ଗ୍ୟାସ୍‌ ଗୋଦାମକୁ ନେଇ ବଢ଼ୁଛି ଅସନ୍ତୋଷ, ଅଗ୍ନିକାଣ୍ଡରୁ ବର୍ତ୍ତିଗଲା ପଞ୍ଚସଖାନଗର

ଭୁବନେଶ୍ବର: ସୋମବାର ସକାଳୁ ଏକ ବଡ଼ ଧରଣରୁ ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଯାଇଛି ପଞ୍ଚସଖାନଗର। ଏକ ଗ୍ୟାସ୍ ସିଲିଣ୍ଡର ବୋଝେଇ ଗାଡ଼ି ୧୧ କେଭି ବିଦ୍ୟୁତ୍ ତାର ଛିଡ଼ାଇ ଦେବାରୁ ଏଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହେବାକୁ ଯାଉଥିଲା। ମାତ୍ର ସୌଭାଗ୍ୟକୁ ବିଦ୍ୟୁତ୍ ତାର ଅଲଗା ହୋଇ ପଡ଼ିବାରୁ ନିଆଁ ଲାଗିନଥିଲା। ତେବେ ବେଆଇନ ଭାବେ ଜନବସତି ଭିତରେ ଥିବା ଏହି ଗ୍ୟାସ୍ ଗୋଦାମକୁ ନେଇ ପୂର୍ବରୁ ଲୋକଙ୍କ ଭିତରେ ଯେତିକି ଅସନ୍ତୋଷ ଥିଲା, ତାହା ଆହୁରି ତୀବ୍ର ହୋଇଥିଲା।

ସୂଚନାନୁସାରେ ପଞ୍ଚସଖାନଗରରେ ଥିବା ଏକ ଗ୍ୟାସ୍ ଗୋଦାମକୁ ସିଲିଣ୍ଡର ଭର୍ତ୍ତି ଟ୍ରକ୍‌ ଯାଉଥିବାବେଳେ ୧୧ କେଭି ଲାଇନ୍ ତାରରେ ଲାଗିଯିବାରୁ ରାସ୍ତା ଉପରେ ତାର ଛିଡ଼ିପଡ଼ିଥିଲା। ମାତ୍ର ନିଉଟ୍ରାଲ୍‌ ଓ ଫେଜ୍ ତାର ଅଲଗା ଅଲଗା ତଳେ ପଡ଼ିବାରୁ ଅଘଟଣା ଘଟି ନଥିଲା କି ଟ୍ରକ୍‌ର କୌଣସି କ୍ଷତି ହୋଇନଥିଲା। ସେହିଭଳି ସକାଳ ସମୟ ପାଇଁ ରାସ୍ତାରେ ଲୋକଙ୍କ ଭିଡ଼ ହୋଇନଥିବାରୁ କାହାର କିଛି କ୍ଷତି ହୋଇନଥିଲା। ନଚେତ୍ ୪୫୦ ଗ୍ୟାସ୍ ଭର୍ତ୍ତି ସିଲିଣ୍ଡର ନିଆଁ ପ୍ରଭାବରେ ଆସିଥିଲେ, ଏକ ବଡ଼ ଧରଣର ଅଗ୍ନିକାଣ୍ଡ ପଞ୍ଚସଖାନଗରରେ ତାଣ୍ଡବ ସୃଷ୍ଟି କରିଥାନ୍ତା। ଘଟଣା ପରେ ବିଦ୍ୟୁତ୍ କର୍ମଚାରୀମାନେ ଲାଇନ୍ କାଟି ଦେଇଥିଲେ। କିନ୍ତୁ ମରାମତି ସରିବା ପାଇଁ ପ୍ରାୟ ୩ ଘଣ୍ଟା ଲାଗି ଯାଇଥିଲା। ଫଳରେ ସ୍ଥାନୀୟ ବାସିନ୍ଦାମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ। ଲୋକଙ୍କ ଅଭିଯୋଗ ଅନୁସାରେ ଜନବସତି ଅଞ୍ଚଳରୁ ଏହି ଗୋଦାମକୁ ହଟାଇବାକୁ ବାରମ୍ବାର ଦାବି କରାଯାଇଛି। ନିଜେ ଗୋଦାମ ମାଲିକ ମଧ୍ୟ ହଟିଯିବାକୁ ପ୍ରତିଶ୍ରୁତି ଦେଇଥି‌ଲେ। କିନ୍ତୁ ୨ ବର୍ଷ ବିତି ଯାଇଥିଲେ ବି ସେ ପ୍ରତିଶ୍ରୁତି ରଖୁନାହାନ୍ତି। ଏଣେ ବଡ଼ ବଡ଼ ଟ୍ରକ୍‌ ଯାତାୟତ କରିବାରୁ ରାସ୍ତା ଖରାପ ହେଉଛି ଓ ନୂଆ କାମ ହୋଇଥିବା ସ୍ବେରେଜ୍ ଲାଇନ୍ ଦବି ଗଲାଣି।

ସମ୍ବନ୍ଧିତ ଖବର