ଖଣ୍ଡଗିରି: ପଞ୍ଚସଖାନଗର ଅଧିବାସୀଙ୍କ ଯନ୍ତ୍ରଣା କମୁନି। ଗୋଟିଏ ସମସ୍ୟା ନସରୁଣୁ ଆଉ ଗୋଟିଏ ଆସି ଯାଉଛି। ସମସ୍ୟା ଯେମିତି ଦୁଆରମୁହଁରେ ଜଗି ବସିଛି। ଏବେ ରାସ୍ତା ସମସ୍ୟା ଉତ୍କଟ ରୂପ ଧାରଣ କରିଛି। ୨ବର୍ଷ ହେଲା ୱାଟକୋ ପକ୍ଷରୁ କରାଯାଉଥିବା ସ୍ବେରେଜ ପାଇପ୍ ବିଛାଇବା କାମ ଆଜି ପର୍ଯ୍ୟନ୍ତ ସରିନାହିଁ। ରାସ୍ତା ଖୋଳି ଦିଆଯିବା ପରେ ମରାମତି ଏତେ ନିମ୍ନମାନର ହୋଇଛି ଯେ ବର୍ଷାହେଲେ ପାଣି ଜମାହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇ ପଡ଼ୁଛି। ବିଶେଷକରି ଆଇଟିଇଆର୍ କଲେଜରୁ ବେଲେଶ୍ବର ମନ୍ଦିର ପର୍ଯ୍ୟନ୍ତ ରାସ୍ତାରେ ପାଣି ଜମାହୋଇ ସାଂଘାତିକ ସ୍ଥିତି ସୃଷ୍ଟି କରୁଛି। କୋଟି କୋଟି ଟଙ୍କାର ବଙ୍ଗଳା କରିଥିବା ଲୋକଙ୍କୁ ଆଣ୍ଠୁଏ ପାଣିରେ ପଶି ଘରକୁ ଯିବାକୁ ହେଉଛି।
ସ୍ଥାନୀୟ ଅଧିବାସୀଙ୍କ ଅନୁସାରେ, ଆଇଟିଇଆର୍ ଲେନ୍ ୧ର ବାମପଟରୁ ୪୦୦ ମିଟର ରାସ୍ତାର ଅବସ୍ଥା ନକହିବା ଭଲ। ଆଖିରେ ନ ଦେଖିଲେ ବିଶ୍ବସ କରିବା କଷ୍ଟ। ଖରାପ ଓ ନିମ୍ନମାନର କାମ ଯୋଗୁ ରାସ୍ତାର ପିଚୁ ୨ଟି ବଡ଼ବର୍ଷାରେ ଦବି ଯାଇଛି। ଏବେ ସେଠାରେ ୨ଫୁଟ୍ ଉଚ୍ଚର ପାଣି ଜମୁଛି। ଲେନ୍ ୧୫ରେ ୨ ମାସ ତଳେ ୮୦ ଲକ୍ଷ୍ ଟଙ୍କା ଖର୍ଚ୍ଚହୋଇ ପେଭର ବ୍ଲକ୍ ପଡ଼ିଥିଲା। ଆଶାଥିଲା, ଅନ୍ତତଃ ସେଠାରେ ପାଣି ଜମିବନି। ହେଲେ ଏବେ ପେଭର ବ୍ଲକ୍ଗୁଡ଼ିକର ସ୍ଥିତି ହଜିଗଲାଣି। ୨୦୨୨ ମସିହାରୁ ପଞ୍ଚସଖାନଗରରେ ୱାଟକୋର ସ୍ବେରେଜ ପାଇପ୍ ବିଛାଇବା କାମ ଆରମ୍ଭ ହୋଇଛି। ଏଯାଏ କାମ ଶେଷ ହୋଇନାହିଁ। ରାସ୍ତା ଖୋଳି ଦିଆଯାଇ ପାଇପ୍ ବିଛା କାର୍ଯ୍ୟ ଅତି ମନ୍ଥର ଗତିରେ ଚାଲିଛି। ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ଅଧିବାସୀ ୱାଟକୋ ଯନ୍ତ୍ରୀଙ୍କୁ ଘେରାଉ ମଧ୍ୟ କରିଛନ୍ତି। ଏହା ସତ୍ତ୍ବେ କୌଣସି ଲାଭ ହୋଇନାହିଁ।
ସେହିପରି ରାସ୍ତା ମରାମତି ଏଭଳି ହୋଇଛି ଯେ ବିଭିନ୍ନ ସ୍ଥାନରେ ଦବି ଯାଇଛି। ଫଳରେ ଅଳ୍ପବର୍ଷାରେ ପାଣି ଜମି ରହୁଛି। ୱାଟକୋର ମନ୍ଥର କାମ ସହିତ ଡ୍ରେନ ଜବରଦଖଲ ଯୋଗୁଁ ବର୍ଷାରେ ଅଞ୍ଚଳବାସୀ ୨ ବର୍ଷ ହେଲା ଅସ୍ଥାୟୀ ଜଳଘେରରେ ରହୁଛନ୍ତି। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ୱାଟକୋର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ସହିତ ଡ୍ରେନ ଜବରଦଖଲ ଯୋଗୁଁ ଏଠି ରହିବା ଅଭିଶାପ ପାଲଟି ଗଲାଣି। ୯ ନମ୍ବର ପ୍ରାକୃତିକ ଡ୍ରେନର ଚଉଡ଼ା ପଞ୍ଚସଖାନଗରରେ ସର୍ବନିମ୍ନ ୫୦ ଫୁଟ ଏବଂ ଆଇଟିଇଆର୍ କଲେଜ ପଛପଟରେ ଚଉଡ଼ା ପୂର୍ବରୁ ୮୦ ଫୁଟ ପର୍ଯ୍ୟନ୍ତ ରହିଥିଲା। ଏଥିଯୋଗୁଁ ଯେତେ ବର୍ଷା ହେଲେ ମଧ୍ୟ ପାଣି ନିଷ୍କାସନର କୌଣସି ଅସୁବିଧା ନଥିଲା। ୨୦୧୪ ମସିହାରୁ ଡ୍ରେନ ଜବରଦଖଲ ହେବା ସହିତ ଜଳବନ୍ଦି ସମସ୍ୟା ଆରମ୍ଭ ହୋଇଛି। ସେଥିରେ ପୁଣି ଡ୍ରେନ ଉପରେ ଘର ନିର୍ମାଣ ଯୋଗୁଁ ଆଇଟିଇଆର୍ କଲେଜ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ଡ୍ରେନଟି ସିଧା ନଯାଇ ବଙ୍କେଇ ନିର୍ମାଣ କରାଯାଇଛି। ଏଥିଯୋଗୁଁ ଡ୍ରେନର ଜଳ ନିଷ୍କାସନ କ୍ଷମତା କମି ଯାଇଛି। ପାଣି ଜମିବା ଯୋଗୁଁ ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ବଢ଼ୁଛି। ୱାର୍ଡ ନମ୍ବର ୬୪ର କର୍ପୋରେଟର ସକିବା ମୁସରତ କହିଛନ୍ତି, ୩ଟି ସ୍ଥାନରେ କାମ ଚାଲିଛି। ବର୍ଷା ଯୋଗୁଁ କାମ କରି ହେଉନି, ତେଣୁ କାମ ଧିମା ହେଉଛି। ବର୍ଷା କାରଣରୁ ରାସ୍ତା ତିଆରି କାମ କରି ହେଉନି। ସ୍ବେରେଜ ପାଇପ୍ ବିଛାଇବାରେ ଯେତିକି କାମ ବାକିଅଛି, ବର୍ଷା ଛାଡ଼ିଲେ ସପ୍ତାହେ ମଧ୍ୟରେ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/08/dgdgddgr.jpg)