ବହୁଭାଷିତା ଜୈବ ବିବିଧତା ପାଇଁ ମଧ୍ୟ ସହାୟକ: ପଞ୍ଚାନନ ମହାନ୍ତି

ଭୁବନେଶ୍ୱର : ବାଣୀବିହାର ଇତିହାସ ବିଭାଗ ଗ୍ୟାଲେରିୀରେ ସୋସିଆଲ ଏକ୍ସକ୍ଲୁଜନ୍‌ ଏବଂ ଇନ୍‌କ୍ଲୁସିଭ ପଲିସି ସେଣ୍ଟର୍‌ ଆନୁକୂଲ୍ୟରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଆନ୍ତର୍ଜାତିକ ଭାଷାତତ୍ତ୍ୱବିଦ୍‌ ପଞ୍ଚାନନ ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ‘ଇନ୍‌କ୍ଲୁସିଭ ମଲଟିଲିଙ୍ଗୁଆଲିଜିମ୍‌ ଇନ୍‌ ଇଣ୍ଡିଆ’ ପ୍ରସଙ୍ଗରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସେଣ୍ଟର୍‌ର ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ମଲ୍ଲିକ କେନ୍ଦ୍ରର ଆଭିମୁଖ୍ୟ ସହିତ ଆଲୋଚ୍ୟ ପ୍ରସଙ୍ଗ ଉପରେ ସୂଚନା ପ୍ରଦାନ କରିଥିଲେ। ବିଭାଗୀୟ ମୁଖ୍ୟ ଡ. ସୋମା ଚାନ୍ଦ ସ୍ୱାଗତ ଭାଷଣ ଦେଇଥିବାବେଳେ ଧନ୍ୟବାଦ ଦେଇଥିଲେ ଅଧ୍ୟାପକ ଅଜିତ କୁମାର ସାହୁ। ନିଜ ବକ୍ତବ୍ୟରେ ପ୍ରଫେସର ମହାନ୍ତି କହିଥିଲେ, ଆଧୁନିକ ଗବେଷଣାରୁ ଜଣାପଡ଼ିଛି ଯେ ବହୁଭାଷୀ ବ୍ୟକ୍ତି ଅଧିକ ଦିନ ବଞ୍ଚିରହନ୍ତି। ଯେଉଁ ସ୍କୁଲ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଘରେ ସୁଦ୍ଧା ମାତୃଭାଷା ବଦଳରେ ଇଂରାଜିରେ କଥାହେବାକୁ ନିର୍ଦ୍ଦେଶ ଦେଉଛନ୍ତି ସେମାନେ ସମଗ୍ର ମଣିଷ ଜାତିର ଅପକାର କରୁଛନ୍ତି। ବହୁଭାଷିତା କେବଳ ଭାଷା ବା ସାହିତ୍ୟ ନୁହେଁ ଜୈବ ବିବିଧତା ପାଇଁ ମଧ୍ୟ ପ୍ରୟୋଜନ ବୋଲି ସେ ମତ ଦେଇଥିଲେ। ଆଲୋଚନା ଆରମ୍ଭରେ ସେ ଓଡ଼ିଆ ଭାଷା ଓ ସଂସ୍କୃତିର ଅନନ୍ୟତା ବିଷୟରେ କହିବାକୁ ଯାଇ ମତ ଦେଇଥିଲେ ଯେ, ଶ୍ରୀଜଗନ୍ନାଥଙ୍କ ପରି ଜଣେ ଦେବତା ବିଶ୍ୱରେ ଆଉ କୋଉଠି ନାହାନ୍ତି ଯିଏ ସାଧାରଣ ମଣିଷ ପରି ରୋଗରେ ପଡ଼ନ୍ତି ଓ ପ୍ରାୟ ପ୍ରତି ୧୯ ବର୍ଷରେ ଦେହତ୍ୟାଗ କରି ନବକଳେବର ଧାରଣ କରନ୍ତି। ଓଡ଼ିଆ ଭାଷା ପ୍ରସଙ୍ଗରେ ସେ କହିଥିଲେ ଯେ, ଆମର ଅଧିକାଂଶ ଶବ୍ଦ ସଂସ୍କୃତରୁ ଆସିଥିବା କଥା ଭୁଲ୍‌, ବରଂ ଓଡ଼ିଆ ଭାଷାର ଅନେକ ଶବ୍ଦ ଶବର, ମୁଣ୍ଡା ପରି ଆଦିବାସୀ ଓ ଦ୍ରାବିଡ଼ ଭାଷା ପରିବାରରୁ ଆସିଛି। ଓଡ଼ିଆ ଭାଷା ଶିକ୍ଷା ଦିଗରେ ସରକାରୀ ଉଦାସୀନତା ଦୁର୍ଭାଗ୍ୟଜନକ ବୋଲି ପ୍ରଫେସର ମହାନ୍ତି ମତ ଦେଇଥିଲେ।

ସମ୍ବନ୍ଧିତ ଖବର