ଟେନ୍‌ସନ୍‌ମୁକ୍ତ କଲା ‘ଫୁଲ୍‌ ଟେନ୍‌ସନ୍‌’

ଆରମ୍ଭ ହେଲା ‘ପଞ୍ଚମବେଦ’ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ

ଭୁବନେଶ୍ୱର: ବ୍ୟସ୍ତତା ଓ କାମଚାପ ଯୋଗୁଁ ମଣିଷ ଏବେ ହସିବା ଭୁଲିଯାଇଛି। ହସ ଭୁଲିଯାଉଥିବା ଏହି ସହରିଆ ମଣିଷକୁ ଆଜି ଖୁବ୍‌ ହସାଇଥିଲା ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ ‘ଫୁଲ୍‌ ଟେନ୍‌ସନ୍‌’। ନାଟକ କହୁଥିଲା ସ୍ବାମୀ-ସ୍ତ୍ରୀଙ୍କ ପରିବାରିକ ଜୀବନର କଥା। ଈର୍ଷା, ହିଂସା ଓ ପରଶ୍ରୀକାତରତାରେ ଛଟପଟ ମଣିଷର ଦୁଃଖଦୁର୍ଦ୍ଦଶା। ବାପା ମା’ଙ୍କ ପ୍ରତି ବିମୁଖ ଯୁବପିଢ଼ିଙ୍କ ଆଚରଣ ଓ ସ୍ବଭାବର କଥା। ହାସ୍ୟରସ ମାଧ୍ୟମରେ ବାଣ୍ଟିଥିଲା ବହୁ ଗୁଢ଼ ସାମାଜିକ ବାର୍ତ୍ତା।

‘ପଞ୍ଚମବେଦ’ ନାଟ୍ୟାନୁଷ୍ଠାନର କଳାକାରମାନେ ନେଇ ଆସିଥିଲେ ଏଭଳି ଏକ ହାସ୍ୟରସାତ୍ମକ ନାଟକ ‘ଫୁଲ୍‌ ଟେନ୍‌ସନ୍’। ଅବସର ଥିଲା ନାଟ୍ୟାନୁଷ୍ଠାନ ‘ପଞ୍ଚମବେଦ’ର ରାଜ୍ୟସ୍ତରୀୟ ନାଟକ ମହୋତ୍ସବର ଉଦ୍‌ଘାଟନୀ ସଂଧ୍ୟା। ନାଟ୍ୟକାର ଆନନ୍ଦ ଚନ୍ଦ୍ର ପତିଙ୍କ ରଚିତ ଏହି ନାଟକର ନିର୍ଦ୍ଦେଶନ‌ା ଦେଇଥିଲେ ହରେନ୍ ସାହୁ। ବିଭିନ୍ନ ଭୂମିକାରେ ମୃତ୍ୟୁଞ୍ଜୟ ପଣ୍ଡା, ମୁକ୍ତିକାନ୍ତ ମହାପାତ୍ର, ନମିତା ଭଟ୍ଟାଚାର୍ଯ୍ୟ, ଜ୍ୟୋତି ପଣ୍ଡା, କୃଷ୍ଣା ମହାରଣା, ପ୍ରମୋଦ ଦେବ ଓ ପ୍ରକାଶ ମହାରଣା ପ୍ରମୁଖ। ଆଜିର ସନ୍ଧ୍ୟାରେ ଅତିଥି ଭାବେ ବିଧାୟକ ଶଶିଭୂଷଣ ବେହେରା ଓ ଅଭିମନ୍ୟୁ ସେଠୀ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ନାଟ୍ୟାନୁଷ୍ଠାନର ସଭାପତି ହରେନ୍ ସାହୁ।

ସମ୍ବନ୍ଧିତ ଖବର