‘ପଞ୍ଚମବେଦ’ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ; ମଞ୍ଚସ୍ଥ ହେଲା ‘ଅଭିନେତ୍ରୀ’

ଭୁବନେଶ୍ବର: ଭୀମ, ନକୁଳ ଓ ସହଦେବ ତିନି ଭାଇଙ୍କ ସହ ଅନ୍ୟତମ ସଦସ୍ୟ କାନ୍ତକୁ ନେଇ ଯୁଧିଷ୍ଠିରଙ୍କ ପରିବାର। ପୂରା ଘରଟି ଅବିବାହିତ ପୁରୁଷଙ୍କର ଅର୍ଥାତ ଇଂରାଜୀରେ କହିବାକୁ ଗଲେ ‘ବ୍ୟାଚ୍‌ଲର୍‌ ହାଉସ୍‌’। ମହିଳାଙ୍କ ବିନା ଘର ଚଳାଇବାକୁ ମୁସ୍କିଲ୍‌ ହେଉଥିବାରୁ ବଡ଼ଭାଇ ଯୁଧିଷ୍ଠିରଙ୍କୁ ତିନି ଭାଇ ମିଶି ଭାଉଜ ଆଣିବାକୁ ଜିଦ୍‌ କରନ୍ତି। ଘରକୁ ନୂଆ ଭାଉଜ ବି ଆସନ୍ତି। ହେଲେ ୟେ କ’ଣ? ଘରେ ଭାଉଜଙ୍କ ଉପସ୍ଥିତିକୁ ନେଇ ମନୋମାଳିନ୍ୟ ଆରମ୍ଭ ହୋଇଯାଏ। ମନୋମାଳିନ୍ୟ ଏଭଳି ସ୍ତରରେ ପହଞ୍ଚେ ଯେ, ଘର ମଝିରେ ପାଚେରି ଉଠେ। ଏହାକୁ ଦେଖି ଭାଉଜଙ୍କୁ ଖରାପ ଲାଗେ। ଏହାପରେ ଭାଉଜ, ଦିଅରମାନଙ୍କ ମନ ଜିଣିବାକୁ ଅଣ୍ଟା ଭିଡ଼ନ୍ତି। ହେଲେ କ’ଣ ମନ ଜିଣିପାରନ୍ତି? କ’ଣ ଘର ମଝିରୁ ପାଚେରି ଭାଙ୍ଗେ? ସେ ଘର ପୁଣି କ’ଣ ହସଖୁସିରେ ଭରିଯାଏ? ଏଭଳି ଅନେକ ରୋଚକ ପ୍ରଶ୍ନ ଓ ଏକ ସୁନ୍ଦର ପାରିବାରିକ କାହାଣୀକୁ ନେଇ ‘ଅଭିନେତ୍ରୀ’ ନାଟକ ସହ ଆଜି ‘୧୭ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ’ର ପରଦା ଉଠିଛି।

ପଞ୍ଚମବେଦ ଓ ସ୍ରିଷ୍ଟି ଥିଏଟରର ମିଳିତ ଆନୁକୂଲ୍ୟରେ ଭଞ୍ଜକଳା ମଣ୍ଡପଠାରେ ଆୟୋଜିତ ଏହି ‘ରାଜ୍ୟସ୍ତରୀୟ ନାଟକ ମହୋତ୍ସବ’ ଓ ‘ପଞ୍ଚମବେଦ ସମ୍ମାନ’ର ଉଦ୍‌ଘାଟନୀ ସଂଧ୍ୟାରେ ଭୁବନେଶ୍ବରସ୍ଥିତ ‘ଡାଇନାମିକ୍‌ ପ୍ଲାଟ୍‌ଫର୍ମ’ ପକ୍ଷରୁ ଏହି ନାଟକ ପରିବେଷିତ ହୋଇଥିଲା। ନାଟକର ମୂଳ ରଚନା‌ ଶୈଳେଶ ଗୁହାନିଓଗୀ କରିଥିବା ବେଳେ ଏହାର ଓଡ଼ିଆ ଅନୁବାଦ କରିଥିଲେ ଦିଲ୍ଲୀଶ୍ବର ମହାରଣା। ନାଟକର ନିର୍ଦ୍ଦେଶନା ଦେଇଥିଲେ ଦେବବ୍ରତ ପଟ୍ଟନାୟକ। ଉଦ୍‌ଘାଟନ ସଂଧ୍ୟାର ଅତିଥି ଭାବେ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା ଓ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ‘ପଞ୍ଚମବେଦ’ର କାର୍ଯ୍ୟକାରୀ ସଭାପତି ହରେନ ସାହୁ ମଞ୍ଚ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର