ଭୁବନେଶ୍ବର: ଓଡ଼ିଶାରେ ୪ଟି ସ୍ଥାନରେ ଫୁଟ୍ ଓଭରବ୍ରିଜ୍ (ଏଫ୍ଓବି) ନିର୍ମାଣ କରିବେ ଜାତୀୟ ରାଜପଥ କର୍ତ୍ତୃପକ୍ଷ। ଭୁବନେଶ୍ବରରେ ପଳାସୁଣି ଛକ ଓ ବରମୁଣ୍ଡାରେ ୨ଟି ଫୁଟ୍ ଓଭରବ୍ରିଜ୍ ଏବଂ ଚଣ୍ଡୀଖୋଲ-ଜଗତପୁର-ଭୁବନେଶ୍ବର ରାସ୍ତା ଏନ୍ଏଚ୍-୫ ମଙ୍ଗୁଳିରେ ୨ଟି ଓଭରବ୍ରିଜ୍ ନିର୍ମାଣ କରାଯିବ। ଏଥିପାଇଁ ଟେଣ୍ଡର ସରିଥିବା ବେଳେ ଆସନ୍ତା ୧୫ ଦିନ ଭିତରେ କାମ ଆରମ୍ଭ କରିବାର ଲକ୍ଷ୍ୟ କରିଛି ଏନ୍ଏଚ୍ଏଆଇ।
ପଳାସୁଣିରେ ଫୁଟ୍ ଓଭରବ୍ରିଜ୍ ନିର୍ମାଣ ପାଇଁ ପ୍ରାୟ ୧୦ ବର୍ଷ ହେବ ଦାବି ହେଉଛି। ୨ ବର୍ଷ ତଳେ ଏନେଇ ଟେଣ୍ଡର ମଧ୍ୟ ହୋଇଥିଲା। କିନ୍ତୁ ବିଭିନ୍ନ କାରଣ ପାଇଁ ଟେଣ୍ଡର ବାତିଲ ହେଲା। ଗତ ବର୍ଷକ ମଧ୍ୟରେ ପଳାସୁଣିରେ ଶତାଧିକ ଦୁର୍ଘଟଣା ଘଟିଥିବା ବେଳେ ୩ ଜଣଙ୍କର ଜୀବନ ଯାଇଛି। ସେହିପରି ବରମୁଣ୍ଡାରେ ଫୁଟ୍ ଓଭରବ୍ରିଜ୍ ପାଇଁ ଦୀର୍ଘ ଦିନ ହେବ ସ୍ଥାନୀୟ ବାସିନ୍ଦା ଓ ବ୍ୟବସାୟୀ ଦାବି କରୁଥିଲେ। ଏହି ଦୁଇ ସ୍ଥାନରେ ପ୍ରତିଦିନ ହଜାର ହଜାର ଲୋକ ଅତ୍ୟନ୍ତ ବିପଦସଙ୍କୁଳ ଭାବେ ରାସ୍ତା ପାର୍ ହେଉଛନ୍ତି। ତେବେ ଏଥିପାଇଁ ଗତ ଫେବ୍ରୁଆରିରେ ଟେଣ୍ଡର ଡକାଯାଇଥିଲା। ନିର୍ବାଚନ ସରିବା ପରେ ଟେଣ୍ଡର ଖୋଲା ଯାଇଛି। ଟେଣ୍ଡର ପ୍ରକ୍ରିୟାରେ ଅଧିକ ସଂଖ୍ୟାରେ ଠିକାସଂସ୍ଥା ଭାଗ ନେଇଥିଲେ। ୪ଟି ଫୁଟ୍ ଓଭରବ୍ରିଜ୍ ପାଇଁ ଏନ୍ଏଚ୍ଏଆଇ ୧୦ କୋଟି ୫୬ ଲକ୍ଷ ୭୦ ହଜାର ୨୪୦ ଟଙ୍କା ରଖିଥିବା ବେଳେ ଧିଙ୍ଗରା ବ୍ରଦର୍ସ (ଇଣ୍ଡିଆ) ଠିକା ସଂସ୍ଥା ୩୦.୯୨ ପ୍ରତିଶତ କମ୍ରେ ଟେଣ୍ଡର ପାଇଛି।
ସୂଚନାନୁସାରେ ପଳାସୁଣି ଓ ବରମୁଣ୍ଡା ଫୁଟ୍ ଓଭରବ୍ରିଜ୍ ପାଇଁ ୫ କୋଟି ଟଙ୍କା ବ୍ୟୟ କରାଯିବ। ଏଥିରେ ସମସ୍ତ ଅତ୍ୟାଧୁନିକ ସୁବିଧା ରହିବ। ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ଲିଫ୍ଟ ମଧ୍ୟ ରହିବ। ଏନ୍ଏଚ୍ଏଆଇର ପ୍ରକଳ୍ପ ନିର୍ଦ୍ଦେଶକ କେ. ନାଗେଶ୍ବର ରାଓ ସୂଚନା ଦେଇ କହିଛନ୍ତି ଯେ ଟେଣ୍ଡର କାମ ଶେଷ ହୋଇଛି। ଆସନ୍ତା ୧୫ ଦିନ ଭିତରେ କାମ ଆରମ୍ଭ କରାଯାଇ ଯୁଦ୍ଧକାଳୀନ ଭିତ୍ତିରେ କାମ ସାରିବାକୁ ଚେଷ୍ଟା କରିବୁ। ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ସାମାଜିକ ଗଣମାଧ୍ୟମରେ ଟେଣ୍ଡର ଚିଠି ପୋଷ୍ଟ କରିବା ସହ ଏହାଦ୍ବାରା ଗମନାଗମନ ସହଜ ହେବ ଓ ଧନ ଜୀବନର ସୁରକ୍ଷା ହୋଇ ପାରିବ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/foot-bridge.jpg)