‘ପଖାଳ ଖାଦ୍ୟ ନୁହେଁ, ମହୌଷଧୀ’

ଭୁବନେଶ୍ୱର ‘ସମ୍ବାଦ ସାହିତ୍ୟଘର’ର ପ୍ରାକ୍‍ ପଖାଳ ଦିବସ ପାଳନ

ଭୁବନେଶ୍ୱର: ଓଡ଼ିଆମାନେ ଖାଦ୍ୟପ୍ରିୟ। ‘ନ ଭଜା, ଛ ତିଅଣ’ ଆମ ଖାଦ୍ୟଚଳଣିର ଏକ ବଡ଼ ସ୍ୱାତନ୍ତ୍ର୍ୟ। ଅଥଚ ଆଜି ବଜାର ସ୍ଥିର କରୁଛି ଆମେ କ’ଣ ଖାଇବୁ। ପିଠା ବଦଳରେ ପିଜା, ଖେଚୁଡ଼ି ବଦଳରେ ବିରିୟାନି, ଚୁଡ଼ା ମୁଢ଼ି ବଦଳରେ ଫାଷ୍ଟଫୁଡ୍‍ ଏବେ ପାଲଟିଛି ଆମ ସମୟର ଆକର୍ଷଣ। ଫଳରେ ଶତାବ୍ଦୀ ଶତାବ୍ଦୀ ଧରି ଚଳି ଆସିଥିବା ଓଡ଼ିଆ ଘରର ପାରମ୍ପରିକ ରାନ୍ଧଣା ଦିନକୁ ଦିନ ହଜିବାରେ ଲାଗିଛି। ଖୁସିର କଥା ଯେ ‘ପଖାଳ’ ନାମକ ଲୋକପ୍ରିୟ ଓଡ଼ିଆ ଖାଦ୍ୟଟି ଆଜି ମଳିମୁଣ୍ଡିଆର ଭାତବେଲାରୁ ଇଜ୍ଜତର ସହ ଉଠି ଷ୍ଟାର୍‍ ହୋଟେଲ୍‍ରେ ପହଞ୍ଚିଛି। ପଖାଳ ପାଲଟିଛି ଆମ ପାରମ୍ପରିକ ଇମ୍ୟୁନିଟି ବୁଷ୍ଟର, ଏକ ମହୌଷଧୀ। ଏହି ଅବସରରେ ଓଡ଼ିଆଘରର ପ୍ରତିଟି ରାନ୍ଧଣାର ପୁନରୁଦ୍ଧାର ହେଉ। ନୂଆପିଢ଼ିଙ୍କ ଜିଭରେ ଓଡ଼ିଆ ସ୍ୱାଦ ବାଜୁ। ଭୁବନେଶ୍ୱର ‘ସମ୍ବାଦ ସାହିତ୍ୟଘର’ ପକ୍ଷରୁ ଆୟୋଜିତ ପ୍ରାକ୍‌ ପଖାଳ ଦିବସ ତଥା ଏକ ଏକ ନିଆରା ଉତ୍ସବରେ ଯୋଗଦେଇ ଅତିଥିମାନେ ଏଭଳି ମତବ୍ୟକ୍ତ କରିଛନ୍ତି।

‘ଆମ ଓଡ଼ିଶା’ କାର୍ଯ୍ୟାଳୟ ପରିସରରେ ପାଳିତ ଏହି ଆସରରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ କଥାକାର ପ୍ରକାଶ ମହାପାତ୍ର, ମୁଖ୍ୟବକ୍ତା ପରିବେଶବିତ୍‍ ଦିଲ୍ଲୀପ ଶ୍ରୀଚନ୍ଦନ, କବି ଓ ଗାଳ୍ପିକ ପବିତ୍ର ମୋହନ କର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନୁଷ୍ଠାନର ସଭାପତି ତଥା କବି ସରୋଜ ବଳଙ୍କ ସଂଯୋଜନାରେ ଆୟୋଜିତ ଏହି ଆସରରେ ଶ୍ରୀ ମହାପାତ୍ର ବଂଶୀବାଦନ କରିଥିବା ବେଳେ ମୌସୁମୀ ଦାସ, ମାନି ଦାଶ, ବ୍ୟଙ୍ଗକବି ଶ୍ରୀଶ୍ରୀ ହୁଗୁଳା, ଅଂଶୁମାନ ସାହୁ, ପ୍ରଜ୍ଞା ପାରମିତା ରଥ ପ୍ରମୁଖ ଭାତ ଉପରେ ରଚିତ କବିତା ଓ ଗଳ୍ପ ଆଦି ପାଠ କରିଥିଲେ। କଣ୍ଠଶିଳ୍ପୀ ଅର୍ପିତା ପତି ଓ କଥାକାର ସ୍ୱାଗତିକା ସ୍ୱାଇଁ ଗୀତ ଗାଇ ଆସରକୁ ଝୁମାଇଥିଲେ। ସଂପାଦକ ସୁବ୍ରତ ସେନାପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉତ୍ସବ ଶେଷରେ ପାରମ୍ପରିକ ଶୈଳୀରେ ପ୍ରସ୍ତୁତ ଦହିପଖାଳ, ଚୁନାମାଛ ଭଜା, ଶାଗ, ବଡ଼ିଚୁରା ଆଦିରେ ଉପସ୍ଥିତ ଲେଖକ ଲେଖିକାମାନେ ଆପ୍ୟାୟିତ ହୋଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ବୀରେନ୍ଦ୍ର ନାୟକ, ସୌମ୍ୟରଞ୍ଜନ ମହାନ୍ତି, ନିଗମାନନ୍ଦ ପଟ୍ଟନାୟକ, ସୁଶାନ୍ତ ମିଶ୍ର, ଅଂଶୁମାନ ସାହୁ, ସତ୍ୟବ୍ରତ ପ୍ରଧାନ, ଜ୍ଞାନରଞ୍ଜନ ଦାସ, ସ୍ନେହଲତା ଦାସ ଲେଙ୍କା, ଅରୁଣ ଦାସ, ଧର୍ମରାଜ ମହାମଲ୍ଲିକ, ସତ୍ୟରଞ୍ଜନ ପ୍ରହରାଜ, ସୌମିଖ ଶଙ୍କର ସେଠୀ, ଆଶିଷ ମିଶ୍ର, ସୁଧାଂଶୁ ସ୍ୱାଇଁ ପ୍ରମୁଖ ଲେଖକ ଓ ସାହିତ୍ୟାନୁରାଗୀ ଯୋଗଦେଇ ଉତ୍ସବକୁ ସଫଳ କରିଥିଲେ।

ସମ୍ବନ୍ଧିତ ଖବର