ଆଜି ଚଳିବ ପାଞ୍ଜି : ଜମିବନି ପଣା, ଫିକା ପଡ଼ିବ ବିଷୁବ ମିଳନ

ମିଳୁନି ବେଲ, ନଡ଼ିଆ ଗୋଟା ୫୦ ଟଙ୍କା : ଘାରିଛି ପଣା ଚିନ୍ତା

ଭୁବନେଶ୍ବର : ରାତି ପାହିଲେ ମହାବିଷୁବ ସଂକ୍ରାନ୍ତି। ମାତ୍ର ହନୁମାନ ମନ୍ଦିରରେ ଜମିବନି ଭକ୍ତଙ୍କ ଭିଡ଼। ଘରେ ଥାଇ ପ୍ରଭୁଙ୍କୁ ପୂଜିବେ ଶ୍ରଦ୍ଧାଳୁ। କରୋନା ମୁକାବିଲାକାଳୀନ ଲକ୍‌ଡାଉନ୍‌ ପାଇଁ ଫିକା ପଡ଼ିବ ଏହି ସ୍ବତନ୍ତ୍ର ପର୍ବ। ପଣା ସଂକ୍ରାନ୍ତିର ଏହି ମହାର୍ଘ୍ୟ ସମୟକୁ ଓଡ଼ିଆ ନବବର୍ଷ ରୂପେ ପାଳନ ମଧ୍ୟ କରାଯିବ। ଓଡ଼ିଆ କ୍ୟାଲେଣ୍ଡରରେ ପ୍ରଥମ ଦିନ ଭାବେ ଏହା ପରିଗଣିତ ହେବ ‌ସିନା, କିନ୍ତୁ ବିଷୁବ ମିଳନ ଅନୁଷ୍ଠିତ ହୋଇପାରିବ ନାହିଁ। ତେବେ ଓଡ଼ିଆମାନଙ୍କର ନୂଆ ପାଞ୍ଜି କାଲିଠାରୁ ଚଳିବ।
ମହାବିଷୁବ ତଥା ମେଷ ସଂକ୍ରାନ୍ତି ଭାବେ ଏହି ଦିନଟି ଖୁବ୍‌ ଜଣାଶୁଣା ଥିବା ବେଳେ ଜଳବାୟୁରେ ଏକ ପରିବର୍ତନର ସ୍ପର୍ଶ ଅନୁଭବ ହୁଏ। ସୂର୍ଯ୍ୟ ମଧ୍ୟ ଭାଗକୁ ଚାଲି ଆସନ୍ତି। ସୂର୍ଯ୍ୟଙ୍କ ପ୍ରଖର ତାପମାତ୍ରା ଯୋଗୁଁ ପ୍ରଭୁ ବିଷ୍ଣୁଙ୍କ ଅତି ପ୍ରିୟ ତୁଳସୀ ଗଛ ମୂଳେ ପଣା ସମର୍ପଣ କରାଯିବ। କ୍ଷୀର, ଛେନା, କଦଳୀ ସମେତ ବିଭିନ୍ନ ପ୍ରକାରର ଫଳ, ଗୋଲମରିଚ ଗୁଣ୍ଡ, କାଜୁ, କିସମିସ ଦେଇ ସ୍ବତନ୍ତ୍ର ଭାବେ ଘରେ ପଣା ପ୍ରସ୍ତୁତ ହେବ। ମୁଖ୍ୟତଃ ଘରେ ଥିବା ଶାଳଗ୍ରାମ, ଶିବଲିଙ୍ଗ ଓ ହନୁମାନଙ୍କୁ ଏହି ପଣା ଅର୍ପଣ କରାଯାଇ ପ୍ରାସାଦ ରୂପେ ପାନ କରିବାର ବିଧି ରହିଆସିଛି। ଏଥିସହ ଏ ସମୟରେ କଟକ ଚଣ୍ଡୀ, ବିରଜା, ସମଲେଶ୍ବରୀ, ସାରଳା ମନ୍ଦିରରେ ଝାମୁ ଯାତ୍ରା ଅନୁଷ୍ଠିତ ହେବାର ବିଧି ଥିଲେ ହେଁ ଏହା ଏ ବର୍ଷ ଦେଖିବାକୁ ମିଳିବ ନାହିଁ। ସାରସ୍ବତ ଅନୁଷ୍ଠାନ ଓ ସାହିତ୍ୟ ଅନୁରାଗୀମାନେ ଏହି ସମୟରେ ବିଷୁବ ମିଳନ ଓ କବିତା ପାଠୋତ୍ସବ ଆୟୋଜନ କରୁଥିଲେ ହେଁ ଏଥର ଏହି ମିଳନରେ କରୋନା ବାଡ଼ ପକାଇ ଦେଇଛି।

ମିଳୁନି ବେଲ, ନଡ଼ିଆ ଗୋଟା ୫୦ ଟଙ୍କା : ଘାରିଛି ପଣା ଚିନ୍ତା
ବାଲିଅନ୍ତା : ରାତି ପାହିଲେ ମହା ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ। ଲକ୍‌ଡାଉନ୍‌ ଯୋଗୁଁ ଏବର୍ଷ ବାଲିଅନ୍ତା ବ୍ଲକ ଅଧୀନ ସରକଣାର ପ୍ରସିଦ୍ଧ ଫୋଡ଼ା ପାଟୁଆ ଯାତ୍ରା ବନ୍ଦ ହୋଇଯାଇଛି। ସେହିପରି ବିଭିନ୍ନ ସ୍ଥାନରେ ଝାମୁଯାତ୍ରା ମଧ୍ୟ ବନ୍ଦ ରହିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଯାତ୍ରା ସିନା ବନ୍ଦ ହେବ, ହେଲେ ଓଡ଼ିଆ ଘରର ପରମ୍ପରା ଅନୁଯାୟୀ, ପ୍ରତିଟି ପରିବାର ମା’ ମଙ୍ଗଳାଙ୍କ ପାଖରେ ପଣା ଭୋଗ କରିବାକୁ କିନ୍ତୁ ଭୁଲି ନାହାନ୍ତି। ଏନେଇ ସବୁ ପ୍ରକାର ପ୍ରସ୍ତୁତି ଚାଲିଛି। ଚଉରା ତୁଳସୀ ଗଛ ଉପରେ ବରଡ଼ାପତ୍ର ଛାମୁଣ୍ଡିଆ ବାନ୍ଧି ପଣାଘଡ଼ି ଝୁଲାଯିବ। ତେଣୁ ପଣା ପାଇଁ ଆବଶ୍ୟକ ସାମଗ୍ରୀ ଯଥା ଘଡ଼ିଠାରୁ ଆରମ୍ଭ କରି ନଡ଼ିଆ, କଦଳୀ, ଅଙ୍ଗୁର, ସେଓ, ବେଦନା, ବେଲ ଦହି ଓ ଛେନା ଆଦି ଯୋଗାଡ଼ କରିବାରେ ସମସ୍ତେ ବ୍ୟସ୍ତ। ହେଲେ କରୋନା ମାଡ଼ ଯୋଗୁଁ ବଜାରରେ ଏସବୁ ସାମଗ୍ରୀ ଚଢ଼ାରେ ବିକ୍ରି ହେଉଛି। ସ୍ଥାନୀୟ ବଜାରରେ ଚମ୍ପା କଦଳୀ ଡଜନ୍‌ ୪୦ରୁ ୫୦ ଟଙ୍କାରେ ବିକ୍ରି ହେଉଥିବା ବେଳେ ପାଟକପୁରା ଡଜନ ୮୦ ଟଙ୍କା ରହିଛି। ସେହିପରି ଛୋଟ ନଡ଼ିଆ ଗୋଟା ୩୦ ଟଙ୍କା ଓ ବଡ଼ ୫୦ ଟଙ୍କାରେ ବିକ୍ରି ହେଉଛି। ଚଢ଼ା ମୂଲ୍ୟ ସତ୍ତ୍ବେ କିଛି ଦୋକାନରେ ନଡ଼ିଆ ବିକ୍ରି ସରି ଯାଉଥିବା ଜଣେ ବ୍ୟବସାୟୀ କହିଛନ୍ତି। ଖରାଦିନ ଯୋଗୁଁ ବେଲପଣା କରିବାକୁ ଅଧିକ ଲୋକ ପସନ୍ଦ କରୁଥିବା ବେଳେ ବଜାରରେ ବେଲ ମିଳୁନି। ଆଉ ଯେଉଁଠି କାଁ ଭାଁ ସ୍ଥାନ‌ରେ ବେଲ ଅଛି, ଗୋଟା ୫୦ ଟଙ୍କାରେ ବିକ୍ରି ହେଉଛି। ଗାଁଗହଳିରେ ଲୋକମାନଙ୍କ ବାଡ଼ି ବଗିଚାରେ ଥିବା ବେଲ ଲକ୍‌ଡାଉନ୍‌ ଯୋଗୁଁ ସ୍ଥାନୀୟ ବଜାରରେ ପହଞ୍ଚି ପାରି ନଥିବାରୁ ଏହାର ମୂଲ୍ୟ ବୃଦ୍ଧି ଘଟିଥିବା ଜଣେ ଦୋକାନୀ କହିଛନ୍ତି।

ସମ୍ବନ୍ଧିତ ଖବର