ଭୁବନେଶ୍ୱର: ଭାଷାପ୍ରୀତି ଓ ଭାଷାକୁ ନେଇ ଦେଖା ଦେଇଥିବା ସଙ୍କଟକୁ ମଞ୍ଚରେ ଉତାରିଛି ନାଟକ ‘ସିଦ୍ଧାନ୍ତ’। ନାଟ୍ୟାନୁଷ୍ଠାନ ପଞ୍ଚମବେଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଚତୁର୍ଦଶ ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଢେଙ୍କାନାଳର କଳା ପରିଷଦର କଳାକାରମାନେ ଭେଟି ଦେଇଛନ୍ତି ଏହି ଭାଷା ସମ୍ପର୍କିତ ହାସ୍ୟରସାତ୍ମକ ନାଟକ। ଆମ ଭିତରେ ଯେ ହୀନମନ୍ୟତାର ଭୂତ ସବାର ହୋଇଛି ତାହାର ଜ୍ୱଳନ୍ତ ଉଦାହରଣ ବ୍ୟକ୍ତ କରିଛି ଏହି ନାଟକ। ମାତୃଭାଷା, କଳା, ସଂସ୍କୃତିର ଗାରିମାକୁ ନବୁଝି ଏ ଓଡ଼ିଆ ଜାତି ଏକ ଭୁଲ୍ ରାସ୍ତାରେ ଆଗକୁ ବଢ଼ୁଥିବା ବେଳେ ଏହା ଯେ ସଙ୍କଟର ସୂତ୍ରପାତ କରୁଛି ତାହାକୁ ନାଟ୍ୟକାର ଏହି ନାଟକରେ ବ୍ୟକ୍ତ କରିଛନ୍ତି। ଆଜି ମଂଚସ୍ଥ ନାଟକକୁ ଦିଲ୍ଲୀଶ୍ୱର ମହାରଣା ରଚନା କରିଥିବା ବେଳେ ନିର୍ଦେଶନା ଦେଇଥିଲେ ଶତୃଘ୍ନ ମାଟି। ମନ୍ମଥ ପଟ୍ଟନାୟକ, କିଶୋର, ଅମ୍ବିକା ପ୍ରସାଦ, ଶ୍ରୀପଦ୍ମା, ପିୟୂଷ, ବିନୋଦ, ଶତୃଘ୍ନ, ପ୍ରବୀର, ଶଶୀ, ସୁରେଶ, ମନୋରଂଜନ, ଇନ୍ଦ୍ରମଣି, ଦ୍ୱିତୀକୃଷ୍ଣ, ପ୍ରସନ୍ନ, ଗାଙ୍ଗୁଲି, ଡୋନା, ମିଲନ, ଋତୁପର୍ଣ୍ଣା, କନିଜ୍ ପ୍ରମୁଖ ଅଭିନୟ କରିଥିବା ବେଳେ ନୃତ୍ୟାଂଶେ ଥିଲେ ଶୁଭ୍ରଜ୍ୟୋତି ଓ ଶୁଭଶ୍ରୀ। ସନ୍ତୋଷ ମଂଚ ସଜେଇଥିବା ବେଳେ ସଂଗୀତ ନିର୍ଦେଶନା ଦେଇଥିଲେ ମଣ୍ଟୁ ପୁଣ୍ଟୁ। ଆଜିର ସନ୍ଧ୍ୟାରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜେପି ନେତା ଜଗନ୍ନାଥ ପ୍ରଧାନ, ଟାଟା ଷ୍ଟିଲ୍ର ମଣିକାନ୍ତ ନାୟକ, ନାଟ୍ୟ ନିର୍ଦେଶକ ଲାଲାବିରେନ୍ ରାୟ ପ୍ରମୁଖ ଅତିଥ ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ହରେନ୍ ସାହୁ ସଭା ପରିଚାଳନା କରିଥିବା ବେଳେ ଶେଷରେ ସମ୍ପାଦକ ପ୍ରକାଶ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp