ଖିଲିପାନ ଦୋକାନୀଙ୍କ ମନର ବ୍ୟଥା, ଆମେ କ’ଣ ସାବତ ପୁଅ?

ଚନ୍ଦ୍ରଶେଖରପୁର: ଲକ୍‌ଡାଉନ୍‌ ଉଠି ନାହିଁ। ତଥାପି କଟକଣାରେ କିଛିଟା କୋହଳ ହୋଇଛି। ଗୋଟିଏ ପରେ ଗୋଟିଏ କରି ପ୍ରାୟ ଅଧିକାଂଶ ଦୋକାନ ଖୋଲିଲାଣି। ଅଣ୍ଡାଠାରୁ ପାଉଁରୁଟି, ଗ୍ୟାରେଜ୍‌ରୁ ତେଜରାତି ଦୋକାନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ବେପାର ଚାଲିଛି। ହେଲେ ଛୋଟମୋଟ ଖିଲିପାନ ଦୋକାନ ଖୋଲିବାରେ ପ୍ରତିବନ୍ଧକ ଲାଗିଛି। ଏହି ବ୍ୟବସାୟୀମାନେ ପାନ ବ୍ୟତୀତ ଦୋକାନରେ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ବିକ୍ରି କରିଥାନ୍ତି। କିନ୍ତୁ ଦୋକାନ ଖୋଲିବା ତ ଦୂରରେ ଥାଉ ଦୋକାନ ନିକଟରେ ଯଦି ଜଣେ ଦୁଇ ଜଣ ଛିଡ଼ା ହେଉଛନ୍ତି, ତେବେ ବି ପୁଲିସ ଗୋଡ଼େଇ ବାଡ଼ଉଛି। ଛୋଟ କ୍ୟାବିନ୍‌ ପକାଇ ବେପାର କରୁଥିବା ରାଜଧାନୀର ହଜାର ହଜାର ବେକାର ଯୁବକ ଏବେ ହାତବାନ୍ଧି ବସିଛନ୍ତି।

ସେମାନଙ୍କ ଦୁଃଖ କେହି ଶୁଣୁ ନ ଥିବାରୁ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ଦୋକାନରେ ପାନ ବ୍ୟତୀତ ଅନ୍ୟାନ୍ୟ ସାମଗ୍ରୀ ମିଳୁ ଥିବାରୁ ଏହି ଦୋକାନଗୁଡ଼ିକ ଖୋଲିବା ପାଇଁ ବ୍ୟବସାୟୀମାନେ ସରକାରଙ୍କ ନିକଟରେ ନିବେଦନ କରିଛନ୍ତି। ସାମାଜିକ ଦୂରତା ଓ ନୀତି ନିୟମକୁ ମାନି ଦୋକାନ ଖୋଲାଗଲେ, ଅନେକ ବ୍ୟବସାୟୀ ପରିବାର ଅର୍ଥ ଅଭାବ ଓ ଭୋକ ଉପାସରୁ ବର୍ତ୍ତିପାରନ୍ତେ। ପାନ ଦୋକାନ କରି ଚଳୁଥିବା ଯୁବକମାନେ ମୁଖ୍ୟତଃ ମଧ୍ୟବିତ୍ତ ଶ୍ରେଣୀର ଓ ପାଠପଢ଼ୁଆ ବେରୋଜଗାର ହୋଇଥିବାରୁ ସେମାନଙ୍କ ନିକଟରେ ରାସନ୍ କାର୍ଡ ମଧ୍ୟ ନାହିଁ। ସରକାରୀ ଡାଲି ଓ ଚାଉଳ ପାଇବାରୁ‌ ଏହି ପରିବାର ବଞ୍ଚିତ। ସରକାରଙ୍କ ନିର୍ଦ୍ଦେଶକୁ ମାନି ଏକ ମାସରୁ ଅଧିକ ଦିନ ହେବ ଦୋକାନ ବନ୍ଦ କରି ରହିଛନ୍ତି। ବିନା ଆୟରେ ଏତେ ଦିନ ରହିଥିବା‌ରୁ ସେମାନଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଲାଣି। କଳାଝରୀର ପବିତ୍ର ପରିଡ଼ା କୁହନ୍ତି, ଲକ୍‌ଡାଉନ ପୂର୍ବରୁ ଯେତିକି ରୋଜଗାର ହେଉଥିଲା, ସେଥିରେ ପରିବାର ଚଳି ଯାଉଥିଲା। ଏବେ ତାହା ବନ୍ଦ ହୋଇଯାଇ ଥିବାରୁ ପ୍ରତିଦିନ ହଇରାଣ ହେବାକୁ ପଡୁଛି। ଇନ୍‌ଫୋସିଟି ଅଞ୍ଚଳର ବୁଲୁ ଶ୍ରୀଚନ୍ଦନଙ୍କ କହିବାନୁଯାୟୀ, ଦୋକାନ ଅବସ୍ଥା କ’ଣ ଅଛି, ତାହା ଦେଖିବା ପାଇଁ ମଧ୍ୟ ବାହାରକୁ ଗଲେ ପୁଲିସ୍ ପିଟୁଛି। ଏପରି ଅବସ୍ଥାରେ ରାସ୍ତାକଡ଼ରେ ପଡ଼ିଥିବା ଦୋକାନ ଅଛି କି କେହି ଦୁର୍ବୃତ୍ତ କ୍ୟାବିନ୍ ତାଡ଼ି ଲୁଟ୍‌ କରିନେଲାଣି, ତାହା ଦେଖିବାର ମଧ୍ୟ ସୁଯୋଗ ନାହିଁ। ଲକ୍‌ଡାଉନ୍‌ ରୋଗରୁ ବଞ୍ଚାଇବ ସତ, ମାତ୍ର ବେରୋଜଗାରଙ୍କୁ ଦୁଃଖ ହନ୍ତସନ୍ତ କରି ଧୀରେ ଧୀରେ ମାରିବ।

ସମ୍ବନ୍ଧିତ ଖବର