କଟକ: ବାଙ୍ଗଲାଦେଶ ପରେ ଓଡ଼ିଶାରେ ଏବେ ପାକିସ୍ତାନୀ ବ୍ରାଉନ୍ସୁଗାର। ମାଫିଆମାନେ ପାକିସ୍ତାନରେ ପ୍ରସ୍ତୁତ ବ୍ରାଉନ୍ସୁଗାରକୁ ପ୍ରଥମେ ରାଜସ୍ଥାନ ଆଣୁ ଥିଲେ। ଏବେ ସେମାନେ ତାକୁ ସେଠାରୁ ଉତ୍ତରପ୍ରଦେଶ-ବିହାର ଓ ପଶ୍ଚିମବଙ୍ଗ ଦେଇ ଓଡ଼ିଶାରେ ପହଞ୍ଚାଇଲେଣି। କଟକ ସମେତ ଭୁବନେଶ୍ବର, ବାଲେଶ୍ବର ଓ ପୁରୀ ଜିଲ୍ଲାରେ ଏହି ବ୍ରାଉନ୍ସୁଗାର୍ ଗ୍ରାମ ପିଛା ୫ ହଜାର ଟଙ୍କାରେ ବିକ୍ରି କରାଯାଉଛି। ଅନ୍ତର୍ଜାତୀୟ ବଜାରରେ ଗ୍ରାମ ପିଛା ଦର ୧୦ ହଜାର ଟଙ୍କା ହୋଇଥିବା ବେଳେ ଓଡ଼ିଶାରେ ଭେଜାଲ୍ କରି ତାହାକୁ ଅଧା ଦାମରେ ବିକ୍ରି କରାଯାଉଥିବା ଜଣାପଡିଛି। ଏଭଳି କାରବାରରେ ଅଧିକ ସଂଖ୍ୟାରେ ଇଂଜିନିୟରିଂ ଗ୍ରାଜୁଏଟ, ଶିକ୍ଷିତ ଯୁବକ ଯୁବତୀ ସାମିଲ ହେଉଥିବା ବେଳେ ତାହା ଉଭୟ ପୁଲିସ ଓ ଅବକାରୀ ବିଭାଗ ପାଇଁ ଚିନ୍ତାର କାରଣ ହୋଇଛି। ୨୦୧୬ରୁ ୨୦୨୦ ମଧ୍ୟରେ ଏଭଳି ଶିକ୍ଷିତ ଯୁବକ ଯୁବତୀଙ୍କ ନିକଟରୁ ମୋଟ ୧ କୋଟି ୨୫ ଲକ୍ଷ ଟଙ୍କାର ବ୍ରାଉନ୍ସୁଗର ଜବତ କରାଯାଇଛି। ଧରାପଡ଼ିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅଛନ୍ତି ୧୧ ଜଣ ଇଞ୍ଜିନିୟର, ୨ ଜଣ ପ୍ରେମୀ ଯୁଗଳ, ୬ ଦମ୍ପତି, ଦୁଇ ଜଣ ମହିଳା। କଟକସ୍ଥିତ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ସୂତ୍ରରୁ ଏଭଳି ସୂଚନା ମିଳିଛି।
କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ, ବ୍ରାଉନ୍ସୁଗାର ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାରେ ଉତ୍ପାଦନ କରଯାଉଛି। ସେଠାରୁ ବିହାର-ପଶ୍ଚିମବଙ୍ଗ ରାସ୍ତାରେ ଓଡ଼ିଶା ସୀମାକୁ ପ୍ରବେଶ କରୁଛି। ସେହିପରି ପାକିସ୍ତାନ ଏବ˚ ବାଙ୍ଗଲାଦେଶରେ ବ୍ରାଉନ୍ସୁଗାର କାରଖାନା ଖୋଲାଯାଇଛି। ବାଙ୍ଗାଲାଦେଶରୁ ଚାଲାଣ ହେଉଥିବା ବ୍ରାଉନସୁଗାର ପଶ୍ଚିମବଙ୍ଗ ମୁର୍ସିଦାବାଦ୍ ଜିଲ୍ଲାର ଲାଲ୍ଗୋଲା ଚେକ୍ ଗେଟ୍, ବାଙ୍ଗାଲାଦେଶର ହାକିମ୍ପୁର ଚେକ୍ ଗେଟ୍ ଏବ˚ ବଙ୍ଗ ଚେକ୍ ଗେଟ୍ ରାସ୍ତାରେ ପଶ୍ଚିମବ˚ଗକୁ ଚାଲାଣ କରାଯାଉଛି। ମୋଟାମୋଟି ଭାବେ ପଶ୍ଚିମବଙ୍ଗରେ ବ୍ରାଉନ୍ସୁଗାର ପହଞ୍ଚିଲା ପରେ ସେଠାରୁ ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଥିବା ବ୍ରାଉନ୍ସୁଗାର ହବ୍ରେ ଗଚ୍ଛିତ ରଖାଯାଉଛି। ସେଠାରୁ ବ୍ରାଉନ୍ସୁଗାର କଟକ ମଙ୍ଗଳାବାଗ ଥାନା ମାଛୁଆ ବଜାର, ବୋସ୍ ସ୍କୁଲ କ୍ୟାମ୍ପସ୍ ନିକଟ ଅଞ୍ଚଳ, ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ହଳଦିପଡ଼ିଆ, ପୁରୀ ସମୁଦ୍ର ବେଳାଭୂମି, ଖୋର୍ଧା ଟାଉନ୍, ବାଲେଶ୍ବରର ଅରଡ଼ ବଜାର, ଭଦ୍ରକ ଚରମ୍ପାକୁ ମାଫିଆମାନେ ଚାଲାଣ କରୁଥିଲେ। କିନ୍ତୁ ଗିରଫଦାରୀ ବଢ଼ିବାରୁ ଏବେ କଲେଜ ଛାତ୍ର, ପ୍ରେମୀ ଯୁଗଳ ଏବ˚ ଦମ୍ପତିଙ୍କୁ ମାଫିଆମାନେ ଏଥିରେ ନିୟୋଜିତ କରିଛନ୍ତି। ଏବେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଟାର୍ଗେଟ୍ରେ ଓଡ଼ିଶାରେ ମୋଟ ୬୮ ଜଣ ବ୍ରାଉନ୍ସୁଗାର ବେପାରୀ ଅଛନ୍ତି। କଟକର ୩ଜଣ, ଭୁବନେଶ୍ବର ଲକ୍ଷ୍ମୀସାଗରରେ ୨୫ ଜଣ, ପୁରୀରେ ୪ ଜଣ, ଖୋର୍ଧାରେ ୯ ଜଣ, ବାଲେଶ୍ବର ଜିଲ୍ଲାରେ ୨୨ ଜଣ ଏବ˚ ଭଦ୍ରକରେ ଏମାନଙ୍କ ଭିତରୁ ୫ ଜଣ ଥିବା ଜଣାପଡ଼ିଛି ।
ଭୁବନେଶ୍ୱର: ବ୍ରାଉନ ସୁଗାର ବେପାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି କମିସନରେଟ ପୁଲିସ। ସେମାନଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ୍ (ଏନ୍ଏସ୍ଏ) ଭଳି ପ୍ରିଭେନସନ୍ ଅଫ୍ ଟ୍ରାଫିକିଂ ଇନ୍- ଏନଡିପିଏସ୍ ଆକ୍ଟ( ଦଫା) ଲଗାଯିବ। ଜଣେ ନିଶା ବେପାରୀ ଏହି ଦଫାରେ ଥରେ ଗିରଫ ହେଲେ ୨ ବର୍ଷ ପର୍ଯ୍ୟନ୍ତ ତାକୁ ଜାମିନ ମିଳି ପାରିବ ନାହିଁ।
ଏହି ସମୟ ମଧ୍ୟରେ ତାର ସମ୍ପତ୍ତିକୁ ମଧ୍ୟ ନିଲାମ କରାଯିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହେବ। ନିଶା ମାଫିଆମାନଙ୍କ ବିରୋଧରେ ଏଭଳି ଦଫା ଲଗାଇବାକୁ କମିସନରେଟ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ଏ ନେଇ ଗୃହ ସଚିବଙ୍କୁ କେତେକ ନିଶା ମାଫିଆଙ୍କ ତାଲିକା ପ୍ରଦାନ କରାଯିବ। ଗୃହ ସଚିବ ଏଥିରେ ମୋହର ମାରିବା ପରେ ଏହି ଆଇନ କାର୍ଯ୍ୟକାରୀ କରାଯିବ ବୋଲି କମିସନରେଟ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ବ୍ରାଉନ ସୁଗାର ବେପାରୀଙ୍କ ବିରୋଧରେ ଚାଲିଥିବା ଅଭିଯାନରେ କମିସନରେଟ ପୁଲିସକୁ ସଫଳତା ମିଳିଛି ସତ, କିନ୍ତୁ ସେମାନେ ଗିରଫ ହେବାର କିଛି ଦିନ ମଧ୍ୟରେ ଜାମିନରେ ଆସି ପୁଣି ଥରେ ଏହି କାରବାରରେ ସଂପୃକ୍ତ ହେଉଥିବାରୁ ଉଦ୍ବେଗର କାରଣ ହୋଇଛି। ରାଜଧାନୀକୁ ନିଶା କାରବାର ମୁକ୍ତ କରିବାକୁ କମିସନରେଟ ପୁଲିସ ଏବେ ଅଣ୍ଟା ଭିଡିଛି। ଅଭ୍ୟାସଗତ ନିଶା ବେପାରୀଙ୍କୁ ଚିହ୍ନଟ କରିବାକୁ ସମସ୍ତ ଜୋନ୍ ଏସିପି ଓ ଇନ୍ସପେକ୍ଟରମାନଙ୍କୁ ନିର୍ଦେଶ ହୋଇଛି। ଯେଉଁମାନେ ବାରମ୍ବାର ଜେଲ ଯିବା ପରେ ଜାମିନ୍ରେ ଆସି ପୁଣି ଥରେ ଏହି କାରବାର କରୁଛନ୍ତି, ସେ ସମ୍ପର୍କରେ ତଥ୍ୟ ଦେବାକୁ କୁହାଯାଇଛି। ତଥ୍ୟ ମିଳିବା ପରେ କମିସନରେଟ ପୁଲିସର ଏକ ଉଚ୍ଚସ୍ତରୀୟ ଟିମ୍ ଏହାକୁ ଛାନ୍ଭିନ୍ କରିବ। ଏହା ପରେ ଏକ ତାଲିକା ପ୍ରକାଶ କରାଯାଇ ଗୃହ ସଚିବଙ୍କ ନିକଟକୁ ପଠାଇ ଦିଆଯିବ। ଗୃହ ସଚିବ ମୋହର ମାରିବା ପରେ ସଂପୃକ୍ତ ନିଶା ବେପାରୀମାନଙ୍କ ବିରୋଧରେ ଏଭଳି କଡ଼ା ଦଫା ଲାଗିବ।
ପ୍ରଥମ ପର୍ଯ୍ୟାୟରେ ଲକ୍ଷ୍ମୀସାଗର ଥାନା ଅଧୀନ ହଳଦି ପଡ଼ିଆରେ ଓ ଜଟଣୀ ଅଂଚଳରେ ଥିବା କେତେକ ବ୍ୟବସାୟୀଙ୍କ ବିରୋଧରେ ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଯୋଜନା ହୋଇଛି। ବିଶେଷକରି ଯେଉଁମାନଙ୍କଠାରୁ ୨୫ ଗ୍ରାମରୁ ଅଧିକ ବ୍ରାଉନ ସୁଗାର ଜବତ ହେଉଛି, ସେହିମାନଙ୍କୁ ଟାର୍ଗେଟ କରାଯାଇଛି। ଏ ଦିଗରେ କମିସନରେଟ ପୁଲିସ ସଫଳ ହେଲେ ଏହି ନିୟମକୁ ରାଜ୍ୟର ଅନ୍ୟ ସହରରେ ମଧ୍ୟ ଲାଗୁ କରାଯିବ। ବିଶେଷକରି ବାଲେଶ୍ୱର, ଜଳେଶ୍ୱର, ଛତିଆ, ପୁରୀ, ପିପିଲି, ଖୋର୍ଧା ଅଂଚଳରେ ନିଶା କାରବାର କରୁଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ରାଜଧାନୀରେ ଏହି ନିୟମ ଲାଗୁ ହେବା ଦ୍ବାରା ତାହାର ପ୍ରଭାବ ରାଜ୍ୟର ଅନ୍ୟ ସ୍ଥାନରେ ବି ପଡ଼ିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇ କହିଛନ୍ତି।
ଅନ୍ୟପକ୍ଷରେ ଏହି ନିଶା ବେପାରୀଙ୍କ ବିରୋଧରେ କମିସନରେଟ ପୁଲିସ ଏକ ଭିନ୍ନ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରି ସାରିଛି। ଏହା ମଧ୍ୟରେ ୨ ଜଣ ନିଶା ମାଫିଆଙ୍କ ବିରୋଧରେ ଏନ୍ଏସ୍ଏ ଲାଗୁ କରାଯାଇଥିବା ବେଳେ ୩ ଜଣଙ୍କୁ ତଡ଼ିପାର କରି ଦିଆଯାଇଛି। ଆଗାମୀ ଦିନରେ ଏଭଳି ଅନେକ ନିଶା ବେପାରୀଙ୍କୁ ସହରରୁ ତଡ଼ି ପାର କରି ଦିଆଯିବ ବୋଲି ସୂଚନା ମିଳିଛି।ଏଠାରେ ପ୍ରକାଶଥାଉକି, କମିସନରେଟ ପୁଲିସ ଗତ ୪ ମାସ ମଧ୍ୟରେ ରାଜଧାନୀରୁ ଦେଢ଼ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ କରି ସାରିଲାଣି ଏବଂ ୫୬ଟି ମାମଲା ରୁଜୁ କରି ସାରିଛି। ନିଶା କାରବାର ଅଭିଯୋଗରେ ୧୦୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ଏକ କେଜି ୩ଶହ ୨ ଗ୍ରାମ ବ୍ରାଉନ ସୁଗାର, ୬ ଲକ୍ଷ ଟଙ୍କା, ୬ଟି କାର ଓ ୪୦ଟି ବାଇକ ଜବତ କରାଯାଇଛି।