ଖଣ୍ଡଗିରି: ବର୍ଷା ଏବେ ପଞ୍ଚସଖାନଗର ବାସିନ୍ଦାଙ୍କୁ ଡରାଇଲାଣି। ବର୍ଷ ବର୍ଷ ଧରି ଡ୍ରେନ୍‌, ସ୍ବେରେଜ୍‌ ସମସ୍ୟା ଯୋଗୁ ଲୋକେ ଯମଯନ୍ତ୍ରଣା ଭୋଗୁଥିଲେ। ଏବେ ରାସ୍ତା ସମସ୍ୟା‌ ଉତ୍କଟ ରୂପ ଧାରଣ କରିଛି। ଆଗପଛ, ବାମଡାହାଣ, ଯୁଆଡ଼େ ଆଖି ବୁଲେଇ ଆଣିଲେ ଖାଲି ବଡ଼ବଡ଼ ଖାଲ ଓ କାଦୁଅ ପଚପଚ। ଘରୁ ଗୋଡ଼ କାଢ଼ି ହେଉନି। କାର୍‌, ବାଇକ୍‌ ବାହାର କରିବା ତ ଦୂରର କଥା, ଚାଲିଚାଲି ଯିବା ବି ମୁସ୍କିଲ୍‌। ସାମାନ୍ୟ ଅସତର୍କ ହେଲେ କଚାଡ଼ି ହୋଇ ପଡ଼ିବା ଥୟ। ପ୍ରାକ୍‌ ମୌସୁମୀ ବର୍ଷାରେ ଏମିତି ଅବସ୍ଥା ହୋଇଥିବା ବେଳେ ଯଦି ଏଭଳି ସମୟରେ ରାସ୍ତା କାମ ଆରମ୍ଭ ହୁଏ ଆଗକୁ ଆହୁରି ଯନ୍ତ୍ରଣା ବଢ଼ିବ ‌ବୋଲି ଲୋକେ ଆଶଙ୍କା କରିଲେଣି।

Advertisment

ସ୍ବେରେଜ୍‌ କାମ ସରିନି, ରାସ୍ତା ଚିନ୍ତା ଘାରିଲାଣି
ରାସ୍ତା ପାଇଁ ଖର୍ଚ୍ଚହେବ ୩୩ ଲକ୍ଷ ଟଙ୍କା

ସ୍ବେରେଜ୍‌ ପାଇପ୍‌ ବିଛାଇବା ପାଇଁ ରାସ୍ତା ଖୋଳି ଦିଆଯାଇଥିବାରୁ ଜଗମୋହନନଗର ଓ ବେଲେଶ୍ବର ମନ୍ଦିର ପାଖ ରାସ୍ତାରେ ପାଣି ଜମାହୋଇ ସାଂଘାତିକ ସ୍ଥିତି ସୃଷ୍ଟିକରୁଛି। ଆଇଟିଇଆର୍‌ ‌ଲେନ୍ ୧ର ବାମପଟରୁ ୪୦୦ ମିଟର ରାସ୍ତାର ଅବସ୍ଥା ଆହୁରି କଦର୍ଯ୍ୟ। ଏବେ ସେଠ‌ାରେ ୨ଫୁଟ୍ ଉଚ୍ଚର ପାଣି ଜମୁଛି। ୨୦୨୨ ମସିହାରୁ ପଞ୍ଚସଖାନଗରରେ ୱାଟ୍‌କୋର ସ୍ବେରେଜ୍‌ ପାଇପ୍‌ ବିଛାଇବା କାମ ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଶେଷ ହୋଇନାହିଁ। କାମ ମନ୍ଥର ଗତିରେ ଚାଲୁଥିବାରୁ ସ୍ଥାନୀୟ ଲୋକେ ୱାଟ୍‌କୋ ଯନ୍ତ୍ରୀଙ୍କୁ ଘେରଉ କରି ପ୍ରତିବାଦ କରିଥିଲେ। ୱାଟ୍‌କୋ କାମ ମୁଖ୍ୟ ରାସ୍ତାରୁ ସରିଲାଣି। ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି।। ଏବେ ବର୍ଷା ଦିନ ଆରମ୍ଭ ହୋଇଯାଇଥିବାରୁ ପରିସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି। ସବୁଆଡ଼େ କାଦୁଅ ପଚପଚ। ଖାଲଖମାରେ ପାଣି ଭର୍ତ୍ତି ହୋଇରହିଛି। ତେଣୁ ସ୍ଥାନୀୟ ଲୋକଙ୍କ ଧୈର୍ଯ୍ୟଚ୍ୟୁତି ଘଟିଲାଣି। 

ସ୍ଥାନୀୟ ପଞ୍ଚସଖାନଗର ସଙ୍ଗଠନର ସଦସ୍ୟ ପ୍ରକାଶ ଚନ୍ଦ୍ର ରାଉତଙ୍କ କହିବା କଥା, ୱାଟ୍‌କୋର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସହିତ ଡ୍ରେନ୍‌ ଜବରଦଖଲ ଯୋଗୁ ଏଠିକାର ସମସ୍ୟା ଅସମ୍ଭାଳ। ୩ ବର୍ଷ ହେଲା ୱାଟ୍‌କୋ କାମ ସରୁନଥିଲା। କାମ ସରିବା ବେଳକୁ ଏବେ ରାସ୍ତା ମରଣଯନ୍ତା। ସ୍କୁଲ୍‌ ଗାଡ଼ି ଘର ପାଖକୁ ଆସି ପାରୁନି। ବର୍ଷା ଦିନରେ ବଡ଼ ଗାତ ଓ କାଦୁଅ ଯୋଗୁ ସର୍ବଦା ଅଘଟଣର ଚିନ୍ତା ଘାରୁଛି। କିଛି ଦିନ ପୂର୍ବରୁ ଶିବ ମନ୍ଦିରରୁ ଆଇଟିଆର୍‌ କଲେଜ ପାଚେରି ପର୍ଯ୍ୟନ୍ତ ବର୍ଷାପାଣି ଜମି ରହିଥିଲା। ଲଘୁଚାପଜନିତ ବଡ଼ବର୍ଷା ହେଲେ ଏଠାରେ ଘରୁବାହାରିବା କଷ୍ଟକର ହୋଇପଡ଼ିବ। ଏ ନେଇ ପୂର୍ତ୍ତ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଜଗମୋହନନଗରଠାରୁ ଡୁମୁଡ଼ୁମା, ପଞ୍ଚସଖାନଗର ରାସ୍ତା କାମ ପାଇଁ ବ୍ୟୟବରାଦ ହୋଇ ସାରିଛି। ପ୍ରାୟ ୩୩ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ କାମ ହେବ।