ଭୁବନେଶ୍ବର : ‘ଅଭାବରୁ ସ୍ବଭାବ ନଷ୍ଟ। ପାରିବାରିକ କଳହକୁ ନେଇ ରାଗରେ ଘର ଛାଡ଼ି ପଳାଇ ଆସିଲି। ହେଲେ ନାତିନାତୁଣିଙ୍କ କଥା ମନେ ପଡ଼ୁଛି। ତିନି ମାସ ହେଲା ସେମାନଙ୍କ ମୁହଁ ଦେଖିନି। ଭୋକ ହେଲେ ପେଟକୁ ମୁଠାଏ ଖାଉଛି ସିନା, ମନ କିନ୍ତୁ ବୁଝୁନି। ଘର କଥା ଝୁରିଝୁରି ଆଖିରୁ ନିଦ ହଜିଗଲାଣି। ଏଠି ବନ୍ଦୀ ହୋଇ ରହିଲା ଭଳି ଲାଗୁଛି। ପୁଅ ବି ଖୋଜୁଥିବ। କିନ୍ତୁ ଗରିବ ପିଲା ଆଜ୍ଞା, ପଇସା କୋଉଠୁ ପାଇବ ଯେ ଏତେ ଟଙ୍କା ଖର୍ଚ୍ଚ କରି ଭୁବନେଶ୍ବର ଆସିବ ଓ ମୋତେ ନେଇଯିବ। କେହି ଟିକେ ସହଯୋଗ କର ବାବୁ, ମୁଁ ଘରକୁ ଯିବି।’ ଏମିତି ବିକଳ ହୋଇ କାନ୍ଦି କାନ୍ଦି କହିଛନ୍ତି ଭୁବନେଶ୍ବର ୟୁନିଟ୍-୨ସ୍ଥିତ ଆଶ୍ରୟକେନ୍ଦ୍ରରେ ଥିବା ଜଣେ ୭୦ ବର୍ଷ ବୟସର ବୃଦ୍ଧ ପଞ୍ଚାନନ ସରୀପ।
ପଞ୍ଚାନନଙ୍କ ଘର ବରଗଡ଼ ଜିଲ୍ଲା ମଧ୍ୟପଡ଼ା ଗାଁରେ। ଅଭାବୀ ସଂସାର। ତେଣୁ କୌଣସି ଏକ ଛୋଟ କାରଣରୁ ପୁଅ ସହ ଝଗଡ଼ା କରି ସେ ଗତ ପ୍ରାୟ ତିନି ମାସ ତଳେ ଘର ଛାଡ଼ି ଚାଲି ଆସିଥିଲେ। କେଉଁ ମଠରେ ରହିବେ ବୋଲି ବୁଲୁ ବୁଲୁ ସେ ଶେଷରେ ଭୁବନେଶ୍ବରରେ ପହଞ୍ଚି ଯାଇଥିଲେ। ଠିକ୍ ଏତିକିବେଳେ ଲକ୍ଡାଉନ୍ ଲାଗୁ ହେଲା ଓ ରାଜଧାନୀର ରାସ୍ତାକଡ଼ରୁ ତାଙ୍କୁ ବିଏମ୍ସି କର୍ମଚାରୀମାନେ ଉଦ୍ଧାର କରି ୟୁନିଟ୍-୨ସ୍ଥିତ ଆଶ୍ରୟ କେନ୍ଦ୍ରରେ ଥଇଥାନ କରିଦେଲେ। ଏହା ଭିତରେ ପଞ୍ଚାନନଙ୍କ ରାଗ ଶାନ୍ତ ପଡ଼ିଯାଇଛି। ଘର ପରିବାର ମନେ ପଡ଼ୁଛି। ବର୍ଷା ଦିନ ପହଞ୍ଚି ସାରିଥିବାରୁ ଚାଷ କଥା ମନେ ପଡ଼ିଲାଣି। ପୁଅ ଏକାକୀ କିଭଳି ଚାଷ ସମ୍ଭାଳିବ ଓ ପରିବାର ପାଇଁ ବର୍ଷକ ଭାତ ଯୋଗାଡ଼ କରିବ, ସେ ଚିନ୍ତା ଘାରିଲାଣି। କିନ୍ତୁ ମୁକୁଳିବା ବାଟ ବନ୍ଦ ହୋଇଯାଇଛି। ଲକ୍ଡାଉନ୍ ଯୋଗୁଁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଏଣେ ଫୋନ୍ ନମ୍ବର ନଥିବାରୁ ପୁଅକୁ ଜଣାଇବା ସମ୍ଭବ ହେଉନାହିଁ। ଆଶ୍ରୟକେନ୍ଦ୍ର ପକ୍ଷରୁ ମଧ୍ୟ ସେବାବଦରେ କୌଣସି ସହଯୋଗ କରିବା ସମ୍ଭବ ହେଉନାହିଁ। ପରିବାର ଲୋକ ଆସିଲେ ସେମାନଙ୍କ ସହ ଛାଡ଼ିବେ ବୋଲି କୁହାଯାଉଛି। ତେଣୁ ପଞ୍ଚାନନ ଫସି ଯାଇଛନ୍ତି। ଗୁମୁରି ଗୁମୁରି କାନ୍ଦିବା ଛଡ଼ା ଅନ୍ୟ ବାଟ କିଛି ନାହିଁ।
ଏହି ଖବର ଜାଣିବା ପରେ ଆମ ଭୁବନେଶ୍ବର ପ୍ରତିନିଧି ବରଗଡ଼ ‘ସମ୍ବାଦ’ ପ୍ରତିନିଧିଙ୍କ ସହଯୋଗରେ ଖୋଜି ଖୋଜି ପଞ୍ଚାନନଙ୍କ ପୁଅଙ୍କ ସହ ଯୋଗାଯୋଗ କରିଥିଲେ। ବାପାଙ୍କ ଖବର ପାଇବା ପରେ ପୁଅ ଖୁସିରେ ଆତ୍ମହରା ହୋଇପଡ଼ିଲେ ସିନା କିନ୍ତୁ ଲକ୍ଡାଉନ୍ ସାଜିଛି ବାଧକ। ବସ୍ ଚଳାଚଳ ନହେବା ଯାଏ ସେ କିଛି କରିପାରିବା ଅବସ୍ଥାରେ ନାହାନ୍ତି ବୋଲି ବଡ଼ ବିକଳ ହୋଇ କହିଛନ୍ତି। ସ୍ବତନ୍ତ୍ର ଗାଡ଼ି କରି ଭୁବନେଶ୍ବରରୁ ବାପାଙ୍କୁ ଆଣିବା ତାଙ୍କ ପକ୍ଷେ ଅସମ୍ଭବ। ତେଣୁ କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ସେ ବି ନିବେଦନ କରିଛନ୍ତି। ଆଶ୍ରୟକେନ୍ଦ୍ରର ପରିଚାଳକ ଲୋପାମୁଦ୍ରା ପାଇକରାୟଙ୍କ କହିବା କଥା ପଞ୍ଚାନନ ବେଶ୍ ବ୍ୟାକୁଳ ହୋଇ ପଡ଼ିଛନ୍ତି। କିନ୍ତୁ ତାଙ୍କୁ ଛାଡ଼ିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ନାହିଁ। ପରିବାର ଲୋକ କେହି ଆସିଲେ ତାଙ୍କୁ ନେଇପାରିବେ।