ଭୁବନେଶ୍ବର : ଦୀପାବଳି ପାଇଁ ରାଜଧାନୀ ବଜାର ଚଳଚଞ୍ଚଳ ହୋଇପଡ଼ିଛି। ଲୋକେ ବଜାରରୁ ବିଭିନ୍ନ ଡିଜାଇନ୍ର ଦୀପ କିଣିବା ଆରମ୍ଭ କରିଛନ୍ତି। ତେବେ ଏଥର ଦୀପାବଳି ବଜାରକୁ ଆସିଛି ଗୋବରରୁ ପ୍ରସ୍ତୁତ ପଞ୍ଚଦ୍ରବ୍ୟ ଦୀପ। ଏହା ଜଳିବା ପରିବେଶ ଅନୁକୂଳ ହୋଇଥିବା ବେଳେ ଜଳିବା ପରେ ବି ଗଛ ପାଇଁ ସାର ଭାବେ ବ୍ୟବହାର କରି ହେବ। ସେହିଭଳି ଏହି ପରିବେଶ ଅନୁକୂଳ ଦୀପ ଆଦିବାସୀ ଚିତ୍ରକଳାରେ ରଙ୍ଗିନ୍ ହୋଇଥିବାରୁ ଏହାର ସୌନ୍ଦର୍ଯ୍ୟ ଗ୍ରାହକଙ୍କୁ ଆକୃଷ୍ଟ କରୁଛି।
ସୂଚନାନୁସାରେ, ଗୋବର, ଦୁଧ, ଦହି, ଘିଅ, ମହୁ, ଗୋଲାପ ଜଳ ଓ ଗୁଡ଼କୁ ମିଶାଇ ଏହି ପଞ୍ଚଦ୍ରବ୍ୟ ଦୀପ ତିଆରି କରାଯାଉଛି। ରାଜଧାନୀର କିଛି ବସ୍ତିରେ ଛୋଟ ପିଲା ଓ ମହିଳାମାନେ ଏହି ଦୀପ ତିଆରି କରୁଛନ୍ତି। ଓଡ଼ିଶାର ପାରମ୍ପରିକ ଆଦିବାସୀ ଆର୍ଟ, ପଟ୍ଟଚିତ୍ର ପରି ଚିତ୍ର, ଗଣେଶ, ଜଗନ୍ନାଥ, ମା’ ଦୁର୍ଗାଙ୍କ ପରି ଅନେକ ଦେବଦେବୀଙ୍କର ଚିତ୍ର ସହ ବିଭିନ୍ନ ଆର୍ଟରେ ଏହି ଦୀପକୁ ରଙ୍ଗ କରାଯାଉଛି। ଏହାର ଦାମ୍ ୨୦ ଟଙ୍କା ରହିଛି। ରାଜଧାନୀର ବିଭିନ୍ନ ଅଞ୍ଚଳରେ ଥିବା ଆପାର୍ଟମେଣ୍ଟ ନିକଟରେ ଷ୍ଟଲ୍ ପକାଇ ଏହାକୁ ବିକ୍ରି କରାଯାଉଛି। ସେହିଭଳି ବିଭିନ୍ନ କର୍ପୋରେଟ୍ ହାଉସ୍ରେ ମଧ୍ୟ ଏହି ଦୀପ ବିକ୍ରି କରାଯାଉଛି। ଏହି ଦୀପ ତିଆରି ଶିଖାଉଥିବା ଭୁବନେଶ୍ବରୀ ମିଶ୍ରଙ୍କ କହିବା କଥା, କେବଳ ଶନିବାର ଓ ରବିବାର ଦିନ ବସ୍ତିର ପିଲାଙ୍କ ଦ୍ବାରା ଏହି ଦୀପ ତିଆରି କରାଯାଉଛି। ମାର୍କେଟିଂରେ ସହଯୋଗ କରୁଥିବା ଜି. ରାଜୁ ରେଡ୍ଡିଙ୍କ କହିବା କଥା, ଏ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଇକୋ ଦୀପ ବିକ୍ରି ହୋଇସାରିଛି।