍ଟ୍ରୋଲାଇଟ୍‌ ଆମକୁ କଠିନ ପରିଶ୍ରମ ପାଇଁ ଶକ୍ତି ଯୋଗାଏ। ତେବେ ପଖାଳ ଖାଇଲେ ନିଦ ଆସେ ବୋଲି ଯେଉଁ ଧାରଣା ସମସ୍ତଙ୍କ ମନରେ ଅଛି, ତାହା ଭୁଲ୍‌ ବୋଲି ସେମାନେ କହିଥିଲେ। ଏହାସହ ଫୁଡ୍‌ ବ୍ଲଗର୍‌ମାନେ ବିଭିନ୍ନ ଖାଦ୍ୟ ସମ୍ପର୍କିତ ନିଜର ବ୍ଲଗିଂକୁ ‌ନେଇ ଅଭିଜ୍ଞତା ଓ ଅନୁଭୂତି ବଖାଣିଥିଲେ। ରାଜ୍ୟ ତଥା ଦେଶ ବାହାରୁ ଆସୁଥିବା ଅତିଥିମାନଙ୍କୁ ସତ୍କାର ସମୟରେ ଖାଣ୍ଟି ଓଡ଼ିଆ ଖାଦ୍ୟ ପରସି ଦେବାକୁ ସେମାନେ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ମୁଖ୍ୟ ଅତିଥି, ଓଟିଡିସିର ଅଧ୍ୟକ୍ଷ ଲେନିନ୍ ମହାନ୍ତି, ରାଜ୍ୟ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ସଚିନ୍ ରାମଚନ୍ଦ୍ର ଯାଦବ, ଓଟିଡିସିର ସାଧାରଣ ପରିଚାଳକ ଲଗ୍ନଜିତ୍ ରାଉତ ଓ କିମ୍ସ ହସ୍ପିଟାଲର ଡାକ୍ତର ସଂଘମିତ୍ରା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଏହି ଅବସରରେ ମାଷ୍ଟରସେଫ୍ ଇଣ୍ଡିଆ ସ୍ମୃତିଶ୍ରୀ ସିଂହଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଳେ। ସ୍ମୃତିଶ୍ରୀ କହିଥିଲେ ଯେ ପଖାଳର ପ୍ରଚଳନ ଦଶମ ଶତାବ୍ଦୀରୁ ରହିଆସିଛି। ଆମର ଲୋକପ୍ରିୟ ଏହି ଖାଦ୍ୟ ପଖାଳର ପ୍ରଚାରପ୍ରସାର ପାଇଁ ସାମାଜିକ ଗଣମାଧ୍ୟମ ଏକ ବଡ଼ ସୁଯୋଗ ସୃଷ୍ଟି କରିଛି। ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଅନନ୍ତ ନାରାୟଣ ସିଂହ ଲାଗୁରି, ବିଭାଗର ସ୍ୱତନ୍ତ୍ର ଅଧିକାରୀ ଅଂଶୁମାନ ରଥଙ୍କ ସମେତ ବିଭାଗ ତଥା ଓଟିଡିସିର ସମସ୍ତ ଅଧିକାରୀ ଓ କର୍ମଚାରୀ ବହୁ ସଂଖାରେ ଉପସ୍ଥିତ ଥିଲେ। ବିଶିଷ୍ଟ ଟିଭି ଉପସ୍ଥାପିକା ସୁଲଗ୍ନା ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ୱାର୍ଡ ୫୦ରେ ପଖାଳ ଦିବସ

ଖଣ୍ଡଗିରି: ବରମୁଣ୍ଡାସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ବରମୁଣ୍ଡା ଯୁବକମାନଙ୍କ ଦ୍ବାରା ପଖାଳ ଦିବସ ପାଳିତ ହୋଇଯାଇଛି। ଏଥିରେ ମନ୍ତ୍ରୀ ଆଶୋକ ଚନ୍ଦ୍ର ପଣ୍ଡା, ୱାର୍ଡ-୫୦ର ପୂର୍ବତନ କର୍ପୋରେଟର୍‌ ସୁଜିତ୍ ସ୍ୱାଇଁ, ପ୍ରଭାତ ପ୍ରଧାନ, ବାପିନା ପ୍ରଧାନ, ବଳରାମ ପ୍ରଧାନ, ସନ୍ଦୀପ ବିଶ୍ୱାଳ, ସୁଶାନ୍ତ ଦୀକ୍ଷିତ, ରୋହନ ରାଉତରାୟ, ପ୍ରଦ୍ୟୁମ୍ନ ମାର୍ଥା, ଉଗ୍ର‌ସେନ ପାଇକରାୟ, ଜଗନ୍ନାଥ ମାର୍ଥା, ମନ ପ୍ରଧାନ, ଅଭିଜିତ ରାଉତରାୟ, ଚନ୍ଦନ ପ୍ରଧାନ, ଆଲୋକ ବିଶ୍ୱାଳ, ଗଣେଶ ସାହୁ, ରିଙ୍କନ ଗୁମାନସିଂ, ବସୁ ପ୍ରଧାନ, ସନ୍ତୋଷ ବାରିକ, ଶଶିକାନ୍ତ ବାରିକ, ସର୍ବେଶ୍ୱର ପ୍ରଧାନ, ଗୌତମ ବାରିକ, ନିର୍ମଳ ପ୍ରଧାନ, ଶରତ ଖଟୁଆ, ମନୋଜ ମହାରଣା, କାଳନ୍ଦୀ ସାହୁ ପ୍ରମୁଖ ଉପସ୍ଥିତ ରହି ପଖା‌ଳ ଖାଇଥିଲେ।

ଫୁଟବଲ ଖେଳାଳି ନେଲେ ମଜା

ଓଡ଼ିଶା ଫୁଟ୍‌ବଲ୍‌ କ୍ଲବ (ଓଏଫ୍‌ସି) ପକ୍ଷରୁ ପୁରୁଷ ଓ ମହିଳା ଖେଳାଳିମାନେ ଆଜି ‘ପଖାଳ’ ଖାଇ ବିଶ୍ବ ପଖାଳ ଦିବସ ପାଳନ କରିଛନ୍ତି। ଏହି କାର୍ଯ୍ୟକ୍ରମଟି ମୋନାର୍କ ରେସ୍ତୋରାଁଠାରେ ପାଳିତ ହୋଇଯାଇଛି। ଏଥିରେ ଏଫ୍‌ସିର ଖେଳାଳି ଶୁଭମ୍‌ ଷଡ଼ଙ୍ଗୀ, ପେଦ୍ର ମାର୍ଟିନ, ଡିଏଗୋ ମରିସିଓ, ରେଦିଅର୍‌ ଫର୍ଣ୍ଣାଣ୍ଡିଜ୍‌, ସୁସ୍ମିତା ତନ୍ତୀ, ସସ୍ମିତା ପରିଡ଼ା, ଦୀପା ନାୟକ ଓ ମାଳତୀ ମୁଣ୍ଡାଙ୍କ ସହ ମହିଳା ଦଳର ମୁଖ୍ୟ କୋଚ୍‌ କ୍ରିସପିନ୍‌ ଛେତ୍ରି ଯୋଗଦେଇ ପଖାଳର ମଜା ଦେଇଥିଲେ। କ୍ଲବ୍‌ର ବହୁ ଅଣଓଡ଼ିଆ ଖେଳାଳି ଓ କୋଚ୍‌ ମଧ୍ୟ ସାମିଲ ହୋଇ ପ୍ରଥମ ଥର ପଶଇଁ ପଖାଳର ମଜା ନେଇଥିଲେ।

ସମ୍ବନ୍ଧିତ ଖବର