ଭୁବନେଶ୍ୱର: ଜାତୀୟ ରାଜପଥ କଡ଼ ପାଲଟିଛି ଭୁବନେଶ୍ବର ମହାନଗର ନିଗମର ଡମ୍ପିଂୟାର୍ଡ। ପଡ଼ୁଛି ସହରର କୁଢ଼ କୁଢ଼ ଆବର୍ଜନା। ଏତେ ମାତ୍ରାରେ ଆବର୍ଜନା ଗଦା ହେଲାଣି ଯେ ଏହା ପାହାଡ଼ ଉଚ୍ଚ ହେଲାଣି। ଆଖପାଖରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି। ଏହି ଆବର୍ଜନା, ପାଣିକୁ ପ୍ରଦୂଷିତ କରିବା ସହ ଆଖପାଖ ଅଞ୍ଚଳକୁ ବି ସଂକ୍ରମିତ କରିବାର ଭୟ ସୃଷ୍ଟି କଲାଣି। ସେଠାରେ ମଲା ଗୋରୁ, କୁକୁର ମଧ୍ୟ ପକାଯାଉଛି। ଗନ୍ଧରେ ପାଖ ପଶି ହେଉନି। ପଳାଶୁଣୀରୁ ଲିଙ୍ଗିପୁର ଭୁବନେଶ୍ବର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥରେ ଏହାର ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି।
ଗତବର୍ଷ ଭୁବନେଶ୍ବର ମହାନଗର ନିଗମ ସାରା ଦେଶର ସ୍ବଚ୍ଛ ସର୍ବେକ୍ଷଣରେ ଜାତୀୟ ରାଙ୍କିଙ୍ଗ୍ରେ ୩୪ତମ ସ୍ଥାନରେ ରହିଥିଲା। ଚଳିତବର୍ଷ ସ୍ବଚ୍ଛତାରେ ସାରା ଦେଶର ନବମ (ଜାତୀୟ ରାଙ୍କ୍) ସ୍ଥାନରେ ରହିଛି। ୨୦୨୬ରେ ଭୁବନେଶ୍ବର ମହାନଗର ନିଗମକୁ ଦେଶର ୧ ନମ୍ବର ସହର କରିବୁ ବୋଲି ମେୟର ସୁଲୋଚନା ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। କିନ୍ତୁ ଯେଉଁମାନେ ଭୁବନେଶ୍ବର ମହାନଗର ନିଗମର ସ୍ବଚ୍ଛତା କାମରେ ନିୟୋଜିତ ଅଛନ୍ତି, ସେମାନେ ସଂଗୃହୀତ ଆବର୍ଜନା ସବୁ ଏମ୍ସିସି ଓ ଏମ୍ଆରଏଫ୍କୁ ନନେଇ ଜାତୀୟ ରାଜପଥ କଡ଼ରେ ଫିଙ୍ଗି ଦେଉଥିବା ଅଭିଯୋଗ ହୋଇଛି। ଯାହା ମେୟରଙ୍କ ସ୍ବପ୍ନକୁ ଧୂଳିସାତ୍ କରିଦେବ ବୋଲି ମତପ୍ରକାଶ ପାଇଛି।
ବିଏମ୍ସିର ୬୭ଟି ୱାର୍ଡରୁ ଦୈନିକ ପ୍ରାୟ ୮୦୦ ମେଟ୍ରିକ ଟନ୍ ବର୍ଜ୍ୟ ବାହାରୁଛି। ଏଥିରୁ ପ୍ରାୟ ୧୯୪ ମେଟ୍ରିକ୍ ଟନ୍ ଓଦା ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ୩୭ଟି ଏମ୍ସିସି(ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର)ରେ ଓ ୧୨୦ ମେଟ୍ରିକ୍ ଟନ୍ ଶୁଖିଲା ବର୍ଜ୍ୟ ପ୍ରକ୍ରିୟାକରଣ ପାଇଁ ୨୨ଟି ଏମ୍ଆରଏଫ୍ (ମ୍ୟାଟରିଆଲ୍ ରିକଭରି ଫାସିଲିଟି) ରହିଛି। ଏହାବାଦ୍ ବିଭିନ୍ନ ସ୍ଥାନରେ ଥିବା ଟିଟିଏସ୍ (ଟେମ୍ପରାରି ଟ୍ରାନ୍ଜିଟ୍ ଷ୍ଟେସନ୍)ରେ ୩୪୦ ମେଟ୍ରିକ୍ ଟନ୍ ଆବର୍ଜନାର ପ୍ରକ୍ରିୟାକରଣ କରାଯାଉଛି ବୋଲି ବିଏମ୍ସି ଦାବି କରୁଛି। ପ୍ରତି ଶନିବାର ଇ-ଵେଷ୍ଟ ସଂଗ୍ରହ ଓ ଏହାର ପୁନଃଚକ୍ରଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ତୃଣମୂଳସ୍ତରରୁ ସ୍ଥିତି ପରଖିଲେ, ଭିନ୍ନ ମନେ ହେଉଛି। ଆବର୍ଜନା କେନ୍ଦ୍ରକୁ ଆବର୍ଜନା ଯିବା ବଦଳରେ ସହର ଦେଇ ଯାଇଥିବା ରାଜପଥ କଡ଼ରେ ଅଳିଆ ଫିଙ୍ଗି ଦିଆଯାଉଛି। ଏଥିସହ ବିଭିନ୍ନ ହୋଟେଲ, ମଣ୍ଡପ ଆଦିରେ ଆୟୋଜିତ ବିବାହ ଭୋଜିରୁ ନିର୍ଗତ ଆବର୍ଜନାକୁ ରାସ୍ତାକଡ଼ରେ ଫିଙ୍ଗି ଦିଆଯାଉଛି। ପଳାଶୁଣିରୁ ଲିଙ୍ଗିପୁର ଭିତରେ ଜାତୀୟ ରାଜପଥର ଏକାଧିକ ସ୍ଥାନରେ କୁଢ଼ କୁଢ଼ ଆବର୍ଜନା ସବୁ ଫିଙ୍ଗା ଯାଇଥିବା ଦେଖିବାକୁ ମିଳିଛି। ଆବର୍ଜନା ପକାଇ ଜାଗା ପୋତାଯିବା ସହ ପାହାଡ଼ ଉଚ୍ଚ ଆବର୍ଜନା ଗଦା ପରିବେଶକୁ ପ୍ରଦୂଷିତ କରୁଛି। ଏ ଦିଗରେ ବିଏମ୍ସି ଗୁରୁତ୍ବର ସହ ବିଚାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ପଳାଶୁଣୀ-ଲିଙ୍ଗିପୁର ରାସ୍ତା: ଆବର୍ଜନା ପାହାଡ଼
ଜାତୀୟ ରାଜପଥ କଡ଼ ପାଲଟିଛି ଭୁବନେଶ୍ବର ମହାନଗର ନିଗମର ଡମ୍ପିଂୟାର୍ଡ। ପଡ଼ୁଛି ସହରର କୁଢ଼ କୁଢ଼ ଆବର୍ଜନା। ଏତେ ମାତ୍ରାରେ ଆବର୍ଜନା ଗଦା ହେଲାଣି ଯେ ଏହା ପାହାଡ଼ ଉଚ୍ଚ ହେଲାଣି। ଆଖପାଖରେ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଲାଣି। ଏହି...
/sambad/media/media_files/2025/07/23/lingipur-road-2025-07-23-06-24-28.jpg)