ବାତ୍ୟା ଓ କାଳବୈଶାଖୀ, ପାନ ଚାଷର ବଇରୀ

ବାଲିପାଟଣା: ସାମୁଦ୍ରିକ ବାତ୍ୟା ଓ କାଳବୈଶାଖୀ ଓଡ଼ିଶା ଉପକୂଳ ଅଞ୍ଚଳରେ ପାନ ଚାଷର ମୁଖ୍ୟ ବଇରୀ ସାଜିଛି। ପ୍ରତିବର୍ଷ ବାତ୍ୟା ଓ କାଳବୈଶାଖୀ ଝଡ଼ ପାନ ବରଜ ଭାଙ୍ଗି ପକାଉଛି। ଫଳରେ ଚାଷୀମାନେ କ୍ଷତିଗ୍ରସ୍ତ ହେଉଛନ୍ତି। କିନ୍ତୁ ଏହି କ୍ଷତିଗ୍ରସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳି ପାରୁନାହିଁ। ସରକାରୀ ସହାୟତା ମିଳୁନଥିବାବେଳେ ବୀମାରୁ ମଧ୍ୟ ଚାଷୀମାନେ ଉପକୃତ ହୋଇପାରୁନଥିବା ଅଭିଯୋଗ ହେଉଛି। ସାମୁଦ୍ରିକ ବାତ୍ୟା ଫନିରେ କ୍ଷତିଗ୍ରସ୍ତ ହୋଇଥିବା ହଜାର ହଜାର ଚାଷୀ ବର୍ଷକ ପରେ ମଧ୍ୟ କ୍ଷତିପୂରଣ ପାଇନଥିବା ବେଳେ କାଳବୈଶାଖୀରେ ଶହ ଶହ ଚାଷୀଙ୍କ ଅଣ୍ଟା ଭାଙ୍ଗି ଯାଇଛି। ବର୍ଷକ ମଧ୍ୟରେ ଦୁଇ ଦୁଇଟି ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ଖାଇ ବେହାଲ୍ ହୋଇପଡ଼ିଥିବା ଚାଷୀମା‌ନେ ଏବେ ପାନ ଚାଷରୁ ମୁହଁ ଫେରାଇବା ଜଳଜଳ ହୋଇ ଦିଶିଲାଣି।

ଚାଷୀମାନଙ୍କ ଅଭିଯୋଗ ଅନୁସାରେ ପ୍ରତିବର୍ଷ ଧାନ, ପାନ, ପରିବା, ମୁଗ, ବିରି, କୋଳଥ, ନଡ଼ିଆ ଓ ପନିପରିବା ଚାଷ ବାତ୍ୟା ଓ କାଳବୈଶାଖୀ ଯୋଗୁଁ ପ୍ରଭାବିତ ହେଉଛି। ବିଶେଷ କରି ପାନ ଚାଷୀଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଥରକୁ ଥର ଝଡ଼ ତୋଫାନ ଓ ବାତ୍ୟା ଯୋଗୁଁ ବରଜ ଭାଙ୍ଗି ଯାଉଛି। କିନ୍ତୁ ସରକାରୀ ସହାୟତା ନାହିଁ। ବାତ୍ୟା ଫନିରେ ତିନି ହଜାରରୁ ଅଧିକ ପାନ ବରଜ ଭାଙ୍ଗିଥିଲା। ବ୍ଲକ ଉଦ୍ୟାନ ବିଭାଗ ତଦନ୍ତ କରି ସରକାରଙ୍କ ନିକଟରେ ଏହି ତଥ୍ୟ ଦାଖଲ କରିଥିଲା। କିନ୍ତୁ କ୍ଷତିପୂରଣ ବାବଦରେ ଏଯାଏ ଟଙ୍କାଟିଏ ମିଳିଲା ନାହିଁ। ପୁଣି ଗତ ଶୁକ୍ରବାର ଦିନ ଭୟଙ୍କର କାଳବୈଶାଖୀ ତାଣ୍ତବ ରଚିଥିଲା। ଫଳରେ ଶହ ଶହ ପାନ ବରଜ ମାଟିରେ ଶୋଇଛି। ବ୍ଲକ ଉଦ୍ୟାନ ବିଭାଗର ମୁଖ୍ୟ ପ୍ରିୟଙ୍କା ପ୍ରିୟଦର୍ଶିନୀଙ୍କ ସୂଚନାନୁସାରେ ଫନିରେ ୩ ହଜାରରୁ ଊର୍ଦ୍ଧ୍ବ ପାନବରଜ କ୍ଷତିଗ୍ରସ୍ତ ହୋଇଛି ବୋଲି ଚିଠା ପ୍ରସ୍ତୁତ ହୋଇଥିଲା। ମାତ୍ର ୫ ଶହ ଚାଷୀଙ୍କୁ କ୍ଷତିପୂରଣ ମିଳିବ ବୋଲି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଚଳିତ ବର୍ଷ କରୋନା ପାଇଁ ପାନ ଚାଷୀମାନେ ଅଧିକ ପ୍ରଭାବିତ ହୋଇଛନ୍ତି। ଦୀର୍ଘ ଦୁଇମାସ ହେବ ସବୁ ପାନ ଦୋକାନ ବନ୍ଦ ହେବା ଯୋଗୁଁ ପାନ ପତ୍ର ବିକ୍ରି ଯଥେଷ୍ଟ ହ୍ରାସ ପାଇଛି। ଫଳରେ ଗଛରେ ପାନ ପତ୍ର ପଚୁଛି। ଏହି ଅବସ୍ଥାରେ ଗତ ଶୁକ୍ରବାର କାଳବୈଶାଖୀରେ ବାଲିପାଟଣା ଅଞ୍ଚଳରେ ଶହ ଶହ ପାନବରଜ ଭାଙ୍ଗିଛି। କିନ୍ତୁ ସରକାରଙ୍କ ତରଫରୁ ଏହାର ତଦନ୍ତ ପାଇଁ ତହସିଲ ନିକଟକୁ ନିର୍ଦ୍ଦେଶ ଆସିନଥିବା ଜଣାପଡ଼ିଛି। ତେଣୁ କ୍ଷତିପୂରଣ ମିଳିବ ନାହିଁ ବୋଲି ଚାଷୀମାନଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର