ଭଙ୍ଗା ପାନ ଖଣ୍ଡକୁ ୫ଟଙ୍କା

ଭୁବନେଶ୍ବର: ବାତ୍ୟା ଫନି ପାନ ଚାଷକୁ ବହୁ ମାତ୍ରାରେ ପ୍ରଭାବିତ କରିଛି। ପାନ କଡ଼ା ୧୫୦ ଟଙ୍କା ଟପିଯାଇଥିବା ବେଳେ ଭଙ୍ଗା ପାନ ଖଣ୍ଡ ୫ ଟଙ୍କା ଛୁଇଁଛି। ଫଳରେ ପାନଖିଆଙ୍କ ପାଇଁ ଘୋର ସମସ୍ୟା ସୃଷ୍ଟି ହୋଇଛି। ଅଭ୍ୟାସଗତ ପାନଖିଆମାନେ ଏବେ ପାନଖଣ୍ଡ ୫ଟଙ୍କାରେ କିଣୁଥିବା ବେଳେ ଦୈନିକ ଖାଉଥିବା ପାନ ଖଣ୍ଡ ସଂଖ୍ୟା କମାଇବାକୁ ବାଧ୍ୟ ହେଉଛନ୍ତି। ତେବେ ବହୁ ଦୋକାନରେ ଭଙ୍ଗା ପାନ ମିଳୁନଥିବାରୁ ଲୋକେ ଗୁଟ୍‌ଖାରେ କାମ ଚଳାଉଥିବା ଦେଖିବାକୁ ମିଳୁଛି। ପୂର୍ବରୁ ଲୁଚାଚୋରା ଚାଲୁଥିବା ଗୁଟ୍‌ଖା ବେପାର ଏବେ ଖୁଲମ୍‌ଖୋଲା ଚାଲିଛି। ତେଣୁ ଗୁଟ୍‌ଖା ନିଷେଧ କଥା ଏବେ ଚୁଲିକି ଯାଇଛି।

ଫନିରେ କାକଟପୁର, ଅସ୍ତରଙ୍ଗ, ନିମାପଡ଼ା ଓ ବାଲିପାଟଣାର ହଜାର ହଜାର ପାନ ବରଜ ମାଟିରେ ମିଶିଯାଇଛି। ଫଳରେ ପାନ ଦର ଅହେତୁକ ଭାବେ ବୃଦ୍ଧି ପାଇଛି। କିଛି କିଛି ବଜାରରେ ପାନ କଡ଼ା ୨ଶହ ଟଙ୍କା ହୋଇଛି ବୋଲି କୁହାଯାଉଛି। ଫଳରେ ଭଙ୍ଗା ପାନ ଦର ସ୍ବତଃ ବୃଦ୍ଧି ପାଇଛି। ତେବେ ପାନ ଖଣ୍ଡର ଏହି ବର୍ଦ୍ଧିତ ଦର ସବୁ ଗ୍ରାହକଙ୍କ ପାଇଁ ଲାଗୁ ହୋଇନାହିଁ। ଲାଗୁଆ ଗ୍ରାହକଙ୍କୁ କିଛି ରିହାତି ରହିଛି। ଯେଉଁ ଗ୍ରାହ‌କ ଦୈନିକ ୧୦ ଖଣ୍ଡ ନେଉଥିଲା, ତାଙ୍କୁ ଦୋକାନୀ ୫ ଖଣ୍ଡ ହିଁ ରିହାତି ଦରରେ ଦେଉଛି। ଅଧିକ ନେଲେ ଖଣ୍ଡ ପିଛା ୫ ଟଙ୍କା ଲାଗୁ କରୁଛି। ପାନର ଦରବୃଦ୍ଧି ଏବେ ବହୁ ବୟସ୍କ ଲୋକଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ସେମାନେ ପାନ ଖିଆ ବହୁ ମାତ୍ରାରେ ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ମଜାର କଥା ହେଉଛି ଏବେ ବହୁ ଲୋକ ପାନ ପାଟିରେ ପୂରାଇ ଅଧିକ ସମୟ ପର୍ଯ୍ୟନ୍ତ ଜାକି ରଖି କାମ ଚଳାଉଥିବା ଦେଖିବାକୁ ମିଳୁଛି।

ସମ୍ବନ୍ଧିତ ଖବର