କଡ଼ା ଶହେ ଟପିଲା, ରପ୍ତାନୀ ବଢ଼ାଉଛି ଦର

ଖଣ୍ଡଗିରି: ଗତ ମାସେ ହେଲା ପାନ ଦର ହୁ’ହୁ’ ହୋଇ ବଢ଼ି ଚାଲିଛି। ମାତ୍ର ଦୁଇ ସପ୍ତାହ ଭିତରେ କଡ଼ା ୫୦ ଟଙ୍କାରୁ ବଢ଼ି ବଢ଼ି ୧୨୦ ଟଙ୍କାରେ ପହଞ୍ଚିଛି। ପିପିଲି ଭଳି ପାନ ପାଇକାରୀ ବଜାରରେ କଡ଼ା ୧୨୦ ଟଙ୍କା ହୋଇଥିବା ବେଳେ ରାଜଧାନୀ ଓ ଉପକଣ୍ଠ ବଜାରରେ ଏହା ଆହୁରି ଅଧିକ ଦରରେ ବିକ୍ରି ହେଉଥିବା ଜଣାପଡ଼ିଛି। ରାଜଧାନୀ ଉପକଣ୍ଠ ଛୋଟଛୋଟ ବଜାରରେ କଡ଼ା ପିଛା ୧୫୦ ଟଙ୍କାକୁ ଛୁଇଁଛି। ଶୀତ ଋତୁରେ ଅମଳ କମ୍ ସାଙ୍ଗକୁ ବାହାରକୁ ରପ୍ତାନୀ ହେଉଥିବା କାରଣରୁ ପାନ ଦର ଏଭଳି ଅହେତୁକ ଭାବେ ବଢ଼ୁଥିବା କୁହାଯାଉଛି। ପାନ ପତ୍ର ଦର ବଢ଼ୁଥିବାରୁ ଭଙ୍ଗା ପାନ ଦର ମଧ୍ୟ ବୃଦ୍ଧି ପାଇଛି ଓ ଏବେ ବଜାରରେ ଭଙ୍ଗା ପାନ ଖଣ୍ଡ ୩ ଟଙ୍କା ହୋଇଛି। ଆଜି ୟୁନିଟ୍‌-୧ ହାଟରୁ ମିଳିଥିବା ସୂଚନାନୁସାରେ, ପାନ ଦର କଡ଼ା(୫୦ ପତ୍ର) ପିଛା ୮୦ ଟଙ୍କାରୁ ଆରମ୍ଭ ହୋଇ ୧୨୦ ଟଙ୍କା ପର୍ଯ୍ୟନ୍ତ ରହିଛି। ପିପିଲି‌ରେ ମଧ୍ୟ ସମାନ ଅବସ୍ଥା। ‌ଜଟଣୀରେ ଏହି ଦର ୯୫ଟଙ୍କାରୁ ୧୨୦ ଟଙ୍କା ରହିଥିବା ଜଣାପଡ଼ିଛି। ପାନ ବ୍ୟବସାୟୀମାନଙ୍କ କହିବା କଥା ଶୀତ ଦିନ‌େ ସାଧାରଣତଃ ପାନ ଅମଳ ହ୍ରାସ ପାଇଥାଏ। ତେଣୁ ଏହି ଦିନରେ ପାନ ଦର ବଢ଼ିବା ସ୍ବାଭାବିକ। ମାତ୍ର ଚଳିତ ବର୍ଷର ଦରବୃଦ୍ଧି ସର୍ବକାଳୀନ ରେକର୍ଡ ବୋଲି ସେମାନେ କହିଛନ୍ତି। ପାନ କଡ଼ା କେବେ ଶହେ ଟଙ୍କା ଟପି ନଥିଲା ବୋଲି ବହୁ ପୁରୁଣା ବେପାରୀଙ୍କଠାରୁ ପ୍ରକାଶ। ଦରବୃଦ୍ଧିର କାରଣ ବାବଦରେ ବେପାରୀମାନଙ୍କ କହିବା କଥା, ଗତ କିଛି ବର୍ଷ ହେବ ଓଡ଼ିଶା ପାନ କୋଲକାତା ରପ୍ତାନୀ ହେଉଛି। କୋଲକାତାର ବେପାରୀମା‌ନେ ଚଢ଼ା ଦରରେ ପାନ କିଣି ନେଉଛନ୍ତି। ତେଣୁ ସ୍ଥାନୀୟ ଚାଷୀମାନେ କୋଲକାତା ବେପାରୀଙ୍କୁ ବିକିବା ପରେ ବଳକା ପାନ ସ୍ଥାନୀୟ ବଜାରକୁ ଛାଡ଼ୁଛନ୍ତି। ଫଳରେ ଅମଳ ହ୍ରାସ ସାଙ୍ଗକୁ ରପ୍ତାନୀ ପାନ ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରୁଛି ଓ ଏହା ଦରବୃଦ୍ଧିର ମୁଖ୍ୟ କାରଣ। ଉଲ୍ଲେଖଯୋଗ୍ୟ ଯେ ଏବେ ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପାନବରଜ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ପାନ ଚାଷ ପ୍ରତି ଚାଷୀମାନଙ୍କର ଆଗ୍ରହ ମଧ୍ୟ କମିବା ପରିଲକ୍ଷିତ ହେଉଛି। ଏହା ମଧ୍ୟ ପାନଦର ବୃଦ୍ଧିର ଅନ୍ୟତମ କାରଣ ବୋଲି କୁହାଯାଉଛି। ତେବେ ପାନ ଦରର ଏଭଳି ବୃଦ୍ଧି ଖାଉଟିମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସମ୍ବନ୍ଧିତ ଖବର