ଭୁବନେଶ୍ବର: ରାଜନଅର ବୁଲିବାର ଇଚ୍ଛା ସମସ୍ତଙ୍କର ଥାଏ। ଏହି ଇଚ୍ଛା ଅନେକଙ୍କର ପୂରଣ ହୋଇପାରେନା କିମ୍ବା ରାଜ୍ୟ ବାହାରକୁ ଯିବାର ସୁଯୋଗ ବି ମିଳେନା। ଏଣୁ ରାଜଧାନୀର ଦୁର୍ଗାପୂଜା କମିଟିଗୁଡ଼ିକ ପ୍ରତିବର୍ଷ ଭିନ୍ନ ଭିନ୍ନ ନଅର ତିଆରି କରି, ଶ୍ରଦ୍ଧାଳୁଙ୍କ ନଅର ଭ୍ରମଣର ଇଚ୍ଛା ପୂରଣ କରନ୍ତି। ଏହି କ୍ରମରେ ଏଥର ଯୋଡ଼ି ହୋଇଛି ‘ପଳାଶୁଣୀ ଦୁର୍ଗାପୂଜା କମିଟି’। ଏଥର ପଳାଶୁଣୀ ଦୁର୍ଗାପୂଜାରେ ‘ମିଆଁମାର୍ ଗୋଲ୍ଡେନ୍ ପ୍ୟାଲେସ୍’ ବୁଲି ହେବ। ଏହି ତୋରଣର ଉଚ୍ଚତା ୫୦ ଫୁଟ ଓ ଚଉଡ଼ା ରହିବ ୬୦ ଫୁଟ। ଏହି ସୁନ୍ଦର ନଅର ତିଆରି ପାଇଁ ୫୦ ଜଣ ବଙ୍ଗୀୟ କାରିଗର ମାସେ ହେଲା ନିୟୋଜିତ ହୋଇଛନ୍ତି। ପୂଜା ପାଇବାକୁ ଥିବା ମା’ଙ୍କ ମୃଣ୍ମୟୀ ମୂର୍ତ୍ତିର ଉଚ୍ଚତା ୨୦ ଫୁଟ୍ ରହିବ।
ପୂଜା କମିଟି ପକ୍ଷରୁ ମା’ ଦୁର୍ଗା, ପାର୍ଶ୍ୱ ଦେବଦେବୀ ମା’ ଲକ୍ଷ୍ମୀ, ସରସ୍ବତୀ, ଗଣେଶଙ୍କ ସହ ମହିଷାସୁରଙ୍କ ମୂର୍ତ୍ତି ପାଇଁ ରୁପା ମୁକୁଟ ପ୍ରସ୍ତୁତ କରାଯାଇଛି। ପ୍ରତି ମୁକୁଟରେ ଦେଢ଼ କେଜିରୁ ଅଧିକ ରୁପା ରହିବ। ମା’ଙ୍କ ମୂର୍ତ୍ତି ନିର୍ମାଣ ପାଇଁ କଟକର ଶିଳ୍ପୀ ଦନେଇ ବେହେରାଙ୍କ ଝିଅ ସୋମା ବେହେରା ନିୟୋଜିତ ଅଛନ୍ତି। ତେବେ ମଣ୍ଡପରେ ୨୪ଫୁଟ୍ ଉଚ୍ଚର ସୁସଜ୍ଜିତ ମେଢ଼ ଅନ୍ୟତମ ଆକର୍ଷଣ ରହିବ। ଏଥିସହ ପୂଜା ପାଇଁ ପଳାଶୁଣୀ ଫୁଟ୍ ଓଭର୍ବ୍ରିଜ୍ଠାରୁ ଆରମ୍ଭ କରି ରସୁଲଗଡ଼ ଓଭରବ୍ରିଜ୍ ପର୍ଯ୍ୟନ୍ତ ଆଲୋକରେ ସୁସଜ୍ଜିତ ହେବ। ଜାତୀୟ ରାଜପଥ କଡ଼ରେ ପୂଜା ହେଉଥିବାରୁ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ୍ ଜାମ୍ ସ୍ଥିତିକୁ ନଜରରେ ରଖି କମିଟି ପକ୍ଷରୁ ୪୦ ଜଣ ସ୍ବେଚ୍ଛାସେବୀଙ୍କ ସହ କମିସନରେଟ୍ ପୁଲିସର ବି ସହଯୋଗ ଲୋଡ଼ାଯାଉଛି। ତେବେ ଷଷ୍ଠୀରେ ବିଲ୍ୱବରଣ ଓ କଳସ ଯାତ୍ରା, ସପ୍ତମୀରେ ବାଲୁଗାଁ ନାରାୟଣୀ ପୀଠରୁ ଆଜ୍ଞାମାଳ ଆସିବ। ମହାଷ୍ଟମୀରେ ବିଶେଷ କରି ମହିଳା ଶ୍ରଦ୍ଧାଳୁ ଯୋଗ ଦେଇ ପୂଜା କରିବେ। ଅଷ୍ଟମୀ ଅବସରରେ ମା’ଙ୍କୁ ଖେଚୁଡ଼ି ଭୋଗ ଲାଗି କରାଯିବାକୁ ଥିବା ବେଳେ ବିଜୟା ଦଶମୀ ଅବସରରେ ୧୦ ପ୍ରକାର ପିଠା ଭୋଗ କରାଯିବାର ପରମ୍ପରା ରହିଛି।
ଏଥର ହେବନି ରାବଣ ପୋଡ଼ି
ରାବଣ ପୋଡ଼ି ପଳାଶୁଣୀ ଦୁର୍ଗାପୂଜାର ପ୍ରମୁଖ ଆକର୍ଷଣ ହୋଇଥିବା ବେଳେ ଚଳିତ ଥର ଆମେ ଆଉ ରାବଣ ପୋଡ଼ି କରିବୁ ନାହିଁ। ତେବେ ନବରାତ୍ରୀ କରୁଥିବା ଶ୍ରଦ୍ଧାଳୁ ତଥା ମହାଷ୍ଟମୀ ବ୍ରତଧାରୀଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ୩ ଦିନ ମେଲୋଡି ସନ୍ଧ୍ୟା ସହ ଗୋଟିଏ ରାତି ଭଜନ ସନ୍ଧ୍ୟା ହେବ। ଦଶମୀ ଦିନ ଜନସମାଗମକୁ ନଜରରେ ରଖି ପଳାଶୁଣୀ ହାଟ ବନ୍ଦ କରାଯାଇ, ସେଠାରେ ପାର୍କିଂ ବ୍ୟବସ୍ଥା ହେବ।
ପ୍ରଭାତ ପରିଡ଼ା, ସଭାପତି, ପଳାଶୁଣୀ ଦୁର୍ଗାପୂଜା କମିଟି
ପରମ୍ପରାକୁ ଗୁରୁତ୍ବ
ପରମ୍ପରା ମୁତାବକ ମା’ଙ୍କ ପୂଜା ଅନୁଷ୍ଠିତ ହେବ। ରୀତିନୀତିରେ ଯେପରି କୌଣସି ଅସୁବିଧା ନହୁଏ ସେଥିପ୍ରତି ଧ୍ୟାନ ଦିଆଯିବ। ମହିଳା ଶ୍ରଦ୍ଧାଳୁଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗ ଓ ବୟସ୍କଙ୍କ ପାଇଁ ହ୍ବିଲ୍ଚେୟାରର ବ୍ୟବସ୍ଥା ରହିବ। ସିସିଟିଭି ଲାଗିବ। ଲୋକଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିସହ ମୀନାବଜାର ଓ ଦୋଳି ବ୍ୟବସ୍ଥା କରାଯାଇଛି।
ରମେଶ ସାହୁ, ଉପସଭାପତି, ପଳାଶୁଣୀ ଦୁର୍ଗାପୂଜା କମିଟି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/07/sfsfsfxcxc-2025-09-07-03-32-22.jpg)