‘ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପାଲା ବିଭାଗ ଖୋଲାଯାଉ’

ପାଲା ସମ୍ମେଳନ ୨୦୧୮

ଭୁବନେଶ୍ୱର : ଶ୍ରୀଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପାଲା ସମ୍ମେଳନର କାର୍ଯ୍ୟକ୍ରମ ଆଜି ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି। ପାଲାର ସଂରକ୍ଷଣ, ପ୍ରଚାର ପ୍ରସାର ଏବଂ ଅଭିବୃଦ୍ଧି ପାଇଁ ଜଗନ୍ନାଥ ପାଲା ଗବେଷଣା ପ୍ରତିଷ୍ଠାନର ଏହି ଦିନିକିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ପାଲାକୁ ବଞ୍ଚାଇ ରଖିବା ପାଇଁ ଅଧିକ ତାଲିମପ୍ରାପ୍ତ କଳାକାର ଓ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ପାଲା ବିଭାଗ ଖୋଲିବାକୁ ରାଜ୍ୟର ବରିଷ୍ଠ ପାଲାକାର, ବୁଦ୍ଧିଜୀବୀ ଦାବି ଉପସ୍ଥାପନ କରିଥିଲେ। ଏଥିରେ ଅତିଥି ଭାବେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ଓ ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗ ଦେଇ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପତିଶ୍ରୁତି ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାରେ ପାଲା ଓ ଏହାର ଐତିହ୍ୟ ସମ୍ପର୍କରେ ଗାୟକ ବାଗୀଶ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଉପସ୍ଥାପନା କରିଥିଲେ, ଗାୟକ ସାରସ ସୁଦର୍ଶନ ମହାପାତ୍ର ସ୍ୱାଧୀନତା ସଂଗ୍ରାମରେ ପାଲାର ଭୂମିକା, ଗାୟକ ସୁଧାକର ମଦନ ମୋହନ ଜେନା ସାଂପ୍ରତିକ ସମୟରେ ପାଲା ପାଇଁ ପ୍ରମୁଖ ଆହ୍ଵାନ, ଗାୟକ ଅରୁଣ ଚକ୍ରଧର ବାରିକ ପାଲାର ପ୍ରଚାର ପ୍ରସାର ଓ ସଂରକ୍ଷଣ, ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ପାଲା କଳା ଓ କଳାକାରଙ୍କ ପାଇଁ ଭବିଷ୍ୟତ ଯୋଜନା ବିଷୟରେ ଆଲୋଚନା କରିଥିଲେ। ପ୍ରଫେସର ନିରଞ୍ଜନ ପଣ୍ଡା ଓ ଡ. ସନ୍ତୋଷ କୁମାର ମହାପାତ୍ର ବିଶେଷଜ୍ଞମଣ୍ଡଳୀରେ ଅଂଶଗ୍ରହଣ କରିଥିଲେ। ଏଥିରେ କେନ୍ଦ୍ର ସଂଗୀତ ଏକାଡେମି ପୁରସ୍କାରପ୍ରାପ୍ତ ଗାୟକ ସମ୍ରାଟ ଲକ୍ଷ୍ମୀଧର ରାଉତଙ୍କୁ ସମ୍ବର୍ଧିତ କରାଯାଇଥିଲା। ବରିଷ୍ଠ ଗାୟକ ଓ ସାଥୀ ପାଲା ପରିବେଷଣ କରିଥିଲେ। ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଶ୍ରଦ୍ଧାନନ୍ଦ ମିଶ୍ରଙ୍କ ସମେତ ବହୁ ବୁଦ୍ଧିଜୀବୀ ଏବଂ ରାଜ୍ୟର ବିଭିନ୍ନ ଅଞ୍ଚଳର ବରିଷ୍ଠ ଗାୟକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର