ସରିଲା ‘ପଞ୍ଚମବେଦ ନାଟକ ମହୋତ୍ସବ’: ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ‘ଅମିୟ ପଟ୍ଟନାୟକ ସ୍ମୃତି ସମ୍ମାନ’

ଭୁବନେଶ୍ବର: ପଞ୍ଚମବେଦ ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଚାଲିଥିବା ୫ ଦିନିଆ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଓ ପଞ୍ଚମବେଦ ସମ୍ମାନ-୨୦୨୦ ଆଜି ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ମକଦ୍ଦମା’। ସମାଜରେ ଏମିତି ବି ଲୋକ ଅଛନ୍ତି ଯେଉଁମାନେ ଅଯଥାରେ ଛୋଟ କଥାକୁ ବଡ଼ କରି କଳି କରିନ୍ତି। ସ୍ଥାନ, କାଳ, ପାତ୍ର କିଛି ନ ଦେଖି ଛୋଟ କଥାକୁ ନେଇ ମହାଭାରତ କରି ବସନ୍ତି। ଠିକ୍ ସେମିତି ହୋଇଥିଲା ନାଟକ ମକଦ୍ଦମାରେ। ନାଟ୍ୟାନୁଷ୍ଠାନ ‘ସଞ୍ଚାରୀ’ ପକ୍ଷରୁ ଗୋପାଳ ଛୋଟରାୟଙ୍କ ରଚିତ ଏହି ହାସ୍ୟରସାତ୍ମକ ନାଟକର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ଆଚାର୍ଯ୍ୟ। ଉଦ୍‌ଯାପନୀ ସନ୍ଧ୍ୟାରେ ଅତିଥି ଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ବର୍ଷୀୟାନ୍‌ ଅଭିନେତା ପ୍ରଶାନ୍ତ ନନ୍ଦ, କମାଣ୍ଡର ନନ୍ଦକିଶୋର ସାମଲ ଓ ଭାସ୍କର ଚନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଚୌଧୁରୀ ଜୟପ୍ରକାଶ ଦାସଙ୍କୁ ସ୍ବର୍ଗତ ଅମିୟ ପଟ୍ଟନାୟକଙ୍କ ସ୍ମୃତିରେ ପ୍ରଦାନ କରାଯାଉଥିବା ‘ଅମିୟ ପଟ୍ଟନାୟକ ସ୍ମୃତି ସମ୍ମାନ ୨୦୨୦’ରେ ସମ୍ମାନିତ କରାଯାଇଥିଲା। ଏହାସହ ୫ ଜଣ ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ଦ୍ୱାରିକା ନାଥ ନାୟକ, ନବୀନ ପରିଡ଼ା, ରମେଶ ମହାନ୍ତି, ସସ୍ମିତା ସିଂହଙ୍କୁ ‘ପଞ୍ଚମବେଦ ସମ୍ମାନ ୨୦୨୦’ରେ ସମ୍ମାନିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକାରୀ ସଭାପତି ହରେନ୍ ସାହୁ ଓ ସମ୍ପାଦକ ପ୍ରକାଶ ମହାରଣା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର